ଓଡିଶାରାଜ୍ୟଶୀର୍ଷ ଖବରଶ୍ରୀକ୍ଷେତ୍ରସଂସ୍କୃତି
Trending

ନିଲାମ ହେବ ମହାପ୍ରଭୁଙ୍କ ଅର୍ପଣ ଚାଉଳ

ଚାଉଳ ନମୁନା ଦେଖିବାକୁ ୧୫ ଦିନ ସମୟ

ନିଲାମ ହେବ ମହାପ୍ରଭୁଙ୍କ ଅର୍ପଣ ଚାଉଳ। ମହାପ୍ରସାଦ ପାଇଁ ଗଚ୍ଛିତ ମହାପ୍ରଭୁଙ୍କ ଅର୍ପଣ ଚାଉଳ ନଷ୍ଟ ହୋଇ ଯାଉଥିବାରୁ ଶେଷରେ ଏହାକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏ ସଂକ୍ରାନ୍ତରେ ଯୋଗାଣ ବିଭାଗର ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ସୁଆର ମହାସୁଆର ନିଯୋଗ ସହ ଆଲୋଚନା ହୋଇଛି। ନିଲାମ ଅର୍ଥ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି। ଚାଉଳର ମାନ ସେତେଟା ଭଲ ନ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ସ୍ବାଇଁ କହିଥିଲେ, ପୂର୍ବରୁ ଗଚ୍ଛିତ ଅର୍ପଣ ଚାଉଳ ଉପରେ ରାଜ୍ୟ ସରକାରଙ୍କୁ ଦୁଇଟି ପ୍ରସ୍ତାବ ଦିଆଯାଇଥିଲା। ଯେଉଁଥିରେ ଗୋଟିଏ ପ୍ରସ୍ତାବ ଥିଲା, ଏହାକୁ ବିକ୍ରି କରି ଶ୍ରୀମନ୍ଦିର ପ୍ରଶାସନକୁ ଏହି ଅର୍ଥ ପ୍ରଦାନ କରିବା। ଅନ୍ୟଟି କୌଣସି ଜରାଶ୍ରମ ଅବା ଅନାଥାଶ୍ରମକୁ ଏହି ଚାଉଳ ପ୍ରଦାନ କରିବା। ରାଜ୍ୟ ସରକାର ଏହି ଚାଉଳକୁ ବିକ୍ରି ତଥା ନିଲାମ କରିବାକୁ ଅନୁମତି ଦେଇଛନ୍ତି। ଖୁବ୍‌ଶୀଘ୍ର ଯୋଗାଣ ବିଭାଗ ପକ୍ଷରୁ ନିଲାମ ପାଇଁ ବିଜ୍ଞପ୍ତି ଜାରି ହେବ। ନିଲାମରେ ଅଂଶଗ୍ରହଣ କରୁଥିବା ମିଲର୍‌ ତଥା ବ୍ୟକ୍ତିମାନେ ପ୍ରଥମେ ଯେଉଁ ସ୍ଥାନରେ ଚାଉଳ ଗଚ୍ଛିତ ରଖାଯାଇଛି, ସେ ସ୍ଥାନ ପରିଦର୍ଶନ କରିବେ ଓ ପରେ ସେହିଠାରେ ହିଁ ଏହାର ନିଲାମ(ସ୍ପଟ୍‌ ଅକ୍ସନ୍‌) ହେବ। ଯିଏ ଅଧିକ ଟଙ୍କା ଦେବାକୁ ରାଜି ହେବେ, ତାଙ୍କୁ ଅର୍ପଣ ଚାଉଳ ଦିଆଯିବ। ଚାଉଳ ନମୁନା ଦେଖିବାକୁ ଆମେ ୧୫ ଦିନ ସମୟ ଦେବୁ। ଏହି ୧୫ ଦିନ ଭିତରେ ନିଲାମରେ ଅଂଶଗ୍ରହଣ କରୁଥିବା ମିଲର୍‌ ଅବା ବ୍ୟକ୍ତିମାନେ ଆସି ଚାଉଳ ଦେଖିପାରିବେ। ପରେ ଧାର୍ଯ୍ୟ ତାରିଖରେ ଏହାର ନିଲାମ ହେବ। ବର୍ତ୍ତମାନ ଚାଉଳର ମାନ ସେତେଟା ଭଲ ନାହିଁ। କିନ୍ତୁ ଏହାକୁ ଲୋକେ ଖାଇପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ସ୍ବାଇଁ କହିଛନ୍ତି।

