ଶହେ ଶହେରେ ପରିବା ଦର
କାର୍ତ୍ତିକ ପୂର୍ବରୁ ପରିବା ବଜାରରେ ନିଆଁ । ସବୁ ପ୍ରକାର ପରିବାର ଦାମ ଶହେ ପାର, ଚିନ୍ତାରେ ଖାଉଟି
କାର୍ତ୍ତିକରେ ବ୍ରତଧାରୀଙ୍କ ଯୋଗୁଁ ଅଧିକାଂଶ ରୋଷେଇ ଘରେ ଆମିଷ ପଶେ ନାହିଁ । ତେଣୁ ପରିବା ଚାହିଦା ବଢେ ଓ ସ୍ବାଭାବିକ ଭାବେ ଦର ଉଚ୍ଚା ହୋଇଥାଏ । କିନ୍ତୁ ଏଥର ଧର୍ମମାସ ପୂର୍ବରୁ ଆକାଶ ଛୁଆଁ ପରିବା ଦର ଖାଉଟିଙ୍କ ଚିନ୍ତା ବଢାଇ ଦେଇଛି । କାର୍ତ୍ତିକ ମାସ ପୂର୍ବରୁ ପରିବାର ଆକାଶ ଛୁଆଁ ଦର ଚିନ୍ତା ବଢାଇଲାଣି । ବଜାରରେ ପରିବାରେ ହାତ ମାରିବାକୁ ଭୟ ଲାଗୁଛି । ଯେଉଁ ପରିବା କିଣନ୍ତୁ କେଜି ପିଛା ଦର ୬୦ ରୁ ୧୩୦ ଟଙ୍କା ରହିଛି ।
ପରିବା ଦର
ବାଇଗଣ – ୧୦୦ , କାଙ୍କଡ଼ – ୧୦୦, ପୋଟଳ – ୮୦, ଝୁଡୁଙ୍ଗ – ୮୦, ଭେଣ୍ଡି – ୮୦, ଗାଜର – ୮୦, ଟମାଟୋ – ୬୦, ଜହ୍ନି – ୬୦, କାକୁଡି – ୫୦, ପତ୍ର କୋବି – ୫୦, ଫୁଲ କୋବି – ୬୦, ଖମ୍ବ ଆଳୁ – ୬୦,ଅଦା – ୧୨୦, ରସୁଣ – ୩୪୦ ଓ ଆଳୁ କେଜି ପିଛା ୩୦ ଟଙ୍କା ଦରରେ ବିକ୍ରି ହେଉଛି । ପରିବାର ମହଙ୍ଗା ଦରର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡୁଛି । ବର୍ଦ୍ଧିତ ପରିବା ଦର ଯୋଗୁଁ ଲୋକ କମ୍ ପରିମାଣର ପରିବା କିଣୁଥିବା ଗ୍ରାହକ କହିଛନ୍ତି ।ଓଡ଼ିଶା ପରିବା ପାଇଁ ବାହାର ରାଜ୍ୟ ଉପରେ ନିର୍ଭରଶୀଳ । କେବଳ ପୋଟଳ, ସାରୁ ପରି ପରିବା ଓଡ଼ିଶାରେ ଚାଷ ହେଉଥିବାରୁ ଅନ୍ୟ ପରିବା ଅପେକ୍ଷା ଦାମ କମ ରହୁଛି । ଅନ୍ୟ ପରିବା ଯେହେତୁ ବାହାର ରାଜ୍ୟରୁ ଆସୁଛି ସେଥିପାଇଁ ଏହାର ମୂଲ୍ୟ ଅଧିକ ରହିଛି ବୋଲି ବ୍ୟବସାୟୀ କହିଛନ୍ତି ।ଅକ୍ଟୋବର ୧୭ରୁ ଆରମ୍ଭ ହେଉଛି କାର୍ତ୍ତିକ ମାସ । ଧର୍ମମାସରେ ସାଧାରଣତଃ ଲୋକ ଆମିଷ ଛାଡି ସାଦା ଖାଇବେ । ତେଣୁ ଆଗକୁ ପରିବା ଦର ଆହୁରି ବଢିବ ଓ ଖାଉଟିଙ୍କ ପକେଟ୍ ଖାଲି କରିବ ବୋଲି କୁହାଯାଉଛି ।