ରାଜ୍ୟଗୁଡ଼ିକର ମୁଦ୍ରାସ୍ଫୀତି ତଥ୍ୟ ଉପରେ ନଜର ପକାଇଲେ ଜଣାଯାଏ ଯେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ଦେଶରେ ତୃତୀୟ ସର୍ବାଧିକ ରହିଛି। ଅଗଷ୍ଟ ମାସ ପାଇଁ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ୫.୬୩ ପ୍ରତିଶତ ରହିଛି। ଓଡ଼ିଶା ଉପରେ କେବଳ କେବଳ ତ୍ରିପୁରା ଏବଂ ବିହାର ରହିଛନ୍ତି। ତ୍ରିପୁରାର ଖୁଚୁରା ମୁଦ୍ରାସ୍ଫୀତି ସର୍ବାଧିକ ୬.୯୭ ପ୍ରତିଶତ ଥିବାବେଳେ ବିହାରର ଖୁଚୁରା ମୁଦ୍ରାସ୍ଫୀତି ଦ୍ବିତୀୟ ସର୍ବାଧିକ ଅର୍ଥାତ୍ ୬.୬୨ ପ୍ରତିଶତ ରହିଛି। ଜାତୀୟସ୍ତରର ଖୁଚୁରା ମୁଦ୍ରାସ୍ଫୀତି ତୁଳନାରେ ୮ଟି ରାଜ୍ୟରେ ଏହା ଅଧିକ ରହିଛି। ସେହି ରାଜ୍ୟଗୁଡ଼ିକ ହେଲା ତ୍ରିପୁରା, ବିହାର, ଓଡ଼ିଶା, ଆସାମ, ଉତ୍ତରପ୍ରଦେଶ, ହରିୟାଣା, କେରଳ ଏବଂ ଛତିଶଗଡ଼। ଆସାମର ଖୁଚୁରା ମୁଦ୍ରାସ୍ଫୀତି ୫.୦୩ ପ୍ରତିଶତ ଥିବାବେଳେ ଉତ୍ତରପ୍ରଦେଶର ୪.୮୯ ପ୍ରତିଶତ, ହରିୟାଣାର ୪.୧୨ ପ୍ରତିଶତ, କେରଳର ୪.୧୦ ପ୍ରତିଶତ ଏବଂ ଛତିଶଗଡ଼ର ୩.୭୯ ପ୍ରତିଶତ ରହିଛି।
ଛତିଶଗଡ଼କୁ ବାଦ୍ ଦେଲେ ଓଡ଼ିଶାର ପଡ଼ୋଶୀ ଏବଂ ନିକଟତମ ରାଜ୍ୟଗୁଡ଼ିକରେ ଖୁଚୁରା ମୁଦ୍ରାସ୍ଫୀତି ଜାତୀୟ ହାର ତୁଳନାରେ କମ୍ ରହିଛି। ପଶ୍ଚିମବଙ୍ଗରେ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ୩.୬୩ ପ୍ରତିଶତ, ଆନ୍ଧ୍ରପ୍ରଦେଶରେ ୨.୯୩ ପ୍ରତିଶତ, ଝାଡ଼ଖଣ୍ଡରେ ୨.୮୬ ପ୍ରତିଶତ ଏବଂ ତେଲେଙ୍ଗାନାରେ ସର୍ବନିମ୍ନ ୨.୦୨ ପ୍ରତିଶତ ରହିଛି। ଅନ୍ୟ ଏକ ଚିନ୍ତାଜନକ ବିଷୟ ହେଲା ଓଡ଼ିଶାର ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ସହରାଞ୍ଚଳ ତୁଳନାରେ ଅଧିକ ରହିଛି। ଅଗଷ୍ଟରେ ଓଡ଼ିଶାର ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ୬.୨୭ ପ୍ରତିଶତ ରହିଛି। କିନ୍ତୁ ସହରାଞ୍ଚଳରେ ଏହା ୪.୦୨ ପ୍ରତିଶତ ରହିଛି। ଜାତୀୟସ୍ତରରେ ଗ୍ରାମାଞ୍ଚଳରେ ଅଗଷ୍ଟ ମାସର ଖୁଚୁରା ମୁଦ୍ରାସ୍ଫୀତି ୪.୧୬ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହା ୩.୧୪ ପ୍ରତିଶତ ରହିଛି। ଜୁନରେ ଓଡ଼ିଶାର ମୁଦ୍ରାସ୍ଫୀତି ଦେଶରେ ସର୍ବାଧିକ ଅର୍ଥାତ୍ ୭.୨୨ ପ୍ରତିଶତ ରହିଥିଲା। କିନ୍ତୁ ଜୁଲାଇରେ ଏହା ୪.୮୩ ପ୍ରତିଶତକୁ ଖସିଆସିଥିଲା ।
ବିଶେଷଜ୍ଞମାନଙ୍କ ମତରେ ଓଡ଼ିଶା ଅଧିକାଂଶ ଜିନିଷକୁ ବାହାରୁ ମଗାଇ ନିଜ ଆବଶ୍ୟକତା ପୂରଣ କରୁଥିବାରୁ ଏଠାରେ ମୁଦ୍ରାସ୍ଫୀତି ଅଧିକ ରହୁଛି। ତେବେ ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ଅଧିକ ରହିବା ଚିନ୍ତାର କାରଣ ବୋଲି ସେମାନେ କହିଛନ୍ତି। ଗ୍ରାମାଞ୍ଚଳରେ ଲୋକମାନେ ଅଧିକ କୃଷିଜାତ ସାମଗ୍ରୀ ବ୍ୟବହାର କରନ୍ତି। ସେଗୁଡ଼ିକର ଦାମ୍ ଯଦି ଅଧିକ ରହୁଛି, ତେବେ ଚାଷ କ୍ଷେତ୍ର ଚାପରେ ରହିଛି ବୋଲି ବିଶ୍ବାସ କରାଯାଏ।