ହଜ୍ ତୀର୍ଥଯାତ୍ରା ନାଁରେ ବଡ଼ ଧରଣର ଠକେଇ ରୢାକେଟ୍ର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧା ଶାଖା (ଇଓଡବ୍ଲ୍ୟୁ)। ଏହି ମାମଲାରେ ଇଓଡବ୍ଲ୍ୟୁ ଭଦ୍ରକର ଅଲ୍ ଆଦାମ ଟୁର୍ ଆଣ୍ଡ୍ ଟ୍ରାଭେଲ୍ସର ମାଲିକ ଫିରଦୋଷ ବି ଅବଦୁଲ୍ ମୁବିନ୍ ଶେଖ୍, ତାଙ୍କ ପୁଅ ନବିଲ୍ ଅବଦୁଲ୍ ମୁବିନ ଶେଖ ଓ ତାଙ୍କ ଝିଅ ସଇମା ଅଞ୍ଜୁମ୍ ଶେଖ ଏବଂ ପଶ୍ଚିମ ମୁମ୍ବାଇର ଅଲ୍- ଇଜ୍ମା ଟୁର୍ ଆଣ୍ଡ ଟ୍ରାଭେଲ୍ସ ମାଲିକ ମହମ୍ମଦ ବିସମିଲ୍ଲା ଶେଖ୍ଙ୍କ ନାମରେ ମାମଲା ରୁଜୁ କରିଛି। ଏହି ଦୁଇ ଟ୍ରାଭେଲ୍ସ ଏଜେନ୍ସି ୧୮୯ଜଣ ହଜ୍ ଯାତ୍ରୀଙ୍କଠାରୁ ୧କୋଟି ୨୦ ଲକ୍ଷ ଟଙ୍କା ଚୂନ ଲଗାଇବା ଅଭିଯୋଗ ହୋଇଥିଲା।
ଏହି ମାମଲାରେ ଇଓଡବ୍ଲ୍ୟୁ ନବିଲ୍ ଅବଦୁଲ୍ ମୁବିନ ଶେଖକୁ ମୁମ୍ବାଇରୁ ଗିରଫ କରିଛି। ଗିରଫ ପରେ ତାକୁ ମୁମ୍ବାଇ ଅନ୍ଧେରୀସ୍ଥିତ ଜେଏମ୍ଏଫ୍ସି କୋର୍ଟରେ ହାଜର କରି ଟ୍ରାନଜିଟ୍ ରିମାଣ୍ଡରେ ଭୁବନେଶ୍ବର ଆଣି ବାଲେଶ୍ବର ଓପିଆଇଡି କୋର୍ଟ ଚାଲାଣ କରାଯାଇଛି।
ଏହି ଦୁଇଟି ଟ୍ରାଭେଲ୍ସ ଏଜେନ୍ସି ଆପରାଧିକ ଷଡ଼୍ଯନ୍ତ୍ର କରି ଭଦ୍ରକ, ବାଲେଶ୍ବର, ବାରିପଦାର ୧୮୯ ଜଣ ହଜ୍ ଯାତ୍ରୀଙ୍କୁ (ଉମ୍ରା) ଉପଲକ୍ଷେ ସାଉଦି ଆରବ ବୁଲାଇ ନେବା ନାଁରେ ଠକେଇ କରି ଚମ୍ପଟ ମାରିଥିଲେ। ଏହି ଦୁଇ ଟ୍ରାଭେଲ୍ସ ଏଜେନ୍ସି ମହାରାଷ୍ଟ୍ର ଓ ଦିଲ୍ଲୀରେ ସମାନ ଢଙ୍ଗରେ ବିପୁଳ ପରିମାଣର ଅର୍ଥ ହଡ଼ପ କରିଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଦୁଇ ଟ୍ରାଭେଲ୍ସ ଏଜେନ୍ସିର ଅନ୍ୟ ଅଭିଯୁକ୍ତମାନଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଖୋଜୁଛି। ଗିରଫ ଅଭିଯୁକ୍ତର ପାକିସ୍ତାନ ଏକ କ୍ୟାଟରିଂ ଏଜେନ୍ସି ସହ ଆର୍ଥିକ କାରବାର ହୋଇଥିବା ଖୋଳତାଡ଼ରୁ ଜଣାପଡ଼ିବା ପରେ ତଦନ୍ତକାରୀ ସଂସ୍ଥା ଏହାକୁ ଗୁରୁତ୍ବର ସହ ନେଇଛି।
ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ କାଜିମହଲର ମିର୍ ଖୁର୍ସିଦ ଏନେଇ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ସେ ତାଙ୍କ ଅଭିଯୋଗରେ ଅଲ୍ ଆଦାମ୍ ଟୁର ଆଣ୍ଡ ଟ୍ରାଭେଲ୍ସ ମାଲିକ ଓ ତାଙ୍କ ପୁଅ, ଝିଅ ନାଁରେ ମାମଲା କରିବା ସହ ମୁମ୍ବାଇର ଅଲ୍- ଇଜ୍ମା ଟୁର ଆଣ୍ଡ ଟ୍ରାଭେଲ୍ସ ମାଲିକ ବିରୋଧରେ ଅଭିଯୋଗ କରିଥିଲେ। ଏହି ଦୁଇ ଟ୍ରାଭେଲ୍ସ ସଂସ୍ଥା ଜଣ ପିଛା ୪୫,୭୮୬ ଏବଂ ୫୦,୭୮୬ ଟଙ୍କା ନେଇ ସାଉଦି ଆରବ ବୁଲାଇବା ସହ ହଜ୍ କରାଇବା ନାଁରେ ଟଙ୍କା ସଂଗ୍ରହ କରିଥିଲେ। ଇଓଡବ୍ଲ୍ୟୁର ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଅଲ୍ ଆଦାମ୍ ଟୁର୍ ଆଣ୍ଡ ଟ୍ରାଭେଲ୍ସ ଏଜେନ୍ସି ୨୦୧୯ରୁ ୨୦୨୩ ମସିହା ମଧ୍ୟରେ ସୋସିଆଲ ମିଡିଆରେ ଆକର୍ଷଣୀୟ ପ୍ୟାକେଜ୍ ସହ ବିଜ୍ଞାପନ ଦେଇଥିଲା। ଯେଉଁଥିରେ ସେମାନେ ମୁସଲିମ୍ ସଂପ୍ରଦାୟର ଲୋକଙ୍କୁ ଆକର୍ଷିତ କରିବା ପାଇଁ ଦୁଇଟି ପ୍ୟାକେଜ ବ୍ୟବସ୍ଥା ଜରିଆରେ ଉମ୍ରା ଭ୍ରମଣ ନାଁରେ ଆରବ ଦେଶକୁ ବୁଲାଇବା ସହ ମକ୍କା ଓ ମଦ୍ଦିନା ନେବାର ପ୍ରତିଶ୍ରୁତି ଦେଇଥିଲା। ଆଶାୟୀ ଯାତ୍ରୀ, ଏଜେନ୍ସି ତରଫରୁ ଦିଆଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିଲେ। ୨୦୨୩ ମସିହାର ପ୍ରଥମ ୬ ମାସ ପର୍ଯ୍ୟନ୍ତ ଟଙ୍କା ସଂଗ୍ରହ କରିବା ପରେ ଫିରଦୋଷ ଓ ନବିଲ୍ ମୋବାଇଲ ଫୋନ୍ ବନ୍ଦ କରି ଫେରାର ହୋଇଯାଇଥିଲେ। ସଂଗୃହୀତ ଟଙ୍କାକୁ ଅଭିଯୁକ୍ତମାନେ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ଏପରିକି କିଛି ଟଙ୍କା ଏଟିଏମ୍ ଜରିଆରେ ଉଠାଇ ନେଇଥିଲେ। କିଛି ଯାତ୍ରୀଙ୍କୁ ଟଙ୍କା ଫେରସ୍ତ ପାଇଁ ଚେକ୍ ଦିଆଯାଇଥିବା ବେଳେ ବ୍ୟାଙ୍କ୍ରେ ତାହା ବାଉନ୍ସ ହୋଇଯାଇଥିଲା।