ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନା ନାଁରେ ସାଇବର ଠକ ହିତାଧିକାରୀଙ୍କ ଟଙ୍କା ହଡ଼ପ କରୁଛନ୍ତି । ହିତାଧିକାରୀଙ୍କ ଅସଲି ଆଧାର କାର୍ଡ, ଫଟୋ, ଫିଙ୍ଗରପ୍ରିଣ୍ଟକୁ ଜାଲ୍ କରି ସାଇବର ଠକ ଜଣକ ନିଜ ନାଁରେ ଆଉ ଏକ ସୁଭଦ୍ରା ଆକାଉଣ୍ଟ ଖୋଲୁଛନ୍ତି । ସେଥିରେ ଲିଙ୍କ୍ କରିଥିବା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସୁଭଦ୍ରା ଯୋଜନାକୁ ଆସୁଥିବା ସରକାରୀ ଅର୍ଥକୁ ଲୁଟି ନେଉଛନ୍ତି । ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏଭଳି ଏକାଧିକ ଅଭିଯୋଗ ହେଲାଣି। ନୟାଗଡ଼ ଅଞ୍ଚଳର ହିତାଧିକାରୀ ୫୫ ବର୍ଷୀୟ ଉଲ୍ଲାସ ବେହେରାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟକୁ ଆସିଥିବା ୫ ହଜାର ଟଙ୍କାକୁ ସାଇବର ଠକ ଲୁଟିଛନ୍ତି । ମଙ୍ଗଳବାର ଏନେଇ ସେ ଝିଅ ସୁନୀତା ପ୍ରଧାନଙ୍କ ସହ ସାଇବର ଥାନାରେ ଏତଲା ଦେଇଛନ୍ତି । ସୁନୀତାଙ୍କ ଅଭିଯୋଗ ମୁତାବକ, ଗତ ୯ ତାରିଖ ସକାଳ ୭ଟା ୪୫ ମିନିଟ୍ରେ ସୁଭଦ୍ରା ଯୋଜନା ଅର୍ଥ ଆସିଥିବା ନେଇ ତାଙ୍କ ମୋବାଇଲ୍କୁ ମେସେଜ ଆସିଥିଲା । ସେମାନେ ସଙ୍ଗେ ସଙ୍ଗେ ନିକଟସ୍ଥ ବ୍ୟାଙ୍କ ଶାଖାକୁ ଧାଇଁ ଯାଇଥିଲେ । ହେଲେ ତାଙ୍କ ମାଆଙ୍କ ବ୍ୟାଙ୍କ ଖାତାରେ ଟଙ୍କାଟିଏ ନଥିଲା । ମାଆଙ୍କ ଆଧାର କାର୍ଡରେ ଲିଙ୍କ୍ ହୋଇଥିବା ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟକୁ ସବୁ ଟଙ୍କା ଚାଲିଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ । ଉକ୍ତ ଆକାଉଣ୍ଟଟି ଉଲ୍ଲେଖ ଥିବା ମୋବାଇଲ୍ ନମ୍ବରଟି ବୈଧ ନୁହେଁ ବୋଲି ଜାଣିବା ପରେ ବାପା-ଝିଅ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏହାସହ ଗ୍ୟାସ୍ ସବ୍ସିଡି ଓ ଅନ୍ୟାନ୍ୟ ସରକାରୀ ଅର୍ଥ ସମ୍ପୃକ୍ତ ସାଇବର ଠକର ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଛି।
କେବଳ ଉଲ୍ଲାସ ଏକୁଟିଆ ଏମିତି ସାଇବର ଠକେଇର ଶିକାର ହୋଇନାହାନ୍ତି। ଗାଁ ଗାଁରେ ଅନେକ ଅଶିକ୍ଷିତ ଓ ଗରିବ ଲୋକ ଏହି ସାଇବର ଠକେଇ ଜାଲରେ ଫସି ଚାଲିଛନ୍ତି । ଏନେଇ ସାଇବର ଥାନା ଏସିପି ଅଞ୍ଜନା ଟୁଡୁ କହିଛନ୍ତି, ହିତାଧିକାରୀଙ୍କ ଫିଙ୍ଗରପ୍ରିଣ୍ଟ, ଆଧାରକାର୍ଡ, ପାସ୍ପୋର୍ଟ ସାଇଜ୍ ଫଟୋଚିତ୍ରକୁ ନିଶ୍ଚିତ ଭାବେ ଅପବ୍ୟବହାର କରାଯାଇଛି । ସାଇବର ଠକଙ୍କ ଏହା ଏକ ନୂଆ ଚାଲ୍ । ଜନସେବା କେନ୍ଦ୍ରରେ ଆକାଉଣ୍ଟ ଖୋଲିବା ବେଳେ ସତର୍କ ରହିବା ସହ ନିଜର ବ୍ୟକ୍ତିଗତ ତଥ୍ୟ ଅପରିଚିତ ବ୍ୟକ୍ତିଙ୍କୁ ନ ଦେବାକୁ ଅଞ୍ଜନା ପରାମର୍ଶ ଦେଇଛନ୍ତି ।