ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଜଳପାକେର ଗାଁର ଏକ ପାହାଡ଼ ଉପରୁ ନାବାଳକର ମୃତଦେହ ଉଦ୍ଧାର । ବଳି ପାଇଁ ନାବାଳକ ହତ୍ୟା କରଯାଇଥିବା ଅଭିଯୋଗ କରିଛନ୍ତି ମୃତ ନାବାଳକଙ୍କ ବାପା ଓ ପରିବାର ଲୋକ । କାଲି ସଂକ୍ରାନ୍ତି ଥିଲା। ସଞ୍ଜ ସମୟରୁ ନାବାଳକ ଘରୁ ବାହାରିଥିଲା ହେଲେ ଘରକୁ ଫେରିନଥିଲା । ଶେଷରେ ଖୋଜାଖୋଜି କରିବା ପରେ ଥାନାକୁ ଯାଇ ନିଖୋଜ ଥିବା ନେଇ ପରିବାର ଲୋକେ ଏତଲା ଦେଇଥିଲେ । ତେବେ ଆଜି ସକାଳୁ କିଛି ସ୍ଥାନୀୟ ଗ୍ରାମବାସୀ ନାବାଳକର ମୃତଦେହ ପାହାଡ଼ ଉପରେ ପଡିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏ ନେଇ ଘଟଣାସ୍ଥଳରେ ପରିବାର ଲୋକ ଓ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି । ତେବେ ସଂକ୍ରାନ୍ତିରେ ପୁଅକୁ ବଳି ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତ ନାବାଳକଙ୍କ ବାପା ।
ଘଟଣାସ୍ଥଳରେ ଡଗସ୍କ୍ବାର୍ଡ ସହ ସାଇଣ୍ଟିଫିକ ଟିମ ପହଞ୍ଚି ଛାନ ଭିନ କରିଛି । ନାବାଳକ ଛାତିରେ ରକ୍ତ ବାହାରୁଥିବା କେବଳ ଜଣାପଡିଛି । ସେପଟେ ଏହି ସ୍ଥାନରେ ୯ ବର୍ଷ ଆଗରୁ ମଧ୍ୟ ଜଣେ ଶିଶୁକୁ ବଳି ଦିଆଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେପଟେ ଅପରାଧୀକୁ ଧରିବା ସହ ନିରୀହ ନିଷ୍ପାପ ଶିଶୁର ହତ୍ୟା ଭଳି ଘଟଣାରେ ପରିବାର ଲୋକଙ୍କୁ ନ୍ୟାୟ ଦେବା ଦାବିରେ ଲାଠୋର ଖପ୍ରାଖୋଲ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ଏ ନେଇ ପାଟଣାଗଡ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସମସ୍ତ ଦିଗକୁ ନେଇ ତଦନ୍ତ କରାଯାଉଥିବା କହିଛନ୍ତି। ଏ ନେଇ ତଦନ୍ତ ସହ ନାବାଳକର ମୃତଦେହ ବ୍ୟବଛେଦ ପାଇଁ ପଠାଇଛି ପୋଲିସ । ଏ ନେଇ ଜଣେ ଗ୍ରାମବାସୀକୁ ସନ୍ଦେହରେ ଅଟକ ରଖି ପଚରାଉଚୁରା କରୁଛି ପୋଲିସ। ନିରୀହ ନିଷ୍ପାପ ଶିଶୁମାନଙ୍କୁ ବଳି ଦେବା ଘଟଣା ବଲାଙ୍ଗୀର ଜିଲ୍ଲାରେ କିଛି ନୁଆଁ ନୁହେଁ । ଯଦି ଏହି ହତ୍ୟାକାଣ୍ଡ ବଳି ପାଇଁ ହୋଇଥାଏ ତା’ହେଲେ ଏହା ସାଂଘାତିକ କାରଣ ବଳି ଦେଇ ଜେଲ ଯାଇଥିବା ଗୁଣିଆ ଏବେ ମଧ୍ୟ ଜେଲରୁ ଫେରାର ହୋଇ ବାହାରେ ବୁଲୁଥିବାବେଳେ ଗୁଡାଏ ଗୁଣିଆ ଏବେ ଗୁପ୍ତ ଧନ ଓ ସିଦ୍ଧି ପ୍ରାପ୍ତି ପାଇଁ ଏଭଳି କାଣ୍ଡ ଭିଆଉଛନ୍ତି । ଯାହାକୁ ନେଇ ପୋଲିସ ଓ ପ୍ରଶାସନ ସଚେତନ ହେବା ସହ ଠୋସ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।