ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ବର୍ତ୍ତମାନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ । ଜୁନ ୨୦୨୫ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ଧାର୍ଯ୍ୟ ହୋଇଥିଲା । ହେଲେ ଏହା ବର୍ତ୍ତମାନ ଆହୁରି ତିନି ମାସ ବିଳମ୍ବ ହୋଇପାରେ । ଅର୍ଥାତ ସେପ୍ଟେମ୍ବର ୨୦୨୫ ସୁଦ୍ଧା ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ସୂଚନା ଦେଇ କହିଛନ୍ତି ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ।
ପ୍ରାୟ ୨୦୦ ଶ୍ରମିକଙ୍କ ଅଭାବ କାରଣରୁ ନିର୍ମାଣରେ ବିଳମ୍ବ ହେଉଥିବା ସେ କହିଛନ୍ତି । ଆହୁରି ମଧ୍ୟ ମନ୍ଦିରର ପ୍ରଥମ ମହଲାରେ କିଛି ପଥର ଦୁର୍ବଳ ହୋଇଯାଇଥିବାରୁ ଏଗୁଡ଼ିକୁ ବଦଳାଇବାର ଆବଶ୍ୟକତା ନିର୍ମାଣ କାର୍ଯ୍ୟ ବିଳମ୍ବ ହେବାର ଅନ୍ୟତମ ପ୍ରମୁଖ କାରଣ । ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ କହିଛନ୍ତି, ‘ମନ୍ଦିରର ସୀମା କାନ୍ଥରେ ବ୍ୟବହାର ପାଇଁ ଲାଲ ବଂଶୀ ପାହଡ଼ପୁର ୮.୫ ଲକ୍ଷ ଘନଫୁଟ ପଥର ଅଯୋଧ୍ୟାରେ ପହଞ୍ଚି ସାରିଛି ।
ହେଲେ ଶ୍ରମିକ ଅଭାବରୁ ନିର୍ମାଣ କାର୍ୟ୍ୟରେ ବାଧା ସୃଷ୍ଟି ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମନ୍ଦିର ନିର୍ମାଣରେ ବ୍ୟବହୃତ ହୋଇଥିବା ପଥରଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ପ୍ରଥମ ମହଲାରେ ଲାଗିଥିବା କିଛି ପଥର ଦୁର୍ବଳ ଏବଂ ପତଳା ହେଉଥିବା ଦେଖିବାକୁ ମିଳିଛି । ସେଗୁଡ଼ିକ ସ୍ଥାନରେ ଅଧିକ ଶକ୍ତିଶାଳି ମାକ୍ରାନା ପଥର ବ୍ୟବହାର କରାଯିବ । ନିକଟରେ ମନ୍ଦିର ନିର୍ମାଣ କମିଟିର ଦୁଇ ଦିନିଆ ବୈଠକରେ ମନ୍ଦିର ସହିତ ଜଡିତ ଅନ୍ୟାନ୍ୟ ସଂରଚନାର ସ୍ଥିତି ସମୀକ୍ଷା କରାଯାଇଥିଲା । ଅଡିଟୋରିୟମ, ସୀମା ଏବଂ ପରିକ୍ରମା ପଥ ଭଳି ନିର୍ମାଣ ପ୍ରକ୍ରିୟା ଚାଲିଛି ।