ଆଜି ଶ୍ରୀମନ୍ଦିରରେ ଦୀପାବଳି ପାଳନ ସହ ଅମାବାସ୍ୟା ନୀତି ହେବ । ଏଥିସହ ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡ଼ିଆଙ୍କୁ କାଉଁରିଆ କାଠି ଜାଳିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଦୀପାବଳି ଓ ପୟାଶ୍ରାଦ୍ଧରେ ଶ୍ରୀମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। । ସିଂହଦ୍ୱାର ସମ୍ମୁଖରେ କାଉଡିଆ ଜାଳିବା ସହ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ଏହି ସମୟରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୩ଜଣ ଅତିରିକ୍ତ ଏସ୍ପିଙ୍କ ସମେତ ୧୧ଜଣ ଡିଏସ୍ପି, ୧୮ ଜଣ ଇନିସ୍ପେକ୍ଟର ଓ ୨୭ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।
ସେହିଭଳି ହବିଷ୍ୟାଳିମାନଙ୍କ ରହଣି ସ୍ଥାନ ସହିତ ବିଭିନ୍ନ ପୁଷ୍କରିଣୀରେ ମଧ୍ୟ ପୁଲିସ ମୁତୟନ ହୋଇଛନ୍ତି । ସାକ୍ଷୀଗୋପାଳ ବୀରଗୋବିନ୍ଦପୁରସ୍ଥିତ ଦକ୍ଷିଣକାଳୀ ନିକଟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଦର୍ଶନ ସୁବିଧା ଲାଗି ଜଣେ ଅତିରିକ୍ତ ଏସ୍ପି, ୩ଜଣ ଡିଏସ୍ପି, ୮ ଜଣ ଇନିସ୍ପେକ୍ଟର ଓ ୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।