ଅମୂଲମୂଲ ଅବଢ଼ା, ତିନିଗୁଣା ବଢ଼ିଲାଣି ଶୁଖିଲି ଭୋଗ ଦର; ନିରାଶ ଭକ୍ତ…
କାର୍ତ୍ତିକରେ ଡରାଇଲାଣି ମହାପ୍ରସାଦ ଦର
ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତର ଇଚ୍ଛା ଜଗା ଦର୍ଶନ, ମହାପ୍ରସାଦ ସେବନ। ହେଲେ ଶଙ୍ଖୁଡ଼ି ହେଉ କି ଶୁଖିଲି, ଯେକୌଣସି ଭୋଗ କିଣିଲା ବେଳକୁ ରେଟ୍ ଶୁଣି ଭକ୍ତର ମୁଣ୍ଡ-କାନ ଝାଇଁ ମାରିଯାଉଛି। ସବୁ ଦର ହଠାତ୍ ତିନି ଗୁଣା ଉଚ୍ଚା। କେବଳ ଓମଫେଡ୍ ଘିଅରେ ଭୋଗ ପ୍ରସ୍ତୁତ ହେଉଥିବାରୁ କିଛି କରିହେବନି କହି ମହାସୁଆର ନିଯୋଗ ହାତ ଟେକି ଦେଇଥିବାବେଳେ ରାଜ୍ୟ ସରକାର କହିଛନ୍ତି- ଶ୍ରୀମନ୍ଦିରର ଶୁଦ୍ଧତା ସହ ଆଦୌ ସାଲିସ୍ କରାଯିବନି। ଅବଢ଼ା ଅମୂଲ ମୂଲ । କିଣି ହେଉନି ଶୁଖିଲି ଭୋଗ । ଶ୍ରୀମନ୍ଦିରରେ ଜଗା ଦର୍ଶନ ସାରି ଆନନ୍ଦ ବଜାରକୁ ମହାପ୍ରସାଦ ଟିକେ ପାଇବାକୁ ଆସିଲା ବେଳକୁ ଚଢ଼ା ରେଟ୍ ଶୁଣି ଭକ୍ତ ଛାନିଆ। ଯେଉଁଠି ଶହେ ଟଙ୍କା ଦେଲେ ଅନ୍ନ, ଡାଲି ଓ ବେସର ଟିକେ ମିଳୁଥିଲା, ଏବେ ତାହା ୨ଶହ ଟଙ୍କା ଉପରେ। ଶୁଖିଲି ଭୋଗ ଭାବେ ପିଠା, ଖଜା ରେଟ୍ ତିନି ଗୁଣା ଉଚ୍ଚା। ଆଗରୁ ୫ଟଙ୍କାରେ ମିଳୁଥିବା ଖଜା ଏବେ ୧୫ ଟଙ୍କା, ୧୫ଟଙ୍କିଆ ପିଠା ୩୦ ଟଙ୍କା ତ ୩୦ ଟଙ୍କିଆ ଅମାଲୁ ୫୦ଟଙ୍କାରେ ବିକ୍ରି ହେଉଛି। ଧର୍ମ ମାସ କାର୍ତ୍ତିକ ମାସ ଆରମ୍ଭ ନହେଉଣୁ ଆନନ୍ଦ ବଜାରରେ ଏଭଳି ଆକାଶ ଛୁଆଁ ଦର ବୃଦ୍ଧିକୁ ନେଇ ସାଧାରଣ ଭକ୍ତ ନିରାଶ ହୋଇଥିବାବେଳେ ବରିଷ୍ଠ ସେବାୟତ ବି ଏହାକୁ ନାପସନ୍ଦ କରିଛନ୍ତି। କାର୍ତ୍ତିକ ମାସରେ ମହାପ୍ରସାଦର ଆବଶ୍ୟକତା ବଢିବ। ହେଲେ ଏବେଠାରୁ ମହାପ୍ରସାଦ ଓ ଶୁଖିଲି ଭୋଗର ଦର ଭକ୍ତଙ୍କ ମନରେ ଛନକା ପଶେଇଲାଣି। ୭ ବର୍ଷ ତଳର ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିରରେ କେବଳ ଗୋଟିଏ ବ୍ରାଣ୍ଡ ଅର୍ଥାତ ଓମଫେଡର ଶୁଦ୍ଧ ଘିଅ ବ୍ୟବହାର କରାଯାଇପାରିବ । ଘିଅର ଦରବୃଦ୍ଧି ଯୋଗୁଁ ଲୋକଙ୍କୁ ସୁଲଭ ମୂଲ୍ୟରେ ମହାପ୍ରସାଦ ଓ ଅନ୍ୟାନ୍ୟ ଶୁଖୁଲି ଭୋଗ ଯୋଗାଇ ହେଉନାହିଁ। ଚାହିହା ମେଣ୍ଟାଇବାକୁ ଘିଅ ମହଜୁଦ ରଖିପାରୁନି ଓମଫେଡ । ଯାହାର ବିକଳ୍ପ ଭାବରେ ଶ୍ରୀମନ୍ଦିରରେ ବେନାମୀ ଘିଅ ବ୍ୟବହାର କରୁଛନ୍ତି ସେବାୟତ । ତେବେ ତିରୁପତି ଘଟଣା ପରେ ଶ୍ରୀମନ୍ଦିର ଘିଅ ଯାଞ୍ଚ ଦାବି ଉଠିବାରୁ ୭ ବର୍ଷ ତଳର ନିଷ୍ପତ୍ତିକୁ ପୂର୍ଣ୍ଣ କାର୍ଯ୍ୟକାରୀ ଶ୍ରୀମନ୍ଦିର ପ୍ରଶାସନ ତାଗିଦ୍ କରିଛନ୍ତି ।
