କେଉଁଠି କରିବ ଲାଣ୍ଡଫଲ ବାତ୍ୟା” ଦାନା” ବଦଳାଉଛି ସ୍ଥାନ !
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଓ ଭିତରକନିକାରେ ମାଡ଼ ହେବ ବାତ୍ୟା ‘ଦାନା’
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଓ ଭିତରକନିକାରେ ମାଡ଼ ହେବ ବାତ୍ୟା ‘ଦାନା’ । ୨୪ ତାରିଖ ଅର୍ଥାତ ଗୁରୁବାର ରାତିରେ ଛୁଇଁବ । ସ୍ଥଳଭାଗରେ ପ୍ରବେଶ କଲା ବେଳେ ବାତ୍ୟା ଭୀଷଣ ରୂପରେ ଥିବ । ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ବେଗରେ ଧକ୍କା ଦେବ ପବନ । ଭିତରକନିକାରେ
ତାଣ୍ଡବ ରଚାଇ ଭଦ୍ରକ ଜିଲ୍ଲାରେ ପଶିବ । ଯାଜପୁର, କେନ୍ଦୁଝର ଦେଇ ମୟୂରଭଞ୍ଜ ଦିଗରେ ମୁହାଁଇବ ।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ବାତ୍ୟା ଗତିପଥ ଏଭଳି ଆକଳନ ଦର୍ଶାଇଛି । ତେବେ ‘ଦାନା’ର ଭୀଷଣତା ଓ ଗତିପଥ ନେଇ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଭିନ୍ନ ପୂର୍ବାନମାନ ଦେଇଛନ୍ତି । ଉପକୂଳ ଛୁଇଁବା ବେଳକୁ ଏହାର ତୀବ୍ରତା ଛୋଟ ଧରଣର ବାତ୍ୟା କିମ୍ବା ଅବପାତ ଥିବ ବୋଲି କେତେକ ମଡେଲ ଦର୍ଶାଉଥିବା ବେଳେ ଆଉ କେତେକ ପୂର୍ବାନୁମାନ ଦେଇଛନ୍ତି, ବାତ୍ୟା ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ମୁହାଁଇପାରେ ।
ଆଇଏମ୍ଡି ଜାରି କରିଥିବା ବାତ୍ୟାର ସମ୍ଭାବ୍ୟ ଟ୍ରାକ୍ ଅନୁସାରେ ବାତ୍ୟା ୨୪ ତାରିଖ ରାତି ସାଢ଼େ ୧୧ଟାରେ ‘ଦାନା’ ୨୦.୭ଡିଗ୍ରୀ(ଉତ୍ତର) ଅକ୍ଷାଂଶ ଓ ୮୭ଡିଗ୍ରୀ (ପୂର୍ବ) ଦ୍ରାଘିମା ଦେଇ ସ୍ଥଳଭାଗରେ ପ୍ରବେଶ କରିବ। ରାଜନଗରର ଅବସ୍ଥିତି ଏଇଠି। ବାତ୍ୟା ପ୍ରଭାବରେ ୨୪ ଓ ୨୫ ତାରିଖ ଦୁଇ ଦିନ ବାଦଲ ଫଟା ବର୍ଷା ହେବ । ଅତି ଭୀଷଣ ବର୍ଷା ଆଶଙ୍କା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।
୨୪ରେ ମୟୂରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁର ଜିଲ୍ଲାରେ ୨୦୦ମିମିରୁ ଅଧିକ ବର୍ଷା ହୋଇପାରେ ବୋଲି ଆଇଏମ୍ଡି ସତର୍କ କରାଇଛି ।
୭ ଜିଲ୍ଲାର ତଳିଆ ଅଞ୍ଚଳରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଗୁରୁବାର କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବି ନନଷ୍ଟପ୍ ବର୍ଷା ଗାଳିବ । ଏହି ୭ ଜିଲ୍ଲାରେ ୭୦ରୁ ୨୦୦ମିମି ଯାଏ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ ଓ ଗଜପତି ଜିଲ୍ଲାରେ ବି ପ୍ରବଳ ବର୍ଷା ହେବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି ।
୨୫ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକରେ ଅତି ଭୀଷଣ ବର୍ଷା ହୋଇପାରେ । ୪ଜିଲ୍ଲାରେ ୨୦୦ମିମିରୁ ଅଧିକ ବର୍ଷା ଆଶଙ୍କା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।
