ହବିଷ୍ୟାଳିମା ଙ୍କ ମୁହଁରେ ନବୀନ ଙ୍କ ପ୍ରଶଂସା !
ପ୍ରତିବର୍ଷ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହବିଷ୍ୟାଳୀ ମା’ମାନେ ପୁରୀ ଆସିଥା’ନ୍ତି।ହବିଷ୍ୟାଳୀ ମା’ମାନେ କିପରି ମାଗଣାରେ ରହି ବ୍ରତ ପାଳନ କରିବେ ସେଥିଲାଗି ୨୦୧୬ରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହବିଷ୍ୟାଳୀ ଯୋଜନା ଆରମ୍ଭ କରିଥିଲେ। ପ୍ରତିବର୍ଷ ଏହି ଯୋଜନାରେ ହବିଷ୍ୟାଳୀମାନେ ମାଗଣାରେ ପୁରୀରେ ରହି ହବିଷ କରୁଥିଲେ। ୨୦୨୩ରେ ପ୍ରାୟ ୩,୨୦୦ ବ୍ରତଧାରୀ ଏହି ଯୋଜନାରେ ସାମିଲ ହୋଇଥିଲେ।ଚଳିତ ବର୍ଷ ନୂଆ ସରକାର ବହୁ ବିଳମ୍ବରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ହବିଷ୍ୟାଳୀଙ୍କ ସଂଖ୍ୟା ୩୨୦୦ରୁ ୨,୫୦୦କୁ ହ୍ରାସ କରିଥିଲେ। ପୂର୍ବବର୍ଷ ହବିଷ୍ୟାଳୀଙ୍କ ପାଇଁ ୫ଟି ସ୍ଥାନରେ ରହଣି ବ୍ୟବସ୍ଥା ହୋଇଥିବାବେଳେ ଚଳିତ ବର୍ଷ (ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର, ବଗଲା ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପ) ୪ଟି ସ୍ଥାନରେ ରହଣି କେନ୍ଦ୍ର କରିଥିଲେ। ଏହି ଯୋଜନାରେ ସାମିଲ ହେବା ପାଇଁ ଅକ୍ଟୋବର ୬ରୁ ୧୧ ତାରିଖ ମଧ୍ୟରେ ଅନ୍ଲାଇନରେ ନାଁ ପଞ୍ଜୀକରଣ ନିମନ୍ତେ ବ୍ୟବସ୍ଥା ଥିଲା। ମାତ୍ର ପ୍ରଥମ ଦିନ ୩,୬୫୦ ଜଣ ଆବେଦନ କରିବା ପରେ ସେହିଦିନ ଆବେଦନ ପୋର୍ଟାଲ ବନ୍ଦ କରାଯାଇଥିଲା। ମାତ୍ର କେଉଁ ଆବେଦନକାରୀଙ୍କୁ ଯୋଜନାରେ ସାମିଲ କରାଗଲା, ସେ ସମ୍ପର୍କରେ କୌଣସି ସୂଚନା ଦିଆଗଲା ନାହିଁ। ତେଣୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆବେଦନ କରିଥିବା ହବିଷ୍ୟାଳୀ ମା’ମାନେ ହବିଷ ଲାଗି ପୁରୀରେ ପହଞ୍ଚିଲେ ଓ ସବୁଠୁ ଅଧିକ ରହଣି ବ୍ୟବସ୍ଥା ହୋଇଥିବା ବୃନ୍ଦାବତୀ ନିବାସ ସମ୍ମୁଖରେ ଗୁରୁବାର ସକାଳୁ ବ୍ରତଧାରୀଙ୍କ ଭିଡ଼ ଜମିଥିଲା। ମାତ୍ର ସେଠାରେ ହବିଷ୍ୟାଳୀ ମା’ ମାନଙ୍କୁ ରହିବାକୁ ଅନୁମତି ମିଳିଲା ନାହିଁ। ଅଧିକାଂଶଙ୍କ ପଞ୍ଜିକରଣ ରସିଦ୍ରେ ‘ରିଜେକ୍ଟ’ ଲେଖି ଫେରାଇ ଦିଆଗଲା। କାହିଁକି ସେମାନଙ୍କର ପଞ୍ଜିକରଣ ରିଜେକ୍ଟ କରାଗଲା ସେ ସମ୍ପର୍କରେ ମଧ୍ୟ କୌଣସି ସୂଚନା ଦିଆଯାଇ ନ ଥିଲା। ଫଳରେ ଫାଟକ ବାହାରେ ହବିଷ୍ୟାଳୀ ମା’ମାନେ ଅଖିଆ ଅପିଆ ଧାରଣା ଦେଇଥିଲେ; ତଥାପି ସରକାର ବା ପ୍ରଶାସନର ହୃଦୟ ତରଳିଲା ନାହିଁ। ସେମାନଙ୍କୁ ବୁଝାଇବା ପାଇଁ ସରକାରଙ୍କ ପ୍ରତିନିଧି ବା ସରକାରୀ ଅଧିକାରୀ ବି ଆସିଲେ ନାହିଁ। ଏହା ହବିଷ୍ୟାଳୀ ମା’ଙ୍କ ଦୁଃଖକୁ ଆହୁରି ବଢ଼ାଇଦେଲା। ସେମାନେ ଶେଷରେ ରାସ୍ତାକୁ ଓହ୍ଲାଇଲେ। ସାଥୀରେ ଧରି ଆସିଥିବା ବିଛଣା ଓ ଆସବାବପତ୍ର ଧରି ରାସ୍ତାରେ ବସିଲେ। ପୁଲିସ ଆସି ସେମାନଙ୍କୁ ରାସ୍ତାରୁ ଉଠାଇ ଦେଲା ସିନା, ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୃନ୍ଦାବତୀ ନିବାସ ସମ୍ମୁଖରେ ବସିଥିବା ଦେଖିବାକୁ ମିଳିଛି।
ହବିଷ୍ୟାଳୀଙ୍କ ଅଭିଯୋଗ ଅନୁସାରେ, ସରକାରଙ୍କ ନିୟମ ଅନୁଯାୟୀ ସେମାନେ ଆବେଦନ କରିଥିଲେ। ଯଦି ସେମାନଙ୍କୁ ଯୋଜନାରେ ସାମିଲ କରା ନ ଗଲା, ତେବେ ଆଗୁଆ ସୂଚନା ଦେବା ଉଚିତ୍ ଥିଲା। ମାତ୍ର ଏଠାରେ ପହଞ୍ଚିବା ପରେ ସେମାନଙ୍କୁ ମନା କରାଯାଉଛି। ଏବେ ସେମାନେ କରିବେ କ’ଣ ବୋଲି ପ୍ରଶ୍ନ କରିଛନ୍ତି। ଏହି ବ୍ରତଧାରୀ ମା’ମାନେ ରାଜ୍ୟ ସରକାରଙ୍କ ଏଭଳି ବ୍ୟବସ୍ଥାକୁ ନିନ୍ଦା କରିଥିବା ବେଳେ ପୂର୍ବ ସରକାରରେ ପାଉଥିବା ଉତ୍ତମ ସୁବିଧା ସଂପର୍କରେ ବଖାଣି ନବୀନ ପଟ୍ଟନାୟକଙ୍କ ଗୁଣଗାନ କରିଛନ୍ତି।