ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଟିକ୍ରାପଡ଼ା ପଞ୍ଚାୟତ ଜାଠୁପାଲି ଗାଁର ଏକ ଗଭୀର ନଳକୂଅରୁ ସୁନା ବାହାରୁଥିବା ଚର୍ଚ୍ଚା ହେଉଛି । ଏହା ଦେଖିବାକୁ ହଳଦିଆ ରଙ୍ଗର । ଚକ୍ଚକ୍ କରୁଥିବା ଏକ ପ୍ରକାର ଧାତୁ । ଯାହାକୁ ଲୋକେ ସୁନା ବୋଲି ଅନୁମାନ କରିଛନ୍ତି ।
ଗତବର୍ଷ ଜେଠୁପାଲି ଗାଁର ପ୍ରସନ୍ନ ତାଣ୍ଡି ଘରବାଡ଼ିରେ ଏକ ଗଭୀର ନଳକୂଅ ଖନନ କରିଥିଲେ। ପ୍ରଥମେ ବିଶୁଦ୍ଧ ପାନୀୟ ଜଳ ବାହାରୁଥିଲା। ଗତ ୧୫ଦିନ ହେବ ନଳକୂଅରୁ ଗୋଳିଆ ପାଣି ବାହାରୁଛି । ପାଣିକୁ ଛାଣିବାରୁ ପଥରଖଣ୍ଡ ସହ ହଳଦିଆ ରଙ୍ଗର ଚକ୍ଚକ୍ କରୁଥିବା ଏକ ଧାତୁ ଆସୁଛି । ଏହି ହଳଦିଆ ରଙ୍ଗର ଧାତୁକୁ ଲୋକେ ସୁନା ବୋଲି କହିଛନ୍ତି । ଧାତୁକୁ ଜମି ମାଲିକ ସଂଗ୍ରହ କରି ନିଆଁରେ ପୋଡ଼ିବାରୁ ତରଳି ଯାଇ ଗୋଲାକାର ହୋଇଯାଇଥିଲା । ବଣିଆକୁ ଦେଖାଇବାରୁ ସେ ବି ସୁନା ବୋଲି ଅନୁମାନ କରିଛନ୍ତି । ଉକ୍ତ ଗଭୀର ନଳକୂଅ ତଳେ ସୁନା ଖଣି ରହିଥିବା ଚର୍ଚ୍ଚା ଜୋର୍ ଧରିଛି । ପ୍ରକୃତରେ ଏହା ସୁନା ନା ଅନ୍ୟ ଧାତୁ ତାହା ପରୀକ୍ଷା ନିରୀକ୍ଷା କଲାପରେ ଜଣାପଡ଼ିବବୋଲି ଟିକ୍ରାପଡ଼ା ସରପଞ୍ଚ ଯମୁନା ହରିଜନ କହିଛନ୍ତି ।