ଚକାଚକ୍ ଘରୋଇ ବସ୍ରେ ଯିବାକୁ ଯାତ୍ରୀ ଆଗଭର । କିନ୍ତୁ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି) ବସ୍କୁ ମୁହଁ ମୋଡୁଛନ୍ତି । ନିମ୍ନମାନର ସେବା ଓ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁ ଅଧିକାଂଶ ସମୟ ଖାଲି ପଡୁଛି ସିଟ୍ । ଗତ ୩ ବର୍ଷରେ ନିଗମ ପ୍ରାୟ ୩୧ କୋଟି ୪ ଲକ୍ଷ ୮୦ ହଜାର ଟଙ୍କା କ୍ଷତି ସହିଲାଣି ।
ଭୁବନେଶ୍ୱରରୁ ବରଗଡ଼ ପଦ୍ମପୁର ଯାଉଥିବା ଲିପୁ ନାୟକ ନାମକ ଜଣେ ଯାତ୍ରୀଙ୍କ କହିବା ମୁତାବକ, ଏସି ଯୁକ୍ତ ନାଇଟ୍ କୋଚ ବସ୍ରେ ଭଡ଼ା ହେଉଛି ୫୫୦ ଟଙ୍କା । ବସ୍ରେ ଶାନ୍ତିରେ ଶୋଇକି ଉଠିଲା ବେଳକୁ ଗନ୍ତବ୍ୟସ୍ଥଳରେ ପହଞ୍ଚୁଛୁ । ହେଲେ ଓଏସ୍ଆର୍ଟିସି ବସ୍ ଏତିକି ବାଟକୁ ୬୦୦ ଟଙ୍କା ଦେବାକୁ ପଡୁଛି । ସେଥିରେ ପୁଣି ଭଙ୍ଗାଦଦରା ସିଟ୍ରେ ବସିକି ଯିବା ନିହାତି କଷ୍ଟଦାୟକ । ଏହା କେବଳ ଜଣେ ଯାତ୍ରୀଙ୍କ ବେଦନା ନୁହେଁ, ଏଭଳି ହଜାର ହଜାର ଯାତ୍ରୀ ସରକାରୀ ବସ୍ ସେବାରୁ ମୁହଁ ଫେରାଉଛନ୍ତି ।
ନିମ୍ନମାନର ବସ୍ ସେବାକୁ ନେଇ କେହି ବରିଷ୍ଠ ଅଧିକାରୀ ମୁହଁ ଖୋଲିବାକୁ ନାରାଜ । ଓଲଟି ଘରୋଇ ବସ୍ ଉପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍ଟିଏ)ଙ୍କ ଢ଼ିଲାପଣକୁ ଦାୟୀ କରିଛନ୍ତି । ବର୍ଷା ଓ ଉଦୁଉଦିଆ ଖରାବେଳେ ଯାତ୍ରୀ ସଂଖ୍ୟା ବଢ଼ୁନଥିବାର ଆଳ ଦେଖାଉଛନ୍ତି । ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବସ୍ ସମୟ ସୀମାକୁ ନେଇ ଏସ୍ଟିଏ ପକ୍ଷରୁ ଗାଇଡ୍ଲାଇନ୍ ରହୁଛି । ଜଣେ ବି ଘରୋଇ ବସ କର୍ତ୍ତୃପକ୍ଷ ଏହାକୁ ମାନୁନାହାନ୍ତି । ରାସ୍ତାରେ ମନଇଚ୍ଛା ଚାଲୁଥିବା ବସ୍କୁ ଧରି ଜରିମାନା ଆଦାୟ ପାଇଁ ଏସ୍ଟିଏ ମନ ବଳାଉନି । ସରକାରୀ ବସ୍ କ୍ଷତି ସହୁଛି । ଡାଉନ୍ ସିଜିନ୍ ଓ ଘରୋଇ ବସ୍ ସେବାକୁ ଆଳ ଦେଖାଇ ଗଳିବାର ବାଟ ଖୋଜୁଛନ୍ତି । ଗତ ବିଧାନସଭା ଅଧିବେଶନରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ପ୍ରଦତ୍ତ ତଥ୍ୟ ମୁତାବକ, ଗତ ଆର୍ଥିକ ବର୍ଷରେ ବସ୍ ଚଳାଚଳ ପାଇଁ ପ୍ରାୟ ୧୦୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ମିଶିଲେ, ନିଗମ ପାଣ୍ଠିରୁ ୧୬୪ କୋଟି ଟଙ୍କା ବ୍ୟୟ କରାଗଲା । କିନ୍ତୁ ଯାତ୍ରୀ ଭଡ଼ା ବାବଦକୁ ରୋଜଗାର ହେଲା ମାତ୍ର ୧୧୦ କୋଟି ଟଙ୍କା । ଯାତ୍ରୀଙ୍କ ଲଗେଜ, ଠିକାଦାର ସେବା, ସିଟ୍ ସଂରକ୍ଷଣ ବାବଦକୁ ଆୟ ୧୪୬ କୋଟି ବି ଛୁଇଁଲାନି । ପାଖାପାଖି ୧୮ କୋଟି ଟଙ୍କା ପାଣିରେ ପଡିଲା ।
ତା’ ପୂର୍ବବର୍ଷ ନିଗମ ପାଣ୍ଠିରୁ ସମୁଦାୟ ୯୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯାତ୍ରୀଙ୍କଠାରୁ ମାତ୍ର ୬୩ କୋଟି ଟଙ୍କା ଭଡ଼ା ଆଦାୟ ହେଲା। ସର୍ବମୋଟ ୯୬ କୋଟିରେ ଆୟ ସୀମିତ ରହିଲା । ୨୦୨୦-୨୧ ମସିହାରେ ବସ୍ ଚଳାଚଳ, କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ୬୨ କୋଟି ଟଙ୍କା ଖର୍ଚ୍ଚ ହେଲା । କିନ୍ତୁ ମିଳିଲା ମାତ୍ର ୫୨ କୋଟି ଟଙ୍କା । ସିଧା ୧୦ କୋଟି କ୍ଷତି ସହିଲା ଓଏସ୍ଆର୍ଟିସି । ସେହିବର୍ଷ ଓଏସ୍ଆର୍ଟିସି ବସ୍ର ମରାମତି ବାବଦରେ ମୋଟ ୧ କୋଟି ୪ ଲକ୍ଷ ୯୫ ହଜାର ୧୪୪ ଟଙ୍କା ଖର୍ଚ୍ଚ ହୋଇଥିଲା ।
ସୂଚନାଯୋଗ୍ୟ, ରାଜ୍ୟର ମୋଟ ୨୬୧ଟି ରୁଟ୍ରେ ୭୦୪ଟି ଘରୋଇ ବସ୍ ଗଡୁଛି । ୭୪ଟି ରୁଟ୍ରେ ଓସ୍ଆର୍ଟିସି ବସ ଚାଲୁନି । ବ୍ରହ୍ମପୁରର ୧୦ଟି ରୁଟ୍ରେ ଯାତ୍ରୀମାନେ ଓଏସ୍ଆର୍ଟିସି ବସ୍ ସେବାରୁ ବଞ୍ଚିତ ହେଉଛନ୍ତି । ଭୁବନେଶ୍ୱରର ୯ଟି ରୁଟ୍ରେ ବସ୍ ଚଳାଚଳ କରୁନି।