ଭରତପୁର ମାମଲାର ନ୍ୟାୟିକ ତଦନ୍ତ ଆରମ୍ଭ
ସତ୍ୟପାଠ ଦାଖଲ ପାଇଁ ବିଜ୍ଞପ୍ତି

ଭରତପୁର ଥାନାରେ କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ମାଡ଼ ଘଟଣାର ନ୍ୟାୟିକ ତଦନ୍ତ ପକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ସ୍ପେସାଲ ସର୍କିଟ ହାଉସ୍ର ପ୍ରଥମ ମହଲା ରୁମ ନମ୍ବର ୧୦, ୧୧, ୧୨ ଓ ସମ୍ମିଳନୀ କକ୍ଷରେ କମିସନ କାର୍ଯ୍ୟାଳୟ ହୋଇଛି। ତଦନ୍ତ ପୂର୍ବରୁ ଏହିଠାରେ ଆଜି ପ୍ରାରମ୍ଭିକ ଭାବେ କମିସନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପୁଲିସ ଡିଜି ଵାଇ.ବି ଖୁରାନିଆ, ଅତିରିକ୍ତ ଡିଜି ବିନୟତୋଷ ମିଶ୍ର, କ୍ରାଇମବ୍ରାଞ୍ଚ, ଗୃହ ସଚିବ, ଗୃହ ବିଭାଗର ସ୍ବତନ୍ତ୍ର ସଚିବ, ସୂଚନା ଓ ଲୋକସଂପର୍କ ସଚିବ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ବୈଠକରେ ଯୋଗ ଦେଇଥିଲେ। କମିସନ କେଉଁ ଭଳି ଭାବରେ କାର୍ଯ୍ୟ କରିବ ସେ ବିଷୟରେ ଆଲୋଚନା ହୋଇଛି। ଆସନ୍ତାକାଲି ଭରତପୁର ଥାନା ନିର୍ଯାତନା ଓ ମାଡ଼ ଘଟଣା ମାମଲାରେ ନ୍ୟାୟିକ ତଦନ୍ତ ପାଇଁ ବିଜ୍ଞାପନ ମାଧ୍ୟମରେ ସତ୍ୟପାଠ ଆହ୍ବାନ କରାଯିବ ବୋଲି କମିସନଙ୍କ ସଚିବ ଶୁଭେନ୍ଦ୍ର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
କମିସନ ସଚିବଙ୍କ ସୂଚନା ଅନୁସାରେ ଯେଉଁମାନେ ଏହି ମାମଲାରେ ଜଡ଼ିତ ଏବଂ ଏଥିରେ ଯେଉଁ ଆରୋପ ପ୍ରତ୍ୟାରୋପ ହୋଇଛି ସେ ସଂପର୍କରେ ସତ୍ୟପାଠ ଆହ୍ବାନ କରାଯିବ।
ବିଜ୍ଞାପନ ଅନୁଯାୟୀ ପକ୍ଷ ଓ ପ୍ରତିପକ୍ଷ ୨୧ ଦିନ ମଧ୍ୟରେ ସତ୍ୟପାଠ ଜରିଆରେ ତାଙ୍କ ବକ୍ତବ୍ୟ ରଖିପାରିବେ। ଏହାଛଡା ସାଧାରଣ ବ୍ୟକ୍ତିବିଶେଷ ଚାହିଁଲେ ଏହି ବିଷୟରେ ମଧ୍ୟ ସତ୍ୟପାଠ ଜରିଆରେ କମିସନଙ୍କୁ ଜଣାଇ ପାରିବେ। ଧାର୍ଯ୍ୟ ସମୟ ମଧ୍ୟରେ ସବୁ ସତ୍ୟପାଠ ଆସିଲା ପରେ ସେସବୁର ଯାଞ୍ଚ କରାଯିବ। ଯାଞ୍ଚ ପରେ କମିସନ ଯେଉଁମାନଙ୍କୁ ଡାକିବାକୁ ଚାହିଁବେ ସେମାନଙ୍କୁ ସମନ କରାଯିବ। ବିଭିନ୍ନ ପ୍ରକ୍ରିୟା ସରିବା ପରେ କମିସନ ତାଙ୍କ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବେ। ଅନ୍ୟ ଏକ ଘଟଣାକ୍ରମରେ ଏହି ମାମଲାରେ ନିଲମ୍ବିତ ୫ ପୁଲିସ କର୍ମଚାରୀ ଆଜି ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ଅପରପକ୍ଷରେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି। ସତ-ମିଛ ପରୀକ୍ଷା ପାଇଁ ୫ଜଣ ପୁଲିସ କର୍ମଚାରୀ ଗୁଜରାଟ ଯାଇଛନ୍ତି। ଗାନ୍ଧୀନଗରସ୍ଥିତ ଷ୍ଟେଟ ଫରେନସିକ୍ ଲାବରେଟୋରିରେ ଭରତପୁର ଥାନାର ପୂର୍ବତନ ତଥା ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ତିନିଜଣ ମହିଳା ପୁଲିସ କର୍ମଚାରୀଙ୍କ ସମେତ ଜଣେ ସ୍ବାଧୀନ ସାକ୍ଷୀଙ୍କର ଆଜି ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସତମିଛ ପରୀକ୍ଷା ଯାଞ୍ଚ ପାଇଁ ତଦନ୍ତକାରୀ ଅଫିସର ସ୍ବତନ୍ତ୍ର ପ୍ରଶ୍ନାବଳୀ ପ୍ରସ୍ତୁତ କରିଛନ୍ତି। ପରୀକ୍ଷା ପୂର୍ବରୁ କେତେଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି। ପରୀକ୍ଷା ସରିବା ପରେ କ୍ରାଇମବ୍ରାଞ୍ଚ ଏ ସଂପର୍କିତ ତଥ୍ୟ ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟର ଦାଖଲ କରିବ।