ଯୋଗାଣ ବିଭାଗ କରିବ ନିଲାମ
ଚାଉଳ ନମୁନା ଦେଖିବାକୁ ୧୫ ଦିନ ସମୟ

ସୂଚନାଯୋଗ୍ୟ, ସାରା ରାଜ୍ୟରୁ ଅର୍ପଣ ରଥ ଜରିଆରେ ସମୁଦାୟ ୧୪୦୧୭.୨୩ କ୍ବିଣ୍ଟାଲ୍‌ ଅର୍ପଣ ଚାଉଳ ସଂଗ୍ରହ ହୋଇ ପୁରୀକୁ ଆସିଥିଲା। ଏଥିରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ୪୬୧୦.୪୪ କ୍ବିଣ୍ଟାଲ୍‌, ଅକ୍ଷୟପାତ୍ର ଫାଉଣ୍ଡେସନ୍‌ରେ ୨୬୧୮.୦୭ କ୍ବିଣ୍ଟାଲ୍‌ ଓ ଯୋଗାଣ ବିଭାଗର ପୁରୀ ଗୋଦାମରେ ୬୭୮୮.୭୨ କ୍ବିଣ୍ଟାଲ୍‌ ଚାଉଳ ଗଚ୍ଛିତ ରଖାଯାଇଥିଲା। ସେହିଭଳି ୩୯୪୯ଟି ନଡ଼ିଆ ଓ ୪୨୬ ବସ୍ତା ଗୁଆ ମିଳିଥିଲା। ଶ୍ରୀଗୁଣ୍ଡିଚା ମନ୍ଦିରରେ ୧୫୦ ବସ୍ତା ଓ ଅକ୍ଷୟପାତ୍ର ଫାଉଣ୍ଡେସନ୍‌ରେ ୨୭୬ ବସ୍ତା ଗୁଆ ଗଚ୍ଛିତ ରଖାଯାଇଥିଲା। ଇତିମଧ୍ୟରେ କେବଳ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବା ଚାଉଳରୁ ୩୮୫୬.୮୪ କ୍ବିଣ୍ଟାଲ୍‌ ସୁଆର ମହାସୁଆର ନିଯୋଗକୁ ପ୍ରଦାନ କରାଯାଇଛି। ଆଉ ୭୫୩.୦୭ କ୍ବିଣ୍ଟାଲ୍‌ ଚାଉଳ ଶ୍ରୀଗୁଣ୍ଡିଚା ମନ୍ଦିରରେ ଗଚ୍ଛିତ ରଖାଯାଇଥିବାବେଳେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏଭଳି ସର୍ବମୋଟ୍‌ ୧୦୧୬୦.୩୯ କ୍ବିଣ୍ଟାଲ୍‌ ଚାଉଳ ବଳକା ରହିଛି। ପୂର୍ବରୁ ଅର୍ପଣ ଚାଉଳରେ ମହାପ୍ରସାଦ ପ୍ରସ୍ତୁତ କରି ବାଣ୍ଟିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ମହାପ୍ରସାଦ ପ୍ରସ୍ତୁତ କରି ଚାରିଦ୍ବାରରେ ବଣ୍ଟାଯାଉଥିଲା। କିନ୍ତୁ ସରକାର ବଦଳିବା ପରେ ମହାପ୍ରସାଦ ପ୍ରସ୍ତୁତି ଓ ବଣ୍ଟନ ବନ୍ଦ ହୋଇଯାଇଥିଲା। ଫଳରେ ଚାଉଳ ସବୁ ପଡ଼ିପଡ଼ି ନଷ୍ଟ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!