ବାତ୍ୟା ”ଦାନା” ଆସୁଛି …..!
ସରକାର ପ୍ରସ୍ତୁତ .ଜିରୋ କାଜୁଆଲିଟି ଲକ୍ଷ !ସବୁ ବିଭାଗ ସତର୍କ ରୁହ .
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ସୋମବାର ସକାଳ ୫ଟା ୩୦ ମିନିଟ୍ ସମୟରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସକାଳେ ଅବପାତ ଏବଂ ଆସନ୍ତା ୨୩ ତାରିଖରେ ଏହି ସାମୁଦ୍ରକ ଘୂର୍ଣ୍ଣିଝଡ଼ ଏକ ପୂର୍ଣ୍ଣାଙ୍ଗ ବାତ୍ୟାର ରୂପ ନେବ ଓ ଭୂ-ଭାଗ ଆଡ଼କୁ ମୁହାଁଇବ। ନିର୍ଦ୍ଦିଷ୍ଟ ଭାବରେ ଏହା କେଉଁଠାରେ ଭୂ-ଭାଗ ସ୍ପର୍ଶ କରିବ ସ୍ପଷ୍ଟ ହୋଇ ନ ଥିଲେ ହେଁ ଉତ୍ତରଓଡ଼ିଶା -ପଶ୍ଚିମବଙ୍ଗ ମଧ୍ୟରେ ସ୍ଥଳଭାଗରେ ମାଡ଼ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ପ୍ରାରମ୍ଭିକ ଆକଳନ କରିଛନ୍ତି।
ବାତ୍ୟାଟି ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୧୦୦-୧୨୦ କିମି ପର୍ଯ୍ୟନ୍ତ ବହିବ ଓ ଅନେକ ସ୍ଥାନରେ ଅତି ପ୍ରବଳ ଓ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୨୩ ତାରିଖଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବାତ୍ୟା ଜନିତ ବର୍ଷା ଆରମ୍ଭ ହେବାକୁ ଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏହାର ପ୍ରଭାବ ଦେଖାଦେବ ବୋଲି ଆକଳନ କରାଯାଇଛି।
ବାତ୍ୟା ସମ୍ପର୍କରେ ସୂଚନା ଦେଇ ଆଇଏମ୍ଡି ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ୨୪ ଓ ୨୫ ତାରିଖରେ ଓଡ଼ିଶାରେ ଅଧିକ ବର୍ଷା ହେବ। ବିଶେଷ କରି ଉପକୂଳବର୍ତ୍ତୀ ଓଡ଼ିଶାରେ ଅଧିକ ବର୍ଷା ହେବ। କିଛି ସ୍ଥାନରେ ୨୦ରୁ ୩୦ ସେମି ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବା ବେଳେ ଆଉ କିଛି ସ୍ଥାନରେ ୩୦ ସେମିରୁ ଅଧିକ ବର୍ଷା ହେବ ବୋଲି ଡଃ ମହାପାତ୍ର କହିଛନ୍ତି। ତେବେ ଲଘୁଚାପ ସୃଷ୍ଟି ପରେ ବାତ୍ୟା କେଉଁଠାରେ ସ୍ଥଳଭାଗ ଛୁଇଁବ ଓ ଏହାର ତୀବ୍ରତା ସମ୍ପର୍କରେ ସଠିକ ସୂଚନା ପରବର୍ତ୍ତୀ ସମୟରେ ଜାରି କରାଯିବ ବୋଲି ଡ଼. ମହାପାତ୍ର କହିଛନ୍ତି