ଓଡିଶାଦକ୍ଷିଣ ଓଡିଶାରାଜ୍ୟଶୀର୍ଷ ଖବର
Trending

ଜିଲ୍ଲାଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବି: ହଟ୍ଟଗୋଳ ଯୋଗୁ ନିଯୁକ୍ତି ସ୍ଥଗିତ

ଅବିଭକ୍ତ କୋରାପୁଟ ଜିଲ୍ଲାର ପିଲାଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାକୁ ଦାବି

ନବରଙ୍ଗପୁର ପରେ ମାଲକାନଗିରି ଜିଲ୍ଲାରେ ତେଜିଲା ଜିଲ୍ଲାଭିତ୍ତିକ ନିଯୁକ୍ତି। ଜିଲ୍ଲାର ଜନପ୍ରତିନିଧିଙ୍କ ପ୍ରବଳ ବିରୋଧ ଯୋଗୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି। ଯାହାଫଳରେ ଚୁକ୍ତିପତ୍ର ଦେବାକୁ ଆସିଥିବା ଶହେରୁ ଅଧିକ ପ୍ରାର୍ଥୀ ନିରାଶ ହୋଇ ଫେରିଛନ୍ତି। ମାଲକାନଗିରି ଜିଲ୍ଲାରେ ୫୫୫ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ପଦବି ପୂରଣ ନିମନ୍ତେ ଆଜିଠାରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମ ଦିନ ୩୯୦ଜଣ ପ୍ରାର୍ଥୀ ଚୁକ୍ତିପତ୍ର ଦାଖଲ କରିବାକୁ ଡାକରା ପାଇଥିଲେ। ଏଥିପାଇଁ ମାଲକାନଗିରି ସଦର ବୁଟିଗୁଡ଼ା ବିଦ୍ୟାଳୟରେ ଚୁକ୍ତିପତ୍ର ସଂଗ୍ରହ କରାଯାଉଥିଲା। ତେଣୁ ରାଜ୍ୟର ବିଭିନ୍ନ କୋଣରୁ ପ୍ରାର୍ଥୀ ଚୁକ୍ତିପତ୍ର ଦେବାକୁ ଆସିଥିଲେ। ଏହି ଖବର ପାଇବା ପରେ ଜିଲ୍ଲାର ବହୁ ସରପଞ୍ଚ, ସମିତିସଭ୍ୟଙ୍କ ସହ ବିଭିନ୍ନ ସଂଗଠନର ନେତା ପହଞ୍ଚି ହୋହଲ୍ଲା ଆରମ୍ଭ କରିଥିଲେ।

ଅବିଭକ୍ତ କୋରାପୁଟ ଜିଲ୍ଲାର ପିଲାଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାକୁ ଦାବି କରିଥିଲେ। ବାହାର ଜିଲ୍ଲା ପିଲାଙ୍କୁ ମାଲକାନଗିରି ଜିଲ୍ଲାରେ ନିଯୁକ୍ତି ନ ଦେବାକୁ ହଟ୍ଟଗୋଳ ହୋଇଥିଲା। ତେଣୁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ ପହଞ୍ଚି ବୁଝାସୁଝା କରିଥିବା ବେଳେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ସାହୁ ମଧ୍ୟ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ କରିବାକୁ ଦାବି ଜୋର ଧରିବାରୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲା ଶିକ୍ଷା ବିଭାଗ।

ଶେଷ ଖବର ସୁଦ୍ଧା ପ୍ରଥମ ଦିନ ୨୧୫ ପ୍ରାର୍ଥୀଙ୍କ ଚୁକ୍ତିପତ୍ର ସଂଗ୍ରହ ହୋଇଥିବା ସୂଚନା ମିଳିଛି। ଆସନ୍ତାକାଲି ମଧ୍ୟ ଚୁକ୍ତିପତ୍ର ସଂଗ୍ରହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ସୁଦ୍ଧା ହୋହଲ୍ଲାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ କରାଯାଇଛି। ତେଣୁ ସଂପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଏବେ ଅନିଶ୍ଚିତତାକୁ ଚାଲିଯାଇଛି। ପ୍ରାର୍ଥୀ ମଧ୍ୟ ନାନା ଆଶଙ୍କା ମଧ୍ୟରେ ରହିଛନ୍ତି। ଆଗାମୀ ଦିନରେ ଆଲୋଚନା କରି ନିଯୁକ୍ତି ପ୍ରକ୍ରିୟା ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!