ଓଡିଶାରାଜ୍ୟଶୀର୍ଷ ଖବରସଂସ୍କୃତି
Trending

ମହାନଦୀ କୂଳରେ ପୂଜା ପାଉଥିବା ମା’ ସମଲେଇ

ଶିମୁଳି ଗଛ ତଳେ ଦେବୀଙ୍କ ଆସ୍ଥାନ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ। ଓଡ଼ିଶାର ଜୀବନରେଖା ମହାନଦୀ କୂଳରେ ପୂଜା ପାଉଥିବା ମା’ ସମଲେଇ ଆଦିଶକ୍ତି, ଜଗଜ୍ଜନନୀ, ମହାଲକ୍ଷ୍ମୀ, ମହାସରସ୍ବତୀ ଆଦି ରୂପରେ ପୂଜା ପାଇଥାନ୍ତି। କୁହାଯାଏ, ସେମେଲ (ଶିମୁଳି) ଗଛ ତଳେ ଦେବୀଙ୍କ ଆସ୍ଥାନ ରହିଥିବାରୁ ତାଙ୍କ ନାମ ସମଲେଇ ଏବଂ ପରବର୍ତ୍ତୀ ସମୟରେ ସମଲେଶ୍ବରୀ ହୋଇଥିବା କୁହାଯାଏ। ସେହିପରି ମା’ ସମଲେଇଙ୍କ ନାମ ଅନୁସାରେ, ମହାନଦୀ କୂଳେ ଗଢ଼ି ଉଠିଥିବା ଏହି ସହରର ନାମ ସମ୍ବଲପୁର ହୋଇଛି। ପରିବ୍ରାଜକ ଟୋଲେମି ଏହି ଅଞ୍ଚଳକୁ ‘ସମ୍ବଳକ’ ଭାବେ ବର୍ଣ୍ଣନା କରିଛନ୍ତି। ଷୋଡ଼ଶ ଶତାଦ୍ଦୀରେ ରାଜା ବଳରାମ ଦେବ ମା’ ସମଲେଇଙ୍କ ମନ୍ଦିର ନିର୍ମାଣ କରିଥିଲେ। ଭକ୍ତମାନେ ମା’ ସମଲେଶ୍ବରୀଙ୍କ ଦର୍ଶନ କରିବା ପୂର୍ବରୁ ମନ୍ଦିର ଚାରିପାର୍ଶ୍ବରେ ସ୍ଥାପିତ ଏକାଦଶ ମାତୃକା (ପାର୍ଶ୍ବଦେବୀ) ନାରସିଂହୀ, ଦୁର୍ଗା, ମଙ୍ଗଳା, ଜ୍ବାଳାମୁଖୀ, ବନଦୁର୍ଗା, ବାରାହି, ଛିନ୍ନମସ୍ତା, ମାତଙ୍ଗି, ରାମଚଣ୍ଡୀ, ମା’ କାଳୀ ଓ ଉଗ୍ରତାରାଙ୍କ ଦର୍ଶନ କରିଥାନ୍ତି। ମନ୍ଦିର ବେଢ଼ାର ଦକ୍ଷିଣ-ପୂର୍ବ କୋଣରେ ବୀର ହନୁମାନ ଏବଂ ଦକ୍ଷିଣ-ପଶ୍ଚିମ କୋଣରେ ମା ଘଣ୍ଟାସିନୀ ଦେବୀଙ୍କ ମୂର୍ତ୍ତି ସ୍ଥାପିତ ହୋଇଛି। ମନ୍ଦିର ଗର୍ଭଗୃହରେ ଦୁଇଫାଳିଆ କବାଟ ଲାଗିଛି। କାଠ କବାଟରେ ଅତ୍ୟନ୍ତ ସୁକ୍ଷ୍ମ କାରିଗରୀ ଦେଖିବାକୁ ମି‌‌ଳେ। କବାଟରେ ୩୨ଟି ଦେବୀ ମୂର୍ତ୍ତି ରହିଛି। ମା’ ସମଲେଶ୍ବରୀଙ୍କ ପୂଜାନୀତି ଅଲଗା ଅଲଗା ମାସରେ ଅଲଗା ରହିଥାଏ। ନିୟମିତ ପୂଜା ଅନୁସାରେ, ସକାଳେ ପୂଜା ଓ ମଙ୍ଗଳ ଆଳତି, ମଧ୍ୟାହ୍ନ ୧୨ଟାରେ ଅନ୍ନଭୋଗ ଲାଗିଥାଏ। ସନ୍ଧ୍ୟାରେ ସନ୍ଧ୍ୟା ଆଳତି ପରେ ୯ଟାରେ ଅନ୍ନଭୋଗ ଏବଂ ପ୍ରାୟଦିନ ରାତି ୧୦ଟାରେ ମନ୍ଦିର ବନ୍ଦ ରହିଥାଏ। ‌ବୈଶାଖ ମାସ ସଂକ୍ରାନ୍ତିରେ ପଣାସଂକ୍ରାନ୍ତି, ପାର୍ଶ୍ବଦେବତା ହନୁମାନ ଜୟନ୍ତୀ, ଜ୍ୟେଷ୍ଠ ମାସରେ ସାବିତ୍ରୀ ଅମାବାସ୍ୟା, ଆଷାଢ଼ ମାସରେ ହେରାପଞ୍ଚମୀ ଏବଂ ଶ୍ରାବଣ ପୂର୍ଣ୍ଣିମାରେ ଶ୍ରାବଣାଭିଷେକ ହୋଇଥାଏ। ଭାଦ୍ରବ ମାସରେ ଅମ୍ବିକା ଜନ୍ମ ଉତ୍ସବ ପାଳନ ହୋଇଥାଏ। ତେବେ ଭାଦ୍ରବ ମାସ ପଞ୍ଚମୀ ତିଥିରେ ମା’ସମଲେଇଙ୍କଠାରେ ନବାନ୍ନ ଅର୍ପଣ ପରେ ସମଗ୍ର ପଶ୍ଚିମଓଡ଼ିଶାରେ ଗଣପର୍ବ ନୂଆଁଖାଇ ପାଳନ କରାଯାଇଥାଏ। ଦଶହରା (ଆଶ୍ବିନ) ମାସରେ ମା’ଙ୍କର ଅନେକ ପର୍ବପର୍ବାଣି ରହିଛି। ଏହି ମାସରେ ମା’ଙ୍କ ଷୋଡ଼ଶପୂଜା ବିଧିମତେ ଅନୁଷ୍ଠିତ ‌ହୋଇଥାଏ। ଏହି କ୍ରମରେ ଗତ ୨୪ ତାରିଖ ମୂଳାଷ୍ଟମୀ ଦିନରେ ଷୋଡ଼ଶ ପୂଜା ଆରମ୍ଭ ହେବା ସହିତ ‘ପୁଅ ଜିଉଁନ୍ତିଆ’ ବି ପାଳିତ ହୋଇଛି। ସିନ୍ଦୂର ବର୍ଣ୍ଣ ଧାରଣ କରୁଥିବା ମା’ ସମେଲଶ୍ବରୀ ଆସନ୍ତା ୨ ଅକ୍ଟୋବର ଦିନ ମହାଳୟା ଅବସରରେ ଭକ୍ତମାନଙ୍କୁ ଧବଳ‌ମୁଖୀ ବେଶରେ ଦର୍ଶନ ଦେବେ। ଏହାକୁ ଗଙ୍ଗାଦର୍ଶନ ବି କୁହାଯାଇଥାଏ। ମହାଷ୍ଟମୀ ଦିନ ଦେବୀଙ୍କର ‘ଖଣ୍ଡାଧୁଆ’ ସଂପାଦନ କରାଯାଇଥାଏ। ମହାନଦୀର ମଛିନ୍ଦ୍ର ଘାଟରେ ଦେବୀ ଖଣ୍ଡାଙ୍କ ଧୋଇବା ପରେ ରାତ୍ରିରେ ଖଣ୍ଡାଙ୍କୁ ଦେବୀଙ୍କ ସମ୍ମୁଖରେ ରଖି ପୂଜା କରାଯାଇଥାଏ। ସେହିଦିନ ରାତିରେ ସହରର ଆଖଡ଼ା ଦଳଗୁଡ଼ିକ ମନ୍ଦିରକୁ ଆସି ଆଖଡ଼ା ପ୍ରଦର୍ଶନ କରିବା ସହିତ ମା’ଙ୍କ ଦର୍ଶନ କରିଥାନ୍ତି। ମହାନବମୀ ଦିନ‌ ଦେବୀଙ୍କ ଝଣ୍ଡା ନଗର ପରିକ୍ରମା କରିଥାଏ। ସମେଲଶ୍ବରୀଙ୍କ ଆଖଡ଼ା ନଗର ପରିକ୍ରମା କରିଥାଏ। ବିଜୟାଦଶମୀ ରାତ୍ରିରେ ରଣଜିତା ଉତ୍ସବ ଅନୁଷ୍ଠିତ ହୋଇଥାଏ। ପୂର୍ଣ୍ଣିମା ତିଥିରେ ମା ସମଲେଶ୍ବରୀଙ୍କ ରାଜ ରାଜେଶ୍ବରୀ ବେଶ ଅନୁଷ୍ଠିତ ହୋଇଥାଏ। ସେହିପରି କାର୍ତ୍ତିକ ଅମାବାସ୍ୟାରେ ମା’ଙ୍କୁ ଶ୍ୟାମାକାଳୀ ରୂପେ ପୂଜା କରାଯିବା ସହିତ ମନ୍ଦିରରେ ଦୀପାବଳି ପାଳନ କରାଯାଇଥାଏ। ମାର୍ଗଶୀର ଗୁରୁବାରରେ ଲକ୍ଷ୍ମୀ ରୂପେ ପୂଜା କରାଯାଉଥିବା ବେ‌ଳେ ପୌଷପୂର୍ଣ୍ଣିମାରେ ଦେବୀଙ୍କର ପୁଷ୍ୟାଭିଷେକ ଏବଂ ମାଘ ମାସରେ ମହାସରସ୍ବତୀ ରୂପେ ପୂଜା କରାଯାଇଥାଏ। ଫଗୁଣ ମାସରେ ‘ଗୁଁଡ଼ିଖାଇ’ ଏବଂ ଚୈତ୍ର ମାସରେ ବାସନ୍ତୀକ ନବରାତ୍ର ପୂଜା କରାଯାଇଥାଏ। ବାସନ୍ତୀକ ଦୁର୍ଗାପୂଜା ଅବସରରେ ମନ୍ଦିରରେ ଭକ୍ତମାନେ ମାନସିକ ପୂରଣ ନିମନ୍ତେ ମାନସିକ ଜାଗର ବସାଇବାର ପରମ୍ପରା ରହିଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!