ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ ପୁଣି ବାତ୍ୟାର ସମୀକ୍ଷା କରିଛନ୍ତି। ଏନେଇ ସେ ଏକ ବୈଠକ କରିଛନ୍ତି। ଏଥିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ଓ୍ବାଇ ବି ଖୁରାନିଆ ଓ ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରମୁଖ ଉପସ୍ଥିତ ଅଛନ୍ତି। ବାତ୍ୟା ‘ଦାନା’ ଦ୍ବାରା ପ୍ରଭାବିତ ହେବାକୁ ଥିବା ୧୧ଟି ଜିଲ୍ଲା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାପାଳଙ୍କ ସହିତ ବାତ୍ୟା ମୁକାବିଲା ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆଲୋଚନା କରିଛନ୍ତି। ଗତକାଲି ପୂର୍ବାହ୍ନରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏବଂ ବିଳମ୍ବିତ ରାତିରେ ଏସ୍ଆର୍ସିଙ୍କ କାର୍ଯ୍ୟାଳୟରେ ସ୍ଥିତି ସମୀକ୍ଷା କରିଥିଲେ। ଲୋକଙ୍କୁ ଆଶ୍ବାସନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଯେଉଁ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ନେଇ ବାତ୍ୟା ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଥିଲେ ତାହା ଶତ ପ୍ରତିଶତ କାର୍ଯ୍ୟକାରୀ କରାଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ମିଳିତ ପ୍ରୟାସରେ ଆମେ ସମସ୍ତେ ମିଶି ଏ ବାତ୍ୟାର ସଫଳ ମୁକାବିଲା କରିବା। ଆପଣ ସମସ୍ତେ ନିଶ୍ଚିତ ରୁହନ୍ତୁ, ଭୟଭୀତ ନହୋଇ ସଚେତନ ରୁହନ୍ତୁ, ସରକାର ଆପଣଙ୍କ ସୁରକ୍ଷା ପାଇଁ ଅଛନ୍ତି।




