ଆଜିଠୁ ସାରା ରାଜ୍ୟରେ ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବ। ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ ଠାରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜିଠୁ ଅର୍ଥାତ ଅକ୍ଟୋବର ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ଚାଲିବ। ସବୁ ନିର୍ବାଚନ ମଣ୍ଡଳିର ବ୍ଲକ ଓ ପୌରାଞ୍ଚଳରେ ପଦଯାତ୍ରା କରାଯିବ ।
ଓଡ଼ିଶାର ସ୍ବାର୍ଥ ପାଇଁ ପଦଯାତ୍ରାରେ ରଣହୁଙ୍କାର ଦେବ ଦଳ। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି, ନାରୀ ନିର୍ଯ୍ୟାତନା ସମେତ ସୁଭଦ୍ରା ଓ ମାଗଣା ବିଜୁଳି ଭଳି ପ୍ରସଙ୍ଗରେ ବିଜେପି ସରକାରର ମିଛ ପ୍ରତିଶୃତି ଲୋକଙ୍କୁ ସଚେତନ କରାଯିବ । ଅକ୍ଟୋବର ୨ରୁ ୬ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଦଳକୁ ମିଳିଥିଲା ବିପୁଳ ଜନସମର୍ଥନ । ଦ୍ବିତୀୟ ପର୍ଯ୍ୟାୟ ପଦଯାତ୍ରା ସହିତ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ବି ଜାରି ରହିବ । ଘରକୁ ଘର ବୁଲି ପଦଯାତ୍ରା ଓ ଅନଲାଇନ ମାଧ୍ୟମରେ ହେଉଛି ସଭ୍ୟ ସଂଗ୍ରହ । ସଭ୍ୟ ସଂଗ୍ରହ ଅଭିଯାନ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇଥିବାବେଳେ ଡିସେମ୍ବର ୯ ତାରିଖ ଯାଏଁ ଚାଲିବ । ଗତଥର ପରି ଚଳିତଥର ଦଳ ଏକ କୋଟିରୁ ଅଧିକ ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି । ପ୍ରଥମ ଦିନ ୨୫ ହଜାରରୁ ଅଧିକ ସଭ୍ୟ ବିଜେଡି ସହ ଯୋଡ଼ି ହୋଇଥିଲେ । ଖୁବଶୀଘ୍ର ସଭ୍ୟ ସଂଗ୍ରହ ପାଇଁ ବ୍ଲକ ଓ ନିର୍ବାଚନ ମଣ୍ଡଳୀରେ କର୍ମଶାଳା ଆୟୋଜନ କରାଯିବ ।


