ବାରିପଦା ବ୍ଲକ୍ ଅନ୍ତର୍ଗତ ଚନ୍ଦନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିରୋଧରେ ଛାତ୍ର ଶୋଷଣର ଏଭଳି ଏକ ସଂଗିନ୍ ଅଭିଯୋଗ ଆସିଛି। କର୍ତ୍ତୃପକ୍ଷଙ୍କ ଆକ୍ରୋଶର ଶିକାର ହୋଇଥିବା ଛାତ୍ରଦ୍ବୟ ହେଲେ, ମୋରଡ଼ା ବ୍ଲକ୍ ଅନ୍ତର୍ଗତ କେନ୍ଦୁଛାଟିଆ ଅଞ୍ଚଳର ଲକ୍ଷ୍ମୀଧର ମୁର୍ମୁଙ୍କ ଦୁଇପୁଅ ଚୈତନ୍ୟ ଓ କୃପାସିନ୍ଧୁ। ଚୈତନ୍ୟ ଉକ୍ତ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ କୃପାସିନ୍ଧୁ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି। ଏ ସଂପର୍କରେ ଛାତ୍ରଦ୍ବୟଙ୍କ ଅଭିଭାବକ ବାରିପଦା ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କୁ ଅଭିଯୋଗ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ଘଟଣାର ତଦନ୍ତ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଚୈତନ୍ୟ ଓ କୃପାସିନ୍ଧୁ ଉକ୍ତ ବିଦ୍ୟାଳୟ ପରିସରରେ ଥିବା ଆଦିବାସୀ ଉନ୍ନୟନ ସରକାରୀ ହଷ୍ଟେଲରେ ରହୁଛନ୍ତି। ସେମାନଙ୍କ ସହ ବାକି ପିଲାମାନଙ୍କଠାରୁ ସ୍କୁଲ କର୍ତ୍ତୃପକ୍ଷ ଦୀର୍ଘ ମାସ ହେଲା ବେଆଇନ ଭାବେ ଟିଉସନ ଫି’ ଆଦାୟ କରୁଛନ୍ତି। ହଷ୍ଟେଲ ଦାୟିତ୍ବରେ ଥିବା ଶିକ୍ଷକ ଗୁରାରାମ ମୁର୍ମୁ ଟିଉସନ୍ ପଢ଼ା ବାବଦରେ ପିଲାଙ୍କଠାରୁ ମାସକୁ ୧୦୦୦ଟଙ୍କା ଲେଖାଏଁ ଆଦାୟ କରିଥା’ନ୍ତି ବୋଲି ଅଭିଯୋଗ ହୋଇଛି। ତେବେ ଦୁଇ ଭାଇ ଅକ୍ଟୋବର ମାସର ଟିଉସନ୍ ଫି’ ବାବଦରେ ୨୦୦୦ଟଙ୍କା ଦେଇନପାରିବାରୁ ଶିକ୍ଷକ ଶ୍ରୀ ମୁର୍ମୁ ସେମାନଙ୍କୁ ଗାଳିଗୁଲଜ କରିବା ସହ ସ୍କୁଲରୁ ଟିସି ଦେଇ ବାହାର କରିଦେଇଛନ୍ତି ବୋଲି ସେମାନଙ୍କ ବାପା ଲକ୍ଷ୍ମୀଧର ଅଭିଯୋଗ କରିଛନ୍ତି। ଲକ୍ଷ୍ମୀଧର ଜଣେ ନାମମାତ୍ର କ୍ଷୁଦ୍ର ଚାଷୀ, ଶିକ୍ଷା ବର୍ଷ ଶେଷ ସମୟ ପିଲାଦୁହିଁଙ୍କୁ ଅନ୍ୟ ସ୍କୁଲରେ ପାଠ ପଢାଇବାକୁ ସମ୍ବଳ ନାହିଁ ବୋଲି କହିଛନ୍ତି। ତେଣୁ ତାଙ୍କ ପିଲାଦ୍ବୟଙ୍କ ପାଠପଢ଼ାରେ ଡୋରି ଲାଗିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି ସେ ଦାବି କରିଛନ୍ତି।

