ପାପଡାହାଣ୍ଡିରେ ଅଭାବନୀୟ ଘଟଣା !ଶବକୁ ମିଳୁନି ଜାଗା I ପ୍ରଶାସନ ହସ୍ତକ୍ଷପ ପରେ ବି ଘରେ ପଡିଛି ଶବ
ପ୍ରଶାସନ ହସ୍ତକ୍ଷପ ପରେ ବି ଘରେ ପଡିଛି ଶବ
ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ପୋଣ୍ଡିକୋଟ ଗାଁରେ ଅଭାବନୀୟ ଘଟଣା ଘଟିଛି। ଶେଷକୃତ୍ୟ ପାଇଁ ଗାଁ ଶ୍ମଶାନରେ ସ୍ଥାନ ମିଳିଲାନି। ତେଣୁ ୨୪ ଘଣ୍ଟା ଧରି ଘରେ ରହିଛି ମରଶରୀର। ଆଜି ପ୍ରଶାସନ କବର ଦେବାକୁ ସ୍ଥାନ ଚିହ୍ନଟ କରି ଶେଷକୃତ୍ୟ ହେବ ବୋଲି ସୂଚନା ମିଳିଛି।ପ୍ରାୟ ଦୁଇ ବର୍ଷ ତଳେ ଉପରୋକ୍ତ ଗାଁର ଡୋମୁ ଜାନି ଧର୍ମ ପରିବର୍ତ୍ତନ କରିଥିଲେ । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ଧର୍ମ ପରିବର୍ତ୍ତନ କରିଥିବାରୁ କେଉଁଠି ତାଙ୍କ ମରଶରୀରକୁ କବର ଦିଆଯିବ ସେହି ଚିନ୍ତାରେ ପରିବାର ଲୋକ ପଡ଼ିଥିଲେ। ଗାଁ ଶ୍ମଶାନରେ ସ୍ଥାନ ଦେବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଗ୍ରାମବାସୀ ଆଦୌ ଅନୁମତି ଦେଇନଥିଲେ ତେଣୁ ଶେଷକୃତ୍ୟ ବିଳମ୍ବ ହେବାରେ ଲାଗିଲା। ଏନେଇ ପ୍ରଶାସନ ନିକଟରେ ଖବର ପହଞ୍ଚିବାରୁ ଅତରିକ୍ତ ତହସିଲଦାର ସସ୍ମିତା ଜେନା, ଏସ୍ଡିପିଓ ମୀନାକ୍ଷୀ ଠାକୁର, ଥାନା ଅଧିକାରୀ ଦୀପକ କୁମାର ଜେନା, ରାଜସ୍ବ ନିରୀକ୍ଷକ ଅର୍ଜୁନ ମାଝୀ ପ୍ରମୁଖ ଗାଁକୁ ଯାଇଥିଲେ। ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ବି ଗାଁ ଶ୍ମଶାନରେ ଶେଷକୃତ୍ୟ ହୋଇପାରିବ ନାହିଁ ବୋଲି ରୋକଠୋକ୍ ପ୍ରଶାସନକୁ ଜଣାଇଥିଲେ।
ଏମିତି ସ୍ଥିତିରେ ଶେଷକୃତ୍ୟ ନିମନ୍ତେ ଜମି ଚିହ୍ନଟ କରିବାକୁ ରାଜସ୍ବ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଆଖପାଖ ଅଞ୍ଚଳରେ ରାଜସ୍ବ ବିଭାଗର କୌଣସି ଜମି ନଥିବାରୁ ଶେଷକୃତ୍ୟ ନିମନ୍ତେ ସ୍ଥାନ ଚିହ୍ନଟ ହୋଇପାରିଲା ନାହିଁ। ଆଜି ଜମି ଚିହ୍ନଟ ପରେ ଶେଷକୃତ୍ୟ କରାଯିବ ବୋଲି ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି। ଶେଷ ଖବର ସୁଦ୍ଧା ଘରେ ହିଁ ରହିଥିଲା ଡୋମୁ ଜାନିଙ୍କ ମରଶରୀର।