ବାତ୍ୟା ଲ୍ୟାଣ୍ଡଫଲ୍ ବେଳେ ପବନର ଝଟ୍କା ୧୨୦କିମି ବେଗ ଯାଏ ଯାଇପାରେ । କେନ୍ଦ୍ରାପଡ଼ାର ରାଜନଗରରେ ବାତ୍ୟା ସ୍ଥଳଭାଗ ଛୁଇଁବାର ଥିବାରୁ ଭିତରକନିକା ଜାତୀୟ ଉଦ୍ୟାନରେ ବ୍ୟାପକ କ୍ଷୟକ୍ଷତି ଆଶଙ୍କା ଅଛି । ପ୍ରବଳ ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇପାରେ । ସହରାଞ୍ଚଳର ବିଭିନ୍ନ ତଳିଆ ଅଞ୍ଚଳ ଓ ଅଣ୍ଡରପାସ୍ରେ ପାଣି ଜମିବା ଯୋଗୁ ଜଳବନ୍ଦୀ ସ୍ଥିତି ସୃଷ୍ଟି ଆଶଙ୍କା ଅଛି ।
ଉଲ୍ଳେଖଯୋଗ୍ୟ, ସୋମବାର ସକାଳ ସାଢ଼େ ୫ଟାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ପଶ୍ଚିମ ଦିଗରେ ମୁହାଁଇ ଦିନ ସାଢ଼େ ୧୧ଟା ବେଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ ବା ୱେଲ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି । ଏହା କ୍ରମଶଃ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଆଗକୁ ବଢ଼ିବା ସହ ସମୁଦ୍ରରୁ ବଳ ଗୋଟାଇ ଅଧିକ ଘନୀଭୂତ ହେବ ।
୨୨ ତାରିଖ ସକାଳ ସୁଦ୍ଧା ଏହା ଅବପାତରେ ପରିଣତ ହେବ । ୨୩ତାରିଖରେ ଏହା ଅଧିକ ବଳୁଆ ହୋଇ ବାତ୍ୟାରେ ପରିଣତ ହେବ ।
ବାତ୍ୟା ସୃଷ୍ଟି ପରେ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେବ । ୨୪ ତାରିଖ ରାତି ବା ୨୫ ତାରିଖ ସକାଳୁ ଏହି ବାତ୍ୟା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପୁରୀ ଓ ସାଗର ଦୀପ ମଝିରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଆଇଏମ୍ଡି ଆକଳନ କରିଛି । ବାତ୍ୟା ସୃଷ୍ଟି ଓ ଏହାର ଗତିପଥକୁ ନେଇ ଏକାଧିକ ମଡେଲ ଭିନ୍ନ ଭିନ୍ନ ଆକଳନ କରିଛନ୍ତି । ଆଇଏମ୍ଡି ଜିଏଫଏସ୍ ମଡେଲ କହୁଛି, ବାତ୍ୟା ୨୪ ତାରିଖ ସାଢ଼େ ୮ଟାରେ ବାଂଲାଦେଶ ଉପକୂଳରେ ମାଡ଼ ହେବ । ଏନସିଇପି ଜିଏଫଏସ୍ ମଡେଲ ଦର୍ଶାଇଛି, ୨୪ ତାରିଖ ସକାଳ ସାଢ଼େ ୧୧ଟାରେ ଏହା ଭୀଷଣ ବାତ୍ୟା ରୂପ ନେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିବ । ଏନସିୟୁଏମ(ଜି) ମଡେଲ କହିଛି, ଏହା ୨୫ ତାରିଖ ସକାଳ ସାଢ଼େ ୫ଟାରେ ଓଡ଼ିଶା ଉପକୂଳରେ ଅତିକ୍ରମ କରିବ । ଇସିଏମଡବ୍ଲୁଏଫ୍ ଦର୍ଶାଇଛି, ବାତ୍ୟା ୨୫ ତାରିଖ ସକାଳ ସାଢ଼େ ୫ଟାରେ ଓଡ଼ିଶା ଉପକୂଳରେ ମାଡ଼ ହେବ । ଆଇଏମଡି ଏମଏମଇ ଦେଖାଇଛି, ବାତ୍ୟା ନୁହେଁ, ଅବପାତ ହୋଇ ୨୫ ତାରିଖ ସାଢ଼େ ୧୦ଟାରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ ।
ସେହିଭଳି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବାତ୍ୟାର ଦୁଇଟି ଗତିପଥ ସମ୍ଭାବନା ଅଛି । ପ୍ରଥମ ଆକଳନ ହେଉଛି ଏହା ଚାନ୍ଦବାଲିରୁ ଦୀଘା ଭିତରେ ଲ୍ୟାଣ୍ଡଫଲ୍ କରିପାରେ । ଦ୍ୱିତୀୟ ଆକଳନ ହେଉଛି, ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପରେ ପହଞ୍ଚିବ । ଏଭଳି ହେଲେ ଓଡ଼ିଶା ବର୍ଷା ଓ ପବନରୁ ବର୍ତ୍ତିଯିବ । ତେବେ ୨୩ ତାରିଖରେ ଏହାର ଗତିପଥ ସ୍ପଷ୍ଟ ହେବ ।