ଅଧିକ ନିଶା ସେବନ କାରଣରୁ ନିଶା ନିବାରଣ କେନ୍ଦ୍ରରେ ଥିଲେ ଯୁବକ । ସେଠାରୁ ଫେରି ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ସୁନ୍ଦରପଦା ପ୍ରଧାନସହିର ଯୁବକ ସୁମନ୍ତ ପଣ୍ଡା ବୋଲି ଜଣାପଡ଼ିଛି । ଭୁବନେଶ୍ୱର ସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଅତ୍ୟଧିକ ନିଶା ସେବନ ଯୋଗୁଁ ସୁମନ୍ତଙ୍କୁ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ ତାଙ୍କ ପରିବାର ଲୋକେ । ତେବେ ନିଶା ନିବାରଣ କେନ୍ଦ୍ରରେ ହଠାତ ଯୁବକଙ୍କ ଶରୀର ଅସୁସ୍ଥ ହୋଇ ଯାଇଥିଲା । ଏହା ଦେଖି ଉକ୍ତ କେନ୍ଦ୍ରର କର୍ମଚାରୀ ପରିବାର ଲୋକଙ୍କୁ ଡକାଇ ଘରକୁ ପଠାଇ ଦେଇଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା । ହେଲେ ରବିବାର ସଂଧ୍ୟାରେ ସୁମନ୍ତକୁ କ୍ୟାପିଟାଲ ହସ୍ପିଟାଲ ନେବା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିଲା । ତେବେ ନିଶା ନିବାରଣ କେନ୍ଦ୍ରରେ କୌଣସି ପ୍ରକାର ନିର୍ଯ୍ୟାତନ ଦିଆଯାଇ ନାହିଁ ଏବଂ କେନ୍ଦ୍ରର ସମସ୍ତ ସ୍ଥାନରେ ସିସିଟିଭି ଲାଗିଛି ବୋଲି ଉକ୍ତ କେନ୍ଦ୍ରର ପରିଚାଳକ କହିଛନ୍ତି ।