ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଲଡୁ ପ୍ରସାଦରେ ପଶୁଚର୍ବିଯୁକ୍ତ ଅପମିଶ୍ରିତ ଘିଅ ବ୍ୟବହାର ହୋଇଥିବା ଅଭିଯୋଗର ପୁନଃତଦନ୍ତ ପାଇଁ ସୁପ୍ରିମ୍କୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ଏକ ରାଜନୈତିକ ନାଟକରେ ପରିଣତ କରାଯିବା ଉଚିତ ନୁହେଁ କହି ବିଶ୍ୱର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଚିନ୍ତା ଦୂର କରିବା ଉଦ୍ଦେଶ୍ୟରେ ସିବିଆଇ ମୁଖ୍ୟଙ୍କ ତତ୍ତ୍ବାବଧାନରେ ଏହି ତଦନ୍ତ ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଭୂଷଣ ଆର୍ ଗବାଇ ଓ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଏକ ୫ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସ୍ଆଇଟିରେ ସିବିଆଇ ଓ ଆନ୍ଧ୍ର ପୁଲିସର ୨ ଜଣ ଲେଖାଏ ଅଧିକାରୀ ଏବଂ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ)ର ଜଣେ ସଦସ୍ୟ ରହିବେ। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ନୂତନ ତଦନ୍ତ ପାଇଁ ଆଦେଶ ରାଜ୍ୟ ସରକାରଙ୍କ ତଦନ୍ତ କମିଟି ସଦସ୍ୟଙ୍କ ସ୍ୱାଧୀନତା କିମ୍ବା ନିରପେକ୍ଷତାକୁ ନେଇ କେତେକ ଆବେଦନକାରୀ କରିଥିବା ଅଭିଯୋଗ ଉପରେ ଆଧାରିତ ନୁହେଁ। କୋଟି କୋଟି ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ଆମେ ଏହି କମିଟି ଗଠନ କରିଛୁ ବୋଲି ଅଦାଲତ କହିଛନ୍ତି।ପୂର୍ବ ତଦନ୍ତ ସମୟରେ ଦିଆଯାଇଥିବା ପରସ୍ପରବିରୋଧୀ ରିପୋର୍ଟ ଓ ସାର୍ବଜନୀନ ବୟାନକୁ ନେଇ ଖଣ୍ଡପୀଠ ଉଦ୍ବେଗ ପ୍ରକାଶ କରିବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି। ସେପ୍ଟେମ୍ବର ୩୦ ତାରିଖ ଶୁଣାଣିରେ କୋର୍ଟ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କୁ ତଦନ୍ତ ସରିବା ପୂର୍ବରୁ ଅଭିଯୋଗ ସାର୍ବଜନୀନ କରିଥିବାରୁ କଡ଼ା ସମାଲୋଚନା କରିଥିଲେ। ଗତ ସେପ୍ଟେମ୍ବର ୧୮ ତାରିଖରେ ନାଇଡୁ ପୂର୍ବତମ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ଲଡୁ ପ୍ରସାଦ ତିଆରିରେ ପଶୁଚର୍ବି ସମେତ ନିମ୍ନମାନର ଉପାଦାନ ବ୍ୟବହାର କରିବାକୁ ଅନୁମତି ଦେଇଥିବା ଅଭିଯୋଗ ଆଣିଥିଲେ। ଏହି ଦାବିକୁ ନେଇ ସମଗ୍ର ଆନ୍ଧ୍ରପ୍ରଦେଶରେ ପ୍ରତିବାଦ ଆରମ୍ଭ ହୋଇଥିଲା। କିନ୍ତୁ ରେଡ୍ଡୀ ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ଓ ମିଥ୍ୟା ବୋଲି କହି ଖଣ୍ଡନ କରିଥିଲେ।
Related Articles
ପ୍ରତି ଗାଁରେ ହେବ ଓମ୍ଫେଡ ଷ୍ଟଲ
November 9, 2024
ମହିଳା ସରପଂଚ ଙ୍କୁ ଅନାସ୍ଥା ଭୟ ବିଷପି ଆତ୍ମହତ୍ୟା ଉଦ୍ୟମ !
November 11, 2024
ଆଜି ମହାପ୍ରଭୁଙ୍କ ହରିହର ବେଶ
November 4, 2024
Check Also
Close
-
ଧାମରା ବାସୀଙ୍କ ସାହା ମା ଧାମରାଇ !October 24, 2024
