ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଏନକାଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ । ଘଟଣା ସ୍ଥଳରୁ ବନ୍ଧୁକ ସହ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ । ବିଜାପୁର ଜିଲ୍ଲାର ଉସୁର ବାସାଗୁଡା ଓ ପାମେଡ ଜଙ୍ଗଲରେ ଏହି ଏନ୍କାଉଣ୍ଟର ହୋଇଛି । ଏହି ଅପରେସନରେ ନିୟୋଜିତ ସମସ୍ତ ଯବାନ ସୁରକ୍ଷିତ ରହିଥିବା ଜଣାପଡିଛି ।
ସୂଚନା ମୁତାବକ, ଉସୁର ବାସାଗୁଡା ଓ ପାମେଡ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇଥିଲେ ସୁରକ୍ଷା କର୍ମୀ । ଖବର ପାଇବା ପରେ ଡିଆରଜି, ସିଆରପିଏଫ ଓ ଏସଟିଏଫ ବାହିନୀ ପକ୍ଷରୁ ସେଠାରେ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ସୁରକ୍ଷା କର୍ମୀଙ୍କୁ ଦେଖି ନକ୍ସଲ ମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ପରେ ଏହାର ପାଲଟା ଜବାବ ଦେଇଥିଲେ ଯବାନ । ଉଭୟଙ୍କ ମଧ୍ୟରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା । ପରେ ମାଓବାଦୀ ମାନେ ଘଟଣାସ୍ଥଳରୁ ପଳାଇଥିଲେ । ଏହା ପରେ ସେଠାରେ ସର୍ଚ୍ଚ ଅପରେସନ କରି ଦୁଇ ଜଣ ମାଓବାଦୀଙ୍କ ମୃତ ଦେହ ଠାବ କରିଥିଲେ ସୁରକ୍ଷା କର୍ମୀ । ତେବେ ଏହି ଅପରେସନରେ ସମସ୍ତ ଯବାନ ସୁରକ୍ଷିତ ଥିବା ଜଣାପଡିଛି ।