
ବିଜେଡି ସହ ସମ୍ପନ୍ନ ଛିନ୍ନ କଲେ ଅମର ଶତପଥୀ। କହିଲେ , ‘ମୁଁ ଆଉ ବିଜେଡିରେ ନାହିଁ । ଏବେ ସକ୍ରିୟ ରାଜନୀତିରୁ ବି ବିରତି ନେଇଛି’ । ଦଳର ସଦସ୍ୟତା ନବୀକରଣ କରିନଥିବାରୁ ଟେକ୍ନିକାଲ ଭାବେ ବିଜେଡିରେ ନଥିବା କହିଛନ୍ତି ଅମର। ଅମରଙ୍କ ଏଭଳି ବୟାନ ପରେ ତାଙ୍କର ବିଜେପି ଯିବା ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ଦେଲେ ପ୍ରତାପ ଷଡଙ୍ଗୀ । କହିଲେ , ଶୀର୍ଷ ନେତୃତ୍ୱ ନେବେ ନିଷ୍ପତ୍ତି ।
ପୋଲ ଖୋଲିବା ପରେ ବଡ଼ଚଣାର ପୂର୍ବତନ ବିଧାୟକ ଅମର ଶତପଥୀଙ୍କୁ ସିଧାସଳଖ ନିଶାନା କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ଶ୍ୱାସରୁଦ୍ଧ ହୋଇଥିଲେ ଦଳ ଛାଡ଼ି ଚାଲିଯିବାକୁ ଅମର ଶତପଥୀଙ୍କୁ ପରାମର୍ଶ ଦେଇଛନ୍ତି ଲେନିନ। କହିଛନ୍ତି, ପୂର୍ବରୁ ସେ ତାଙ୍କ ପୁତୁରାଙ୍କୁ ବିଜେପିକୁ ପଠାଇଛନ୍ତି, ସେ ଲାଇନରେ ଅଛନ୍ତି। ସେ ଦଳ ଛାଡ଼ିଲେ ପଇସା ଟାରେ ବି ପ୍ରଭାବ ପଡ଼ିବନି। ଦଳ ତାଙ୍କୁ ପରିଚୟ ଦେଇଛି, ସ୍ଥିତି ଦେଇଛି। କିନ୍ତୁ ସେ ଏବେ ଦଳ ବିରୁଦ୍ଧରେ କହୁଛନ୍ତି। ଯେଉଁ ମାନେ ବିଜେପି ଯାଇଛନ୍ତି ସେମାନଙ୍କ ସ୍ଥିତି କ’ଣ ସମସ୍ତେ ଜାଣିଥିବା କହି ଅମର ଶତପଥୀଙ୍କୁ ଟାର୍ଗେଟ୍ କରିଛନ୍ତି ଲେନିନ।
ବିଜେଡି ଛାଡ଼ିବା ନେଇ ଅମର ଶତପଥୀଙ୍କ ବୟାନ ପରେ ଆଗକୁ ବିଜେପି ଯିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ପ୍ରତିକ୍ରିୟା ରଖିଛି ବିଜେପି। ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, ଅମରଙ୍କ ସମ୍ପର୍କରେ ନିଷ୍ପତ୍ତି ନେବେ ଶୀର୍ଷ ନେତୃତ୍ବ। ବିଜେଡିର ଅବସ୍ଥା କ’ଣ, ତାହା ଏବେ ପ୍ରତିଦିନ ଦେଖିବାକୁ ମିଳୁଛି। ବୁଡ଼ିଗଲା ଡଙ୍ଗାର ନାଆ ତଳକୁ ତଳକୁ ଯାଉଥିବା ଅବସ୍ଥା ବର୍ତ୍ତମାନ ବିଜେଡିର। ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଏବେ ଯାଇ ସାରିଲେଣି। ସେ ଦଳରେ ଗଣତନ୍ତ୍ର ନାହିଁ। ସେଠି କ୍ଷମତା ବଳରେ ଏତେ ଲୋକଙ୍କୁ ଏକଜୁଟ କରି ରଖାଯାଇଥିଲା। କ୍ଷମତା ଯିବା ମାତ୍ରେ ସେ ଦଳ ୱାଇଣ୍ଡିଂ ହେଉଛି। ସେ ଦଳରେ ମେରୀ ରାୟ ଶାସନ ଚାଲିଛି। ତେଣୁ ସେଭଳି ଦଳରେ ତିଷ୍ଠିବା ମୁସ୍କିଲ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ।



