
ଭରତପୁର ଥାନା ଘଟଣାରେ ନିଲମ୍ବିତ ପୁଲିସ ସବ୍ଇନ୍ସପେକ୍ଟର ବୈଶାଳିନୀ ପଣ୍ଡା, ଏଏସ୍ଆଇ ସାଗରିକା ରଥ ଓ ସଲୀଳାମୟୀ ସାହୁ, କନଷ୍ଟେବଳ ବଳରାମ ହାଁସଦାଙ୍କ ଅଡ଼ୁଆ ବଢ଼ିଛି। ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠରେ ଏହି ଚାରି ପୁଲିସ କର୍ମଚାରୀଙ୍କ ତରଫରୁ ଦାୟର ପୃଥକ ଆଗୁଆ ଜାମିନ ଆବେଦନଗୁଡ଼ିକର ଏକତ୍ର ପ୍ରାରମ୍ଭିକ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କ ପକ୍ଷରୁ ସମୟ ଲୋଡ଼ାଯାଇଥିଲା। ଅନ୍ୟପକ୍ଷରେ ଅନ୍ତରୀଣ ସୁରକ୍ଷା ପ୍ରଦାନ ପାଇଁ ଆବେଦନକାରୀ ନିବେଦନ କରିଥିଲେ। ହାଇକୋର୍ଟ ଅକ୍ଟୋବର ୨୮କୁ ଆଗୁଆ ଜାମିନ ଆବେଦନଗୁଡ଼ିକର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହି ସମୟରେ କେସ୍ ଡାଏରି ସହିତ ତଦନ୍ତର ସାନି ସ୍ଥିତି ନେଇ ତଥ୍ୟ ଉପସ୍ଥାପନ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଆବେଦନକାରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ ପାଇଁ ହାଇକୋର୍ଟ ଆଜି ମନା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୫ ତାରିଖରେ ଭରତପୁର ଥାନାକୁ ଅଭିଯୋଗ କରିବା ଲାଗି ଯାଇଥିବା ସେନାର ଜଣେ କ୍ୟାପଟେନ୍ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦେବା ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଥିଲା। ସରକାର ଭରତପୁର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସ୍ଆଇ ବୈଶାଳିନୀ ପଣ୍ଡା, ଏଏସ୍ଆଇ ସାଗରିକା ରଥ, ସଲୀଳାମୟୀ ସାହୁ, କନଷ୍ଟେବଳ ବଳରାମ ହାଁସଦାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ। କ୍ରାଇମବ୍ରାଞ୍ଚ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଏହି ପାଞ୍ଚ ଜଣ ପୁଲିସ କର୍ମଚାରୀ ସେପ୍ଟେମ୍ବର ୩୦ରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ଆଜି ଅବକାଶକାଳୀନ ଖଣ୍ଡପୀଠରେ ଚାରିଜଣଙ୍କ ଆଗୁଆ ଜାମିନ ଆବେଦନର ପ୍ରାରମ୍ଭିକ ଶୁଣାଣି ହୋଇଥିଲା। ଆସନ୍ତା ସପ୍ତାହରେ ଭରତପୁର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ହେବ।

