ସମ୍ଭାବ୍ୟ ବାତ୍ୟା କୁ ଦୃଷ୍ଟି ରେ ରଖି I ହବିଷିଆଳି ମା’ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ !
ବାତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୁଧବାର ପୁରୀ ଜିଲାକୁ ୟେଲୋ ଜୋନ୍ ଘୋଷଣା କରିଥିବା ବେଳେ ୨୪ ଓ ୨୫ ତାରିଖକୁ ଅରେଞ୍ଜ ଜୋନ୍ ଘୋଷଣା କରାଯାଇଛି। ପାଣିପାଗ ବିଭାଗ ଆକଳନ ଅନୁସାରେ ପୁରୀରେ ବାତ୍ୟାର ପ୍ରଭାବ ରହିଲେ ମଧ୍ୟ ସେଭଳି ଭୟଭୀତ ନ ହେବା ପାଇଁ ସୂଚନା ଦିଆଯାଇଛି। ପ୍ରବଳ ବର୍ଷା ସାଙ୍ଗକୁ ୬୦ରୁ ୯୦ କି.ମି. ପର୍ଯ୍ୟନ୍ତ ପବନ ବହିବାକୁ ଥିବାବେଳେ ଭୟଭୀତ ନ ହୋଇ କେବଳ ସତର୍କ ଓ ସୁରକ୍ଷିତ ରହିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ତେଣୁ ୨୪ ଓ ୨୫ ତାରିଖ ହବିଷିଆଳି ମା’ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯିବ।
ଜିଲାରେ ୨ ଓଡ୍ରାଫ ଟିମ୍, ୨ ଏନ୍ଡିଆରଏଫ୍ ଟିମ୍ ସମେତ ଅଗ୍ନିଶମ ବିଭାଗର ଅତିରିକ୍ତ ଟିମ୍ ମୁତୟନ ରହିଛନ୍ତି। ଜିଲାରେ ସମୁଦାୟ ୨୬ ଟିମ୍ ବିପର୍ଯ୍ୟୟ ମୁକାବିଲା ପାଇଁ ମୁତୟନ ରହିଛନ୍ତି। ୧୧ଟି ବ୍ଲକ୍ ସମେତ ଅତିରିକ୍ତ ୬ଟି ଫାୟାର ଟିମ୍ ମୁତୟନ ଅଛନ୍ତି। ରାଜସ୍ବ, ପୋଲିସ ଭେଟେରିନାରୀ ଟିମ୍ ପ୍ରସ୍ତୁତ ରହିବା ସହିତ ୮୦୦ ଦକ୍ଷ ମାନବ ସମ୍ବଳ ସମ୍ପନ୍ନ ଟିପିସିଓଡିଏଲ ଟିମ୍ ପ୍ରସ୍ତୁତ ରହିଛି। ସେହିଭଳି ୧୭୯ଟି ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲ କଲେଜ ସମେତ ୩୭୦ଟି ଅସ୍ଥାୟୀ କେନ୍ଦ୍ର ପ୍ରସ୍ତୁତ ରହିଛି। କ୍ଷୟକ୍ଷତି ଆକଳନ ସହ କିପରି ବାତ୍ୟା ପରବର୍ତ୍ତୀ ବିପର୍ଯ୍ୟୟ ମୁକାବିଲା ତ୍ୱରିତ ପରିଚାଳନା କରାଯାଇପାରିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।
