ଓଡିଶାରାଜ୍ୟଶୀର୍ଷ ଖବରଶ୍ରୀକ୍ଷେତ୍ରସଂସ୍କୃତି
Trending

ଅକ୍ଟୋବର ୧୪ରୁ ଶ୍ରୀମନ୍ଦିରରେ ରାଧାଦାମୋଦର ବେଶ

ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ରାଧାଦାମୋଦର ବେଶ

ଅକ୍ଟୋବର ୧୪ରୁ ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ବାଳଧୂପ ନୀତି ସହ ମହାପ୍ରଭୁଙ୍କ ରାଧା ଦାମୋଦର (ରାଈଦାମୋଦର) ବେଶ ଆରମ୍ଭ ହେବ। ପ୍ରତିବର୍ଷ ଭଳି ଚଳିତବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ମାସେ ବ୍ୟାପୀ ପ୍ରତିଦିନ ଶ୍ରୀବିଗ୍ରହ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସ୍ଥିର ହୋଇଛି। କାର୍ତ୍ତିକ ମାସରେ ରାଈଦାମୋଦର ବ୍ରତ ବା ହବିଷ୍ୟାଳି ବ୍ରତ ପାଳନ ପାଇଁ ହଜାର ହଜାର ସଂଖ୍ୟାରେ ହବିଷ୍ୟାଳି ଶ୍ରୀକ୍ଷେତ୍ରକୁ ଆସିବେ। ଏଣୁ କାର୍ତ୍ତିକ ନୀତିକାନ୍ତି ଓ ହବିଷ୍ୟାଳିଙ୍କ ରହଣିକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ଲାଗି ପଦକ୍ଷେପ ନିଆଯାଉଛି। ଏ ବର୍ଷ ଅଢ଼େଇ ହଜାର ହବିଷ୍ୟାଳିଙ୍କ ରହିବା ବ୍ୟବସ୍ଥା କରାଯିବ। ଯେଉଁମାନେ ପୂର୍ବରୁ ହବିଷ୍ୟାଳି ଯୋଜନାରେ ସାମିଲ୍‌ ହୋଇନାହାନ୍ତି, ସେମାନଙ୍କୁ ଏଥର ଅଗ୍ରାଧିକାର ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ହବିଷ୍ୟାଳିଙ୍କ ରହଣି ଓ କାର୍ତ୍ତିକ ବ୍ରତ ନୀତିକାନ୍ତି ଉପରେ ସୋମବାର ଜିଲ୍ଲା ପ୍ରଶାସନର ପ୍ରାକ୍‌ ପ୍ରସ୍ତୁତି ବୈଠକ ହୋଇଥିବାର ସୂଚନା ଦେଇ ଜିଲ୍ଲାପାଳ କହିଥିଲେ, ସଂପୃକ୍ତ ସେବାୟତ ନିଯୋଗ ଓ ଅନ୍ୟ ଅଧିକାରୀଙ୍କ ସହ ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଛି। ଚଳିତବର୍ଷ ହବିଷ୍ୟାଳି ମା’ମାନଙ୍କ ପାଇଁ ବୃନ୍ଦାବତୀ ନିବାସ, ଅକ୍ଷୟପାତ୍ର ଫାଉଣ୍ଡେସନ୍‌, ବାଗେଡ଼ିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ରହିବା ବ୍ୟବସ୍ଥା କରାଯାଉଛି। ହବିଷ୍ୟାଳି ମା’ମାନଙ୍କର ନାମ ପଞ୍ଜୀକରଣ, ରହଣି, ସ୍ୱାସ୍ଥ୍ୟ ଓ ପରିମଳ, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ସନ୍ଧ୍ୟାରେ ଭଜନ, ପ୍ରବଚନ ଆଦିର ସୁବ୍ୟବସ୍ଥା କରାଯିବ।

ଖୁବଶୀଘ୍ର ସ୍ବତନ୍ତ୍ର ପଞ୍ଜୀକରଣ ପୋର୍ଟାଲ୍‌ରେ ହବିଷ୍ୟାଳିଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ପ୍ରତି ଜିଲ୍ଲାରୁ ହବିଷ୍ୟାଳିମାନେ ଏଥିରେ ନାମ ପଞ୍ଜୀକରଣ କରିପାରିବେ। ଯେଉଁମାନେ ପଞ୍ଜୀକରଣ କରିବେ କେବଳ ସେହିମାନଙ୍କ ପାଇଁ ହବିଷ୍ୟାଳି କେନ୍ଦ୍ରରେ ରହିବାର ବ୍ୟବସ୍ଥା କରାଯିବ। ପଞ୍ଜୀକରଣ ସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରମାଣପତ୍ରକୁ ଗୁରୁତ୍ବ ଦିଆଯାଇଛି। ହବିଷ୍ୟାଳି କେନ୍ଦ୍ରରେ ସ୍ବତନ୍ତ୍ର ଚିକିତ୍ସା ସେବା, ହବିଷ୍ୟାଳି ମା’ମାନଙ୍କୁ ପରିଚୟପତ୍ର ପ୍ରଦାନ, ସହାୟକ ସ୍ବେଚ୍ଛାସେବୀ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ସ୍ନାନ ସମୟରେ ସୁରକ୍ଷା ବ୍ୟବସ୍ଥା, ପରିବହନ ବ୍ୟବସ୍ଥା, ପାନୀୟଜଳ, ବିଦ୍ୟୁତ୍‌ ବ୍ୟବସ୍ଥା, ମହାପ୍ରସାଦ ବ୍ୟବସ୍ଥା, ନିୟନ୍ତ୍ରଣ କକ୍ଷ ଆଦିର ସୁବିଧା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!