ଭୁବନେଶ୍ୱର : ଚିନ୍ତାରେ ଓୟୁଏଟି କର୍ତ୍ତୃପକ୍ଷ । କାରଣ ଦୁଇ ଡଜନରୁ ଅଧିକ ଛାତ୍ରଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହୋଇ ସାରିଲେଣି । କିଛି ଛାତ୍ରଛାତ୍ରୀ ଔଷଧ ଖାଇ ଭଲ ହେଲେଣି ତ ଆଉ କିଛି ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି ।
ଓୟୁଏଟି କିଛି କର୍ମଚାରୀ ପିଇବା ପାଣି ଦୋଷ ଦେଉଛନ୍ତି ତ ଆଉ କିଛି ଖାଦ୍ୟ ଉପରେ ଦୋଷ ଦେଉଛନ୍ତି । ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଲାଗି ଓୟୁଏଟି ଅଧିକାରୀ ଗ୍ରୁପରେ ମେସେଜ୍ ବି କରୁଛନ୍ତି । କିଛି ଛାତ୍ରଛାତ୍ରୀଙ୍କୁ ତାଗିଦ୍ କରାଯାଉଛି ସବୁ କର କିନ୍ତୁ ବାହାରେ ଯେମିତି କଥା ପ୍ରଘଟ ନହେଉ । ଅଭିଭାବକମାନଙ୍କୁ ମଧ୍ୟ କଥା ବାହାରକୁ ଯେମିତି ନଯାଉ ତାଗିଦ୍ କରାଯାଉଛି । ଯିଏ ଚାହୁଁଛ ନିଜ ସୁରକ୍ଷା ଦୃଷ୍ଟିରୁ ଘରକୁ ମଧ୍ୟ ଯାଇପାର ବୋଲି ପରାମର୍ଶ ବି ଦେଉଛନ୍ତି । ବିଶେଷ କରି ହଷ୍ଟେଲର ଛାତ୍ରୀମାନେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଓୟୁଏଟିରେ ଛାତ୍ରାବାସ ୮ଟା ଏବଂ ଛାତ୍ରୀନିବାସ ୯ଟା ରହିଛି । ସେଥିରୁ ଦୁଇଟା ହଷ୍ଟେଲରେ ଜଣ୍ଡିସ୍ ବ୍ୟାପିଥିବା ସୂଚନା ମିଳିଛି । କିନ୍ତୁ ଏହି ବିଷୟରେ ଓୟୁଏଟି ଅଧିକାରୀଙ୍କ ସହ ଆଲୋଚନା କରିବାକୁ ଚାହିଁବାରୁ କିଛି ଜଣ ଫୋନ୍ ଉଠାଇଲେ ନାହିଁ । ଯିଏ ଫୋନ୍ ଉଠାଇଲେ ଏ ବିଷୟରେ ଅବଗତ ନଥିବା ସୂଚନା ଦେଲେ ।
ଓୟୁଏଟିର ଗୋଲଡେନ୍ ଜୁବୁଲି କମ୍ପେ୍ଲକସ୍ରେ ଥିବା ହଷ୍ଟେଲର ପିଲାଙ୍କୁ ଜ୍ୱର ହେବା ଆରମ୍ଭ ହେଲା । ମେଡିସନ୍ ଖାଇଲେ ମଧ୍ୟ ଜ୍ୱର କମିଲା ନାହିଁ । ଆଖି, ନଖ ଓ ଦେହ ହଳଦିଆ ପଡ଼ିବାକୁ ଲାଗିଲା । ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଲେ ଛାତ୍ରଛାତ୍ରୀ । ଏହା ଦିନକୁ ଦିନ ଅଧିକ ବ୍ୟାପିବାରେ ଲାଗିଛି । ଗୋଲଡେନ୍ ଜୁବଲି କମ୍ପେ୍ଲକସରେ ଥିବା ୬ଟି ବିଲଡିଂରୁ ଦୁଇଟିରେ ଛାତ୍ରୀମାନଙ୍କୁ ଜଣ୍ଡିସ୍ ହୋଇଥିବା ସୂଚନା ମିଳିଛି । ପାଖାପାଖି ୧୨ରୁ ଅଧିକ ପିଲା ଚିହ୍ନଟ ହୋଇଥିବା ଏଠାରେ ଥିବା କିଛି ଛାତ୍ରୀ ଆଲୋଚନା କରୁଥିବା ବେଳେ ଏହାର ସଂଖ୍ୟା କିନ୍ତୁ ୩୦ରୁ ଅଧିକ ଥିବା ଅଭିଭାବକ ଏବଂ ଅନ୍ୟ ହଷ୍ଟେଲର ପିଲାମାନେ କହୁଛନ୍ତି ।
ଜଣ୍ଡିସ୍ ବ୍ୟାପିବା କାରଣରୁ ଓୟୁଏଟି ଅଧିକାରୀ ବ୍ୟସ୍ତ ହୋଇ ପଡ଼ିଛନ୍ତି । ସକାଳୁ ରାତି ଯାଏ ଚାଲୁଛି ଘନ ଘନ ମିଟିଂ । କିଏ ହଷ୍ଟେଲ ପରିସର ବୁଲି ତଦାରଖ କରୁଛନ୍ତି ତ ଆଉ କିଏ ଛାତ୍ରଛାତ୍ରୀଙ୍କୁ ବାହାର ଖାଦ୍ୟ ନ ଖାଇବାକୁ ତାଗିଦ୍ କରୁଛନ୍ତି । ଅଭିଯୋଗ ହୁଏ, ହଷ୍ଟେଲ ପାଣିଟାଙ୍କି ବର୍ଷ ବର୍ଷ ଧରି ସଫା ହୋଇନାହିଁ । ଏବେ ଏହାକୁ ସଫା କରିବା ଚିନ୍ତା କର୍ତ୍ତୃପକ୍ଷଙ୍କ ମୁଣ୍ଡରେ ପଶିଛି । ପାଣି ଟାଙ୍କି ସଫା କରିବା ଆରମ୍ଭ କରିଥିବା ବି ସୂଚନା ମିଳିଛି । ସଚେତନତା ପାଇଁ ଗ୍ରୁପରେ ମେସେଜ୍ ବି ପଠାଯାଉଛି । ଯେଉଁଥିରେ ଉଲ୍ଲେଖ ରହିଛି ହଷ୍ଟେଲ ଏବଂ ବିଶ୍ୱବିଦ୍ୟାଳୟ ପରିସରରେ ଜଣ୍ଡିସ୍ ବ୍ୟାପିବାରେ ଲାଗିଛି । ଯାହାର କାରଣ ବାହାର ଫାଷ୍ଟଫୁଡ୍ ଏବଂ ପ୍ରଦୂଷିତ ପାଣି ହୋଇ ଥାଇପାରେ । ଦୁଇଟି ଆବାସିକ ବାଳିକା ହଷ୍ଟେଲରେ ଏହା ବ୍ୟାପିଛି । ଏମାନଙ୍କୁ ପୃଥକ ଭାବେ ରଖାଯାଇଛି । ଯେମିତି ଏହା ଅଧିକ ପରିମାଣରେ ବ୍ୟାପିବ ନାହିଁ ।