ଶ୍ରୀକ୍ଷେତ୍ରସଂସ୍କୃତି
Trending

ଶ୍ରୀକ୍ଷେତ୍ର ରେ ହବିଷ୍ୟାଳି ଙ୍କ ପାଇଁ ନାହିଁ ଜାଗା !କାନ୍ଦୁଛନ୍ତି ବଡ଼ଦାଣ୍ଡରେ ”ମହାପ୍ରଭୁ ”ଭରସା I

କାର୍ତ୍ତିକ ବ୍ରତ କରିବାକୁ ଆସି ଶ୍ରୀକ୍ଷେତ୍ରରୁ କାନ୍ଦି କାନ୍ଦି ଫେରିଗଲେ ବ୍ରତଧାରୀ I ପ୍ରଶାସନ ଚୁପ

 

ପ୍ରତିବର୍ଷ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହବିଷ୍ୟାଳୀ ମା’ମାନେ ପୁରୀ ଆସିଥା’ନ୍ତି। ଅନେକ ବ୍ରତଧାରୀମାନେ ନିଜସ୍ୱ ଖର୍ଚ୍ଚରେ ବିଭିନ୍ନ ମଠ, ମନ୍ଦିର, ଧର୍ମଶାଳା ଏବଂ କେହି କେହି ସମ୍ପର୍କୀୟଙ୍କ ଘରେ ରହିଥା’ନ୍ତି। ସେହିପରି ଅର୍ଥାଭାବରୁ ଅନେକ ହବିଷ୍ୟାଳୀ ସେମାନଙ୍କର ଆଶାକୁ ମନରେ ମାରି ଘରେ ରହିଥାଆନ୍ତି। ହବିଷ୍ୟାଳୀ ମା’ମାନେ କିପରି ମାଗଣାରେ ରହି ବ୍ରତ ପାଳନ କରିବେ ସେଥିଲାଗି ୨୦୧୬ରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହବିଷ୍ୟାଳୀ ଯୋଜନା ଆରମ୍ଭ କରିଥିଲେ। ପ୍ରତିବର୍ଷ ଏହି ଯୋଜନାରେ ହବିଷ୍ୟାଳୀମାନେ ମାଗଣାରେ ପୁରୀରେ ରହି ହବିଷ କରୁଥିଲେ। ୨୦୨୩ରେ ପ୍ରାୟ ୩,୨୦୦ ବ୍ରତଧାରୀ ଏହି ଯୋଜନାରେ ସାମିଲ ହୋଇଥିଲେ

ଆଶା ଥିଲା ଧର୍ମ ମାସ କାର୍ତ୍ତିକରେ ଶ୍ରୀକ୍ଷେତ୍ରରେ କଳା ଠାକୁରଙ୍କ ସାନ୍ନିଧ୍ୟରେ ରହି ହବିଷ କରିବେ। ତୀର୍ଥପୁଷ୍କରିଣୀରେ ସ୍ନାନ ସାରି ରାଇ ଦାମୋଦରଙ୍କୁ ପୂଜା କରିବେ। ମହାପ୍ରସାଦ ସେବନ କରି ସନ୍ଧ୍ୟାରେ ତୁଳସୀ ଚଉରା ମୂଳେ ଆକାଶଦୀପ ଟାଣିବେ। ଏଥିପାଇଁ ପୁରୀକୁ ଛୁଟି ଆସିଥିଲେ ଶହ ଶହ ହବିଷ୍ୟାଳୀ ମା’। ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଯୋଜନାରେ ପଞ୍ଜୀକରଣ କାଗଜ ଧରି ରହଣି କେନ୍ଦ୍ରରେ ପହଞ୍ଚିଥିଲେ। ହେଲେ ସେଠାରେ ସେମାନଙ୍କ ଆବେଦନ ଖାରଜ ହୋଇଥିବା କହି ତଡ଼ି ଦିଆଗଲା। ଗୁରୁବାର ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବୃନ୍ଦାବତୀ ନିବାସ ନିକଟରେ। ହବିଷ୍ୟାଳୀ ଯୋଜନାରୁ ବଞ୍ଚିତ ହୋଇ ଶତାଧିକ ବ୍ରତଧାରୀ ଲୁହଭରା ଆଖି ଆଉ କୋହଭରା ହୃଦୟରେ ଅବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କ ଉପରେ ରୋଷ ଓ କ୍ରୋଧ ଉଗାରି ଗାଁକୁ ଫେରି ଯାଇଛନ୍ତି। ଆଉ କିଛି ହବିଷ୍ୟାଳୀ କାଳେ ସରକାର ଦୟାପରବଶ ହୋଇ ସେମାନଙ୍କୁ ବୃନ୍ଦାବତୀ ଭବନରେ ସ୍ଥାନ ଦେବେ, ସେହି ଆଶାରେ ରାତି ପର୍ଯ୍ୟନ୍ତ ନିବାସ ଆଗରେ ବସି ରହିଛନ୍ତି। ଧର୍ମମାସ କାର୍ତ୍ତିକରେ ରାଜ୍ୟର ଶହଶହ ବୟସ୍କା ବୃଦ୍ଧା ମା’ମାନଙ୍କ ପ୍ରତି ସରକାରଙ୍କ ଏପରି ଆଚରଣ ବିିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ରତଧାରୀ ମା’ମାନଙ୍କ ଆଖିରୁ ଲୁହ ଝରାଇ ସରକାର କେଉଁ ଯଶବାନା ଉଡ଼ାଇବେ ବୋଲି ଅନେକ ପ୍ରଶ୍ନ କରିଛନ୍ତି।

ଚଳିତ ବର୍ଷ ନୂଆ ସରକାର ବହୁ ବିଳମ୍ବରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ହବିଷ୍ୟାଳୀଙ୍କ ସଂଖ୍ୟା ୩୨୦୦ରୁ ୨,୫୦୦କୁ ହ୍ରାସ କରିଥିଲେ। ପୂର୍ବବର୍ଷ ହବିଷ୍ୟାଳୀଙ୍କ ପାଇଁ ୫ଟି ସ୍ଥାନରେ ରହଣି ବ୍ୟବସ୍ଥା ହୋଇଥିବାବେଳେ ଚଳିତ ବର୍ଷ (ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର, ବଗଲା ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପ) ୪ଟି ସ୍ଥାନରେ ରହଣି କେନ୍ଦ୍ର କରିଥିଲେ। ଏହି ଯୋଜନାରେ ସାମିଲ ହେବା ପାଇଁ ଅକ୍ଟୋବର ୬ରୁ ୧୧ ତାରିଖ ମଧ୍ୟରେ ଅନ୍‌ଲାଇନରେ ନାଁ ପଞ୍ଜୀକରଣ ନିମନ୍ତେ ବ୍ୟବସ୍ଥା ଥିଲା। ମାତ୍ର ପ୍ରଥମ ଦିନ ୩,୬୫୦ ଜଣ ଆବେଦନ କରିବା ପରେ ସେହିଦିନ ଆବେଦନ ପୋର୍ଟାଲ ବନ୍ଦ କରାଯାଇଥିଲା। ମାତ୍ର କେଉଁ ଆବେଦନକାରୀଙ୍କୁ ଯୋଜନାରେ ସାମିଲ କରାଗଲା, ସେ ସମ୍ପର୍କରେ କୌଣସି ସୂଚନା ଦିଆଗଲା ନାହିଁ। ତେଣୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆବେଦନ କରିଥିବା ହବିଷ୍ୟାଳୀ ମା’ମାନେ ହବିଷ ଲାଗି ପୁରୀରେ ପହଞ୍ଚିଲେ ଓ ସବୁଠୁ ଅଧିକ ରହଣି ବ୍ୟବସ୍ଥା ହୋଇଥିବା ବୃନ୍ଦାବତୀ ନିବାସ ସମ୍ମୁଖରେ ଗୁରୁବାର ସକାଳୁ ବ୍ରତଧାରୀଙ୍କ ଭିଡ଼ ଜମିଥିଲା। ମାତ୍ର ସେଠାରେ ହବିଷ୍ୟାଳୀ ମା’ ମାନଙ୍କୁ ରହିବାକୁ ଅନୁମତି ମିଳିଲା ନାହିଁ। ଅଧିକାଂଶଙ୍କ ପଞ୍ଜିକରଣ ରସିଦ୍‌ରେ ‘ରିଜେକ୍ଟ’ ଲେଖି ଫେରାଇ ଦିଆଗଲା। କାହିଁକି ସେମାନଙ୍କର ପଞ୍ଜିକରଣ ରିଜେକ୍ଟ କରାଗଲା ସେ ସମ୍ପର୍କରେ ମଧ୍ୟ କୌଣସି ସୂଚନା ଦିଆଯାଇ ନ ଥିଲା। ଫଳରେ ଫାଟକ ବାହାରେ ହବିଷ୍ୟାଳୀ ମା’ମାନେ ଅଖିଆ ଅପିଆ ଧାରଣା ଦେଇଥିଲେ; ତଥାପି ସରକାର ବା ପ୍ରଶାସନର ହୃଦୟ ତରଳିଲା ନାହିଁ। ସେମାନଙ୍କୁ ବୁଝାଇବା ପାଇଁ ସରକାରଙ୍କ ପ୍ରତିନିଧି ବା ସରକାରୀ ଅଧିକାରୀ ବି ଆସିଲେ ନାହିଁ। ଏହା ହବିଷ୍ୟାଳୀ ମା’ଙ୍କ ଦୁଃଖକୁ ଆହୁରି ବଢ଼ାଇଦେଲା। ସେମାନେ ଶେଷରେ ରାସ୍ତାକୁ ଓହ୍ଲାଇଲେ। ସାଥୀରେ ଧରି ଆସିଥିବା ବିଛଣା ଓ ଆସବାବପତ୍ର ଧରି ରାସ୍ତାରେ ବସିଲେ। ପୁଲିସ ଆସି ସେମାନଙ୍କୁ ରାସ୍ତାରୁ ଉଠାଇ ଦେଲା ସିନା, ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୃନ୍ଦାବତୀ ନିବାସ ସମ୍ମୁଖରେ ବସିଥିବା ଦେଖିବାକୁ ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!