ଆଜିକାଲି ବ୍ରେନଷ୍ଟ୍ରକ ର ଡର । ପୂର୍ବରୁ ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ଦେଖା ଦେଉଥିବା ଏହି ସମସ୍ୟା ଏବେ ଯୁବବର୍ଗଙ୍କୁ ଗ୍ରାସ କରିବାକୁ ବସିଛି। ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନର ଆକଳନ ଅନୁଯାୟୀ, ପ୍ରତି ବର୍ଷ ଦେଢ କୋଟିରୁ ଉର୍ଦ୍ଧ୍ଵ ଲୋକ ବ୍ରେନ୍ ଷ୍ଟ୍ରୋକ୍ର ଶିକାର ହେଉଛନ୍ତି। ଏଥିରେ ପ୍ରାୟ ୫୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ତେଣୁ ବ୍ରେନ୍ ଷ୍ଟ୍ରୋକ୍ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ବିଶ୍ଵ ଷ୍ଟ୍ରୋକ୍ ଦିବସ ପାଳନ କରାଯାଉଛି।
୨୦୦୪ ଅକ୍ଟୋବର ୨୯ ତାରିଖରେ ବିଶ୍ଵ ଷ୍ଟ୍ରୋକ୍ ଦିବସ ପାଳନ କରାଯାଇଥିଲା। କାନାଡାରେ ୱାର୍ଲ୍ଡ ଷ୍ଟ୍ରୋକ୍ କଂଗ୍ରେସ ଏହି ଦିବସ ପ୍ରଥମେ ପାଳନ କରିଥିଲା। ଦୁଇ ବର୍ଷ ପରେ ୨୦୦୬ରେ ଏହି ଦିନଟିକୁ ବୈଶ୍ଵିକ ସ୍ତରରେ ଜନ ଜାଗରଣ ପାଇଁ ଘୋଷଣା କରାଗଲା। ଏହି ବର୍ଷ ୱାର୍ଲ୍ଡ ଷ୍ଟ୍ରୋକ୍ ଫେଡେରେସନ ଏବଂ ଅନ୍ତର୍ଜାତୀୟ ଷ୍ଟ୍ରୋକ୍ ସୋସାଇଟିର ବିଲୟରେ ୱାର୍ଲ୍ଡ ଷ୍ଟ୍ରୋକ୍ ସଙ୍ଗଠନର ସ୍ଥାପନ କରାଗଲା। ସେବେଠାରୁ ବିଶ୍ଵ ଷ୍ଟ୍ରୋକ୍ ସଙ୍ଗଠନ ବିଭିନ୍ନ ପ୍ଲାଟଫର୍ମରେ ଏହି ଦିବସ ପାଳନ କରୁଛି। ଚଳିତ ବର୍ଷର ଥିମ୍ #GreaterThanStroke ରଖାଯାଇଛି।
ବ୍ରେନ୍ ଷ୍ଟ୍ରୋକ୍ ଏକ ଗମ୍ଭୀର ସମସ୍ୟା। ଏହା ଦ୍ଵାରା ମସ୍ତିଷ୍କର ଯେକୌଣସି ଅଂଶରେ ରକ୍ତ ସଞ୍ଚାଳନରେ ଅବରୋଧ କିମ୍ବା ରକ୍ତ ଯୋଗାଣ ହ୍ରାସ ହେତୁ ମସ୍ତିଷ୍କର ଯେକୌଣସି ଅଂଶ ଡେଡ୍ ହୋଇଯାଏ। ଏହାର ଚିକିତ୍ସା ଠିକ୍ ସମୟରେ କରାନଗଲେ ବିକଳାଙ୍ଗର ଶିକାର ହୋଇପାରନ୍ତି। ଏହା ଅତି ଗମ୍ଭୀର ହେଲେ ରୋଗୀର ମୃତ୍ୟୁ ହୋଇଥାଏ।
