ଆମ୍ ଆଦମୀ ପାର୍ଟି(ଆପ୍) ନେତା ଆତିଶୀ ମାର୍ଲେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଶନିବାର ରାଜ ନିୱାସଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସୁଲତାନପୁର ମାଜରା ବିଧାୟକ ମୁକେଶ ଅହଲୱାତ ପ୍ରଥମ ଥର ପାଇଁ ଦିଲ୍ଲୀ ସରକାରରେ ମନ୍ତ୍ରୀ ହୋଇଛନ୍ତି। ଅପରପକ୍ଷରେ ଗୋପାଳ ରାୟ, ସୌରଭ ଭରଦ୍ୱାଜ, କୈଲାସ ଗେହଲୋଟ୍, ଇମ୍ରାନ ହୁସେନ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ।
ଏହାପୂର୍ବରୁ ସେପ୍ଟେମ୍ବର ୧୭ରେ ଅରବିନ୍ଦ କେଜ୍ରିୱାଲ ଏକ୍ସାଇଜ ନୀତି ସହ ଜଡିତ ଏକ ମାମଲାରେ ତିହାର ଜେଲରୁ ଜାମିନରେ ମୁକୁଳିବା ପରେ ସିଏମ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଆମ୍ ଆଦମୀ ପାର୍ଟି ବିଧାନସଭା ଦଳର ବୈଠକରେ ଆତିଶୀଙ୍କୁ ସର୍ବସମ୍ମତି କ୍ରମେ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ କରାଯାଇଥିଲା।