ବାତ୍ୟା ‘ଦାନା’ର ସମୀକ୍ଷା ଓ ପରବର୍ତ୍ତୀ ସହାୟତା ତଥା ପୁନରୁଦ୍ଧାର ପାଇଁ ଆସନ୍ତା ୨୮ ତାରିଖରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ସ୍ଥଗିତ ରହିବ । ଗୁରୁବାର ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ବିଭାଗ ପକ୍ଷରୁ କୁହାଯାଇଛି, ଯେଉଁ ଅଭିଯୋଗକାରୀମାନେ ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ତାଙ୍କ ଅଭିଯୋଗ ଶୁଣାଇବାକୁ ପଞ୍ଜୀକରଣ କରିଥିଲେ ସେମାନଙ୍କୁ ଆଉ ନୂତନ କିମ୍ବା ପୁନଃପଞ୍ଜୀକରଣ କରିବାକୁ ପଡ଼ିବନାହିଁ । ସେମାନେ ଆଗାମୀ ଦିନରେ ହେବାକୁ ଥିବା ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିପାରିବେ । ତେବେ ପରବର୍ତ୍ତୀ କେଉଁ ତାରିଖରେ ଜନଶୁଣାଣି ହେବ ସେନେଇ ଗଣମାଧ୍ୟମରେ ସୂଚନା ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।