ଓଡିଶାରାଜ୍ୟଶୀର୍ଷ ଖବର

ସୁଭଦ୍ରା’ ଆବେଦନ ସମ୍ପୂର୍ଣ୍ଣ ମାଗଣା

ଫର୍ମ ଅପ୍‌ଲୋଡିଂ ଖର୍ଚ୍ଚ ବି ସରକାର ଦେଉଛନ୍ତି

ସୁଭଦ୍ରା’ ଆବେଦନ ସମ୍ପୂର୍ଣ୍ଣ ମାଗଣା । ଏପରିକି ଫର୍ମ ଅପ୍‌ଲୋଡିଂ ଖର୍ଚ୍ଚ ବି ସରକାର ଦେଉଛନ୍ତି । ତେଣୁ ଯଦି କେହି ‘ସୁଭଦ୍ରା’ ପାଇଁ ଟଙ୍କା ନିଏ ବା ଦାବି କରେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ କୁହାଯାଇଛି । ମିଳିଥିବା ସୂଚନା ମୁତାବକ, ୧୦ ତାରିଖ ସୁଦ୍ଧା ୧୫ ଲକ୍ଷରୁ ଅଧିକ ଫର୍ମ ପଞ୍ଜୀକରଣ ହୋଇଛି । ଏହି ଯୋଜନା ଅନ୍ତର୍ଗତ ଆବେଦନ ଫର୍ମ ବିତରଣ ଓ ଅନ୍‌ଲାଇନ୍‌ ପଞ୍ଜୀକରଣ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । କିନ୍ତୁ କେତେକ ସ୍ଥାନରେ ଅଙ୍ଗନବାଡ଼ି କର୍ମୀ, ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ୫୦ରୁ ୨୦୦ ଟଙ୍କା ଅର୍ଥ ଦାବି କରୁଥିବା ସୂଚନା ମିଳୁଛି । ଯେକୌଣସି ସ୍ଥାନରେ ଏମିତି ହେଉଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ସ୍ପଷ୍ଟ କରିଛି ।

ସୂଚନାଯୋଗ୍ୟ, ଆବେଦନ ଫର୍ମ ବଣ୍ଟନରେ ଅବହେଳା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦ୍ୱାରା ଜଣେ ଅଙ୍ଗନବାଡ଼ିକର୍ମୀଙ୍କ ମାସକର ଦରମା ବନ୍ଦ କରାଯାଇଛି । ଫର୍ମ ପଞ୍ଜୀକରଣ ପାଇଁ ଟଙ୍କା ମାଗିବା ଅଭିଯୋଗରେ କେନ୍ଦ୍ରାପଡ଼ା ଡେରାବିଶସ୍ଥିତ ଜନସେବା କେନ୍ଦ୍ରକୁ ସାମୟିକ ବନ୍ଦ କରିଦିଆଯାଇଛି । ଏତଦ୍ ବ୍ୟତିତ ହେଲ୍ପଲାଇନ୍‌ ନମ୍ବରକୁ ଆସିଥିବା ଏକ କଲ୍‌କୁ ଆଧାର କରି କଟକ ଜିଲ୍ଲା ଆଠଗଡ଼ରେ ଏକ ମୋ ସେବା କେନ୍ଦ୍ରରେ ଫର୍ମ ବିକ୍ରି ଓ ପୂରଣ ବାବଦରେ ୧୦୦ ଟଙ୍କା ଅର୍ଥ ଦାବି ଅଭିଯୋଗ ବିରୋଧରେ କଟକ ମହାନଗର ନିଗମ ପକ୍ଷରୁ ଏତଲା ଦାଖଲ ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା³ ‘ସୁଭଦ୍ରା’ ଫର୍ମର ସମସ୍ତ ପ୍ରକ୍ରିୟା, ସ୍କାନିଂ ଓ ଅପ୍‌ଲୋଡ ପାଇଁ ଜିଏସ୍‌ଟି ସହ ପ୍ରତି ଫର୍ମ ପିଛା ୧୫ ଟଙ୍କା ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଉଦ୍ଦିଷ୍ଟ କେନ୍ଦ୍ରକୁ ପ୍ରଦାନ କରାଯାଉଛି । ତେଣୁ ଜନସାଧାରଣଙ୍କ ଅବଗତି ନିମନ୍ତେ ବିଭାଗ ପକ୍ଷରୁ ଜଣାଇ ଦିଅଯାଉଛି କି, ଯେକୌଣସି କେନ୍ଦ୍ରରେ କେହି କର୍ମଚାରୀ କୌଣସି କାରଣ ଦର୍ଶାଇ ଅର୍ଥ ଦାବି କରିବା ଦୃଷ୍ଟିକୁ ଆସିଲେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରନ୍ତୁ । ଉକ୍ତ କର୍ମଚାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!