ରାଜ୍ୟଶୀର୍ଷ ଖବର
Trending

କନ୍ଧମାଳ ମୁହାଁ ଲାଲ ବାହିନୀ I

କନ୍ଧମାଳ-ଗଜପତି ଜିଲ୍ଲା ସୀମାନ୍ତ ପାଲଟିଛି ଲାଲଗଡ଼ I ଜିଲ୍ଲାରେ କେନ୍ଦ୍ରୀୟ ବାହିନୀର ୨୦ କ୍ୟାମ୍ପ୍‌, କମ୍ବିଂ ଜାରି ରହିଛି: ଏସ୍‌ପି 

ଫୁଲବାଣୀ:  ମାଓ କବଜାରେ କନ୍ଧମାଳ   ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଉଥିବା ବେଳେ କନ୍ଧମାଳ ଜିଲ୍ଲାରେ କିନ୍ତୁ ବଢ଼ିବାରେ ଲାଗିଛି। କହିବାକୁ ଗଲେ ଏବେ  ଜିଲ୍ଲାକୁ ଚାରିପଟେ ଲାଲ୍‌ବାହିନୀ ଘେରି ରହିଛନ୍ତି। ଗୋଟିଏ ପଟେ କନ୍ଧମାଳ-ବୌଦ୍ଧ ସୀମାନ୍ତ କଣ୍ଟାମାଳ, ଗୋଛାପଡ଼ା, ଲୁଇସିଂ, ବାଲନ୍ଦାପଡ଼ା, ପାଇରାଜୁ, ସାଡ଼ିଙ୍ଗିଆ ଅଞ୍ଚଳରେ ମାଓବାଦୀ ସକ୍ରିୟ ରହିଥିବା ବେଳେ ଅନ୍ୟପଟେ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ତୁମୁଡ଼ିବନ୍ଧ ବ୍ଲକର ବେଲଘର, ସିର୍ଲା, ମୁଣ୍ଡିଗଡ଼, ଭଣ୍ଡରଙ୍ଗି, ବାଲିଗୁଡ଼ାର ଖମନଖୋଲ, ବାରଖମା, କନ୍ଧମାଳ-ରାୟଗଡ଼ା ଜିଲ୍ଲା ସୀମାନ୍ତବର୍ତ୍ତୀ ଇଲାକା କୋଟଗଡ଼ର ଦୁର୍ଗାପାଙ୍ଗା, ସୁବର୍ଣ୍ଣଗିରି ଏବଂ କନ୍ଧମାଳ-ଗଜପତି ଜିଲ୍ଲା ସୀମାନ୍ତ ଇଲାକା ଦାରିଙ୍ଗିବାଡ଼ିର ବ୍ରାହ୍ମଣୀଗାଁ, ମୋହନା, ଅଡ଼ବା ଜଙ୍ଗଲରେ ବି ମାଓବାଦୀ ଏବେ ସକ୍ରିୟ ରହିଛନ୍ତି।                                                                                         

କନ୍ଧମାଳକୁ ମାଓମୁକ୍ତ ଜିଲ୍ଲା ଘୋଷଣା କରିବାକୁ ପୁଲିସ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଥିବା ବେଳେ ଗୋଟିଏ ପରେ ଗୋଟିଏ ମାଓବାଦୀ କାର୍ଯ୍ୟକଳାପ ପୁଲିସର ଯୋଜନାକୁ ଧୂଳିସାତ୍‌ କରିଦେଉଛି। ମାଓ ଦମନ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ସିଆର୍‌ପିଏଫ୍‌ ଏବଂ ଓଡ଼ିଶା ପୁଲିସର ଏସ୍‌ଓଜି ଯବାନଙ୍କୁ କନ୍ଧମାଳରେ ନିୟୋଜିତ କରାଯାଇଥିଲା। ଏହା ପରେ ସିଆର୍‌ପିଏଫ୍‌ ସମେତ ବିଏସ୍‌ଏଫ୍‌ ଏବଂ ଡିଭିଏଫ୍‌ ଫୋର୍ସଙ୍କୁ ନିୟୋଜିତ କରାଯାଇଛି।  ଜିଲ୍ଲାରେ ପାଖାପାଖି ୨୦ଟି ସ୍ଥାନରେ ବିଏସ୍‌ଏଫ୍‌ ଏବଂ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ କାର୍ଯ୍ୟ କରୁଛି। ଏଭଳି କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ମାଓବାଦୀ ସକ୍ରିୟ ରହିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି। ଛତିଶଗଡ଼ରେ ମାଓ ଦମନକୁ ତୀବ୍ର କରାଯାଉଥିବାରୁ ସେଠାକାର ମାଓବାଦୀ କନ୍ଧମାଳକୁ ଚାଲି ଆସୁଛନ୍ତି। କନ୍ଧମାଳ ଏବଂ ଏହାର ସୀମାନ୍ତ ଜଙ୍ଗଲ ଛତିଶଗଡ଼ି ମାଓବାଦୀଙ୍କୁ ସୁହାଉଥିବାରୁ ସେମାନେ ବି ଏଠି ଡେରା ପକାଇଲେଣି। ବିଶେଷକରି କନ୍ଧମାଳ-ବୌଦ୍ଧ, କନ୍ଧମାଳ-ରାୟଗଡ଼ା ଏବଂ କନ୍ଧମାଳ କଳାହାଣ୍ଡି ସୀମାରେ କେକେବିଏନ୍‌ ଓ ବଂଶଧାରା-ଘୁମୁସର-ନାଗାବଳି ମାଓ ଗୋଷ୍ଠୀ ନିଜର ଉପସ୍ଥିତି ଜାରି ରଖିଛନ୍ତି। ମାଓ କମାଣ୍ଡର ନିଖିଲ ଏହି ଦୁଇ ମାଓ ଡିଭିଜନର ନେତୃତ୍ବ ନେଉଛନ୍ତି। ଏଣୁ ମାଓନେତା ନିଖିଲ ଏବେ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ପାଲଟିଛି।

ଗତ ଚାରି ବର୍ଷ ମଧ୍ୟରେ ମାଓବାଦୀମାନେ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ଅନେକ ଅଘଟଣ ଘଟାଇ ସାରିଲେଣି।  ଗୋଟିଏ ସ୍ଥାନରେ କମ୍ବିଂ ଅପରେସନ୍‌ କରାଯାଇ ମାଓ କ୍ୟାମ୍ପ୍‌ ଧ୍ବଂସ କରାଯାଉଥିବା ଅନ୍ୟ ଅଞ୍ଚଳରେ ଏମାନେ ନିଜ ଉପସ୍ଥିତି ଜାହିର କରୁଛନ୍ତି। ଆଗକୁ ଶୀତଋତୁ ଆସୁଥିବାରୁ ଜିଲ୍ଲାର ସମସ୍ତ ସୀମାବର୍ତ୍ତୀ ଘଞ୍ଚ ଜଙ୍ଗଲମାନଙ୍କରେ ମାଓବାଦୀ ସକ୍ରିୟ ରହିବେ ବୋଲି ପୂର୍ବାନୁମାନ କରାଯାଉଛି। ତେବେ ମାଓ ମୁକାବିଲା ପାଇଁ ପୁଲିସ ସର୍ବଦା ପ୍ରସ୍ତୁତ ଅଛି ଏବଂ କମ୍ବିଂ ଅପରେସନ ଜାରି ରହିଛି ବୋଲି କନ୍ଧମାଳ ଏସ୍‌ପି ହରିଶ ବିସି ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!