ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇସ୍ତଫା ଦେବାକୁ ଘୋଷଣା କରିବା ପରେ ଜାତୀୟ ରାଜଧାନୀରେ ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଜାରି ଥିବାବେଳେ ନିଜ ଘୋଷଣା ଅନୁସାରେ କେଜରିୱାଲ ମଙ୍ଗଳବାର ଇସ୍ତଫା ଦେବାକୁ ଯାଉଛନ୍ତି । ଏଥିପାଇଁ ସେ ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ସମୟ ମାଗିଥିଲେ । ଉପରାଜ୍ୟପାଳ ତାଙ୍କୁ ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟାରେ ଭେଟିବାକୁ ସମୟ ଦେଇଛନ୍ତି । ଏହି ସମୟରେ ସେ ତାଙ୍କ ଇସ୍ତଫା ପତ୍ର ଉପରାଜ୍ୟପାଳଙ୍କୁ ଦେଇପାରନ୍ତି ।
ଅନ୍ୟପକ୍ଷରେ ମଙ୍ଗଳବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଆମ୍ ଆଦମୀ ପାର୍ଟି(ଆପ୍) ର ବିଧାୟକ ଦଳ ବୈଠକ ବସିବ । ଏହି ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ଲାଗିପାରେ । ଏହା ପୂର୍ବରୁ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ରାଘବ ଚଢ଼ା କେଜରିୱାଲଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଥିଲେ । ଦୁଇ ନେତାଙ୍କ ମଧ୍ୟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚର୍ଚ୍ଚା ହୋଇଥିବା କୁହାଯାଉଛି । ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାସ ଗେହଲଟ ଏବଂ ମନ୍ତ୍ରୀ ଗୋପାଳ ରାୟ କେଜରିୱାଲଙ୍କ ଘରେ ପହଞ୍ଚିଥିଲେ । ଉଭୟେ ଆପ୍ର ରାଜନୈତିକ ମାମଲା ଦେଖୁଥିବା ପଲିଟିକାଲ ଆଫେୟାର୍ସ କମିଟି(ପିଏସି) ବୈଠକରେ ଯୋଗ ଦେଇଥିଲେ । ସିସୋଦିଆ, ସଞ୍ଜୟ ଶର୍ମା, ଆତିଶି, ଇମ୍ରାନ ହୁସୈନ, ରାଘବ ଚଢ଼ା, ପଙ୍କଜ ଗୁପ୍ତା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ଏହି ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ସମେତ ଦଳର ଆଗାମୀ ରଣନୀତି ଉପରେ ଆଲୋଚନା ହୋଇଛି ।
ଗତ ୧୩ ତାରିଖରେ କେଜରିୱାଲ ମଦ ନୀତି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ପାଇ ମୁକୁଳିବା ପରେ ଇସ୍ତଫା ଦେବା ଲାଗି ଘୋଷଣା କରିଥିଲେ । ସୁପ୍ରିମକୋର୍ଟରୁ ନ୍ୟାୟ ମିଳିଛି । ସେ ନିର୍ଦ୍ଦୋଷ ବୋଲି ଜନତା କହିବା ପରେ ମୁଖ୍ୟମନ୍ତ୍ରୀ ଚୌକିରେ ବସିବେ ବୋଲି କେଜରିୱାଲ କହିଥିଲେ । ତାଙ୍କ ଇସ୍ତଫା ପରେ କୈଳାସ ଗେହଲଟ, ଗୋପାଳ ରାୟ, ଆତିଶି କିମ୍ବା କେଜରିୱାଲଙ୍କ ସ୍ତ୍ରୀ ସୁନୀତା କେଜରିୱାଲଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।