ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଘରକୁ ନେଇ ପୁଣିଥରେ ଆକ୍ରମଣାତ୍ମକ ଢଙ୍ଗକୁ ଫେରିଛି ବିଜେପି । ବୁଧବାର ବିଜେପି ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ସାମ୍ବାଦିକ ସମ୍ମିଳନୀ କରିବା ସହ କିଛି ଫଟୋ ସାମ୍ନାକୁ ଆଣିଛନ୍ତି । ଯେଉଁଥିରେ ସେ ସୁନା ଚାଦର ଥିବା ଗୋଟିଏ ‘ଟଏଲେଟ୍ ସିଟ୍ ଏବଂ ଓ୍ୱାଶ୍ ବେସିନ’କୁ ଦେଖାଇବା ସହ, କେଜ୍ରିଓ୍ୱାଲଙ୍କ ଘରେ ଏହା ଲଗାଯାଇଥିବା ଅଭିଯୋଗ କରିଛନ୍ତି । ଏଥିସହ କେଜ୍ରିଓ୍ୱାଲଙ୍କ ପାଖକୁ କେମିତି ଏତେ ଟଙ୍କା ଆସିଲା ବୋଲି ପ୍ରଶ୍ନ କରିଛନ୍ତି ବୀରେନ୍ଦ୍ର ସଚଦେବା ।
ବୀରେନ୍ଦ୍ର ସଚଦେବା ଆପ୍ ଉପରେ ଗମ୍ଭୀର ଆରୋପ ଲଗାଇବା ସହ କହିଛନ୍ତି ଯେ, ଏ ଟଙ୍କା ହଲାଲର ନୁହେଁ, ବରଂ ଦଲାଲର ଅଟେ । ଏ ଟଙ୍କା ହେଉଛି ଦିଲ୍ଲୀ ଲୋକଙ୍କ ବିରୋଧରେ ଗଦ୍ଦାରୀ କରି କମାଯାଇଥିବା ଟଙ୍କା, ତେବେ ଏହି ଗଦ୍ଦାରୀ ଟଙ୍କାକୁ ନିଜ ସୁଖ ସୁବିଧା ପାଇଁ କେଜ୍ରିଓ୍ୱାଲ୍ ଖର୍ଚ୍ଚ କରିଛନ୍ତି । ଯାହାର ହିସାବ ମାଗୁଛନ୍ତି ଦିଲ୍ଲୀ ବାସୀ । ଏହାସହ ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟ ଏ ଟଙ୍କାର ହିସାବ ମାଗିବେ ବୋଲି କହିଛନ୍ତି ବୀରେନ୍ଦ୍ର ସଚଦେବା ।
ଖାଲି ସେତିକି ନୁହେଁ, ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଥିବା ବିଜେନ୍ଦ୍ର ଗୁପ୍ତା ମଧ୍ୟ ମୁଖ୍ୟମନ୍ତ୍ରୀ ଆବାସରେ ଖର୍ଚ୍ଚକୁ ନେଇ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି । କେଜ୍ରିଓ୍ୱାଲଙ୍କ ଶୀଶ ମହଲରେ ଏତେ ସାରା ସୁବିଧା କେଉଁଠୁ ଆସିଲା? ସୁନାର ପ୍ରଲେପ ଦିଆଯାଇଥିବା ବେସିନ୍ ଓ ଟଏଲେଟ୍ ସିଟ୍ କୁଆଡୁ ଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ କେଜ୍ରିଓ୍ୱାଲ ସଚ୍ଚୋଟ ହେବାର ମିଛ ଅଭିନୟ କରୁଛନ୍ତି । ହେଲେ ସତରେ କିନ୍ତୁ ସେ ଭ୍ରଷ୍ଟାଚାରୀ ।