ଓଡିଶାଟ୍ୱିନ ସିଟିରାଜ୍ୟଶୀର୍ଷ ଖବର
Trending

ମୋଦୀ ଭେଟିଦେବେ ୮ ରେଳ ପ୍ରକଳ୍ପ

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଆଜି

ଓଡ଼ିଶା ଗସ