ଓଡିଶାରାଜ୍ୟଶୀର୍ଷ ଖବର

ପେନ୍‌ସନ୍‌ କାହାର ଦୟା ନୁହେଁ

ଓଡ଼ିଶା ହାଇକୋର୍ଟ କେନ୍ଦ୍ର ସରକାରଙ୍କ ପିଟିସନ୍‌କୁ ରଦ୍ଦ କରିଛନ୍ତି ।

ପେନ୍‌ସନ୍‌ କାହାର ଦୟା ନୁହେଁ । ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପରିବାର ପାଇଁ ପେନ୍‌ସନ୍‌ ଏକ ସାମାଜିକ ସୁରକ୍ଷା ଭଳି କାର୍ଯ୍ୟ କରେ ଏବଂ ଏହା ତାଙ୍କ ପରିବାର ପାଇଁ ଆର୍ଥିକ ମେରୁଦଣ୍ଡ ଭଳି କାମ କରେ ବୋଲି ପେନସନ୍‌ ସଂପର୍କିତ ଏକ ମାମଲାର ରାୟ ପ୍ରକାଶ କରି ଓଡ଼ିଶା ହାଇକୋର୍ଟ ମତବ୍ୟକ୍ତ କରିବା ସହ କେନ୍ଦ୍ର ସରକାରଙ୍କ ପିଟିସନ୍‌କୁ ରଦ୍ଦ କରିଛନ୍ତି । ଆବେଦନକାରୀଙ୍କଠାରୁ ଆଦାୟ ହୋଇଥିବା ଅର୍ଥ ୧୫ଦିନ ମଧ୍ୟରେ ଫେରସ୍ତ କରିବାକୁ ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଏବଂ ଜଷ୍ଟିସ୍‌ ଚିତ୍ତ ରଞ୍ଜନ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରୁ ଜଣାଯାଇଛି ଯେ, ଆବେଦନକାରିଣୀ ଅନସୂୟା ଦାଶଙ୍କ ସ୍ୱାମୀ ରମାକାନ୍ତ ମିଶ୍ର ରାୟଗଡ଼ା ପୋଷ୍ଟାଲ ଡିଭିଜନ୍‌ରେ ଅଧୀକ୍ଷକ ଭାବେ କାର୍ଯ୍ୟ କରୁଥିଲା ବେଳେ ସବ୍‌ ପୋଷ୍ଟମାଷ୍ଟର ଆଦିତ୍ୟ କୁମାର ମାଝୀଙ୍କୁ ଭବାନୀପାଟଣା ସବ୍‌ ପୋଷ୍ଟଅଫିସ୍‌କୁ ଡେପୁଟେସନ୍‌ରେ ବଦଳି କରିଥିଲେ । ଆଦିତ୍ୟ ମାଝୀ ସେଠାରେ ଥିଲାବେଳେ ୨୫ଲକ୍ଷ ଟଙ୍କାର ଜାଲିଆତି କରିଥିବା ନେଇ ଅଭିଯୋଗ ହୋଇଥିଲା । ଏଥିପାଇଁ ରମାକାନ୍ତ ମିଶ୍ରଙ୍କୁ ଦାୟୀ କରାଯାଇ ତାଙ୍କଠାରୁ ୨ଲକ୍ଷ ଟଙ୍କା ଆଦାୟ ପାଇଁ ଭୁବନେଶ୍ୱର ପୋଷ୍ଟମାଷ୍ଟର ଜେନେରାଲ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶକୁ ଚାଲେଞ୍ଜ କରି ରମାକାନ୍ତ କ୍ୟାଟ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ । କ୍ୟାଟ୍‌ ଶୁଣାଣି କରି ତାଙ୍କଠାରୁ ଆଦାୟ କରାଯାଇଥିବା ଅର୍ଥକୁ ୩୦ଦିନ ମଧ୍ୟରେ ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କେନ୍ଦ୍ର ସରକାର ଏହି ଆଦେଶ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ସମୟ ମଧ୍ୟରେ ରମାକାନ୍ତଙ୍କ ଦେହାନ୍ତ ହୋଇଯାଇଥିଲା । ତାଙ୍କ ସ୍ଥାନରେ ତାଙ୍କ ପତ୍ନୀ ଅନସୂୟା ମାମଲାରେ ପକ୍ଷ ହୋଇଥିଲେ ।

ମାମଲାର ଶୁଣାଣି ଅବସରରେ ରମାକାନ୍ତ ମିଶ୍ର ଠାରୁ ୨ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା ବେଳେ ସେହି ଆଧାରରେ ତାଙ୍କ ପତ୍ନୀ ପାଇବାକୁ ଥିବା ପେନ୍‌ସନ୍‌ରେ ମଧ୍ୟ କଟି ଯାଇଥିବା ହାଇକୋର୍ଟ ଜାଣିବାକୁ ପାଇଥିଲେ । ହାଇକୋର୍ଟ ଶୁଣାଣି ଅବସରରେ କହିଛନ୍ତି ଯେ, ଜାଲିଆତି ଘଟଣାରେ ଆବେଦନକାରିଣୀଙ୍କ ସ୍ୱାମୀଙ୍କର ସିଧାସଳଖ କୌଣସି ପ୍ରକାର ସମ୍ପୃକ୍ତି ନାହିଁ । ଦ୍ୱିତୀୟରେ ପୋଷ୍ଟମାଷ୍ଟର ଜେନେରାଲ ରମାକାନ୍ତ ମିଶ୍ରଙ୍କୁ ପକ୍ଷ ରଖିବାର ସୁଯୋଗ ନଦେଇ ତାଙ୍କଠାରୁ ୨ଲକ୍ଷ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅପରପକ୍ଷରେ ଆବେଦନକାରୀଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ପେନ୍‌ସନ୍‌ କମ୍‌ ପାଇବାର କୌଣସି କାରଣ ନାହିଁ ବୋଲି ହାଇକୋର୍ଟ ମତ ଦେବା ସହ ସମସ୍ତ ଅର୍ଥ ୧୫ ଦିନରେ ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!