ରବିବାର ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତରେ ଯାଉଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ତାଙ୍କ ଗସ୍ତର ଉଦ୍ଦେଶ୍ୟ । ପ୍ରଥମେ ସେ ଦୁଇଦିନିଆ ସିଙ୍ଗାପୁର ଗସ୍ତରେ ରହିବେ । ରବିବାର ସେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବେ । ସୋମବାର ସେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ଓଙ୍ଗ, ଉପପ୍ରଧାନମନ୍ତ୍ରୀ ଗନ କିମ୍ ୟୋଙ୍ଗ, ଶିକ୍ଷାମନ୍ତ୍ରୀ ଚାନ୍ ଚୁନ ସିଙ୍ଗ ଏବଂ ବିଦେଶ ମନ୍ତ୍ରୀ ଭିଭିଆନ ବାଲିକ୍ରିଷ୍ଣନଙ୍କୁ ଭେଟି ଆଲୋଚନା କରିବେ । ସେ ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବା ସହ ସ୍ଥାନୀୟ ମାଧ୍ୟମିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ । ଏଥିସହ ସେ ଆଇଆଇଟି ଓ ଆଇଆଇଏମ୍ର ପ୍ରତିନିଧି ଓ ଶିକ୍ଷାବିତଙ୍କୁ ଭେଟି ଦୁଇଦେଶର ଶିକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା କରିବେ ।
ସେହିଭଳି ୩ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଆସନ୍ତା ୨୩ ତାରିଖରେ ସେ ମେଲବୋର୍ଣ୍ଣ ଠାରେ ସେଠାକାର ଶିକ୍ଷାମନ୍ତ୍ରୀ ଜାସୋନ କ୍ଲାରଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏହି ଅବସରରେ ସେ ଅଷ୍ଟ୍ରେଲିଆ ଆନ୍ତର୍ଜାତିକ ଶିକ୍ଷା ସମ୍ମିଳନୀରେ ଉଦ୍ବୋଧନ ଦେବେ । ଆରଏମ୍ଆଇଟି ବିଶ୍ୱବିଦ୍ୟାଳୟର ‘ଡିସ୍କଭରୀ ଟୁ ଡିଭାଇସ୍’ କେନ୍ଦ୍ର ଏବଂ ମୋନାସ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ । ସେଠାରେ ସେ ଶିକ୍ଷାବିତ୍ ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
୨୪ ତାରିଖରେ ସେ ସିଡ୍ନୀ ଠାରେ ଅବୁର୍ଣ୍ଣ ଲଙ୍ଗ ଡେ ଚାଇଲ୍ଡ କେୟାର ସେଣ୍ଟର ଯିବେ । ଇନୋଭେଟିଭ ରିସର୍ଚ୍ଚ ୟୁନିର୍ଭର୍ସିଟିର ପ୍ରତିନିଧିଙ୍କ ସହ ଭାବ ବିନିମୟ କରିବେ ଏବଂ ଦ୍ୱିତୀୟ ଅଷ୍ଟ୍ରଲିଆ-ଭାରତ ଶିକ୍ଷା ଓ ଦକ୍ଷତା ପରିଷଦରେ ସାମିଲ ହେବେ ।
୨୫ ତାରିଖରେ ସେ ଗ୍ରାନଭିଲେ ସାଉଥ କ୍ରିଏଟିଭ୍ ଆଣ୍ଡ ପରଫର୍ମିଂ ଆର୍ଟସ ହାଇସ୍କୁଲ ପରିଦର୍ଶନ କରିବେ । ଏଥିସହ ମାକ୍ୱାରି ପାର୍କ ଇନୋଭେସନ ଡିଷ୍ଟ୍ରିକ୍ଟ (ଏମ୍ପିଆଇଡି) ବୁଲି ଯିବେ । ଏମ୍ପିଆଇଡି ହେଉଛି ୧୮୦ ବହୁରାଷ୍ଟ୍ରୀୟ କମ୍ପାନିର କେନ୍ଦ୍ର । ସେଠାରେ ଟେଲିକମ୍ୟୁନିକେସନ, ଡିଜିଟାଲ ଇଣ୍ଡଷ୍ଟ୍ରିଜ, ମେଡିକାଲ ଟେକ୍ନୋଲୋଜି ଓ ଫାର୍ମାସ୍ୟୁଟିକାଲ୍ସ ଭଳି ଅନେକ କମ୍ପାନି ରହିଛନ୍ତି ।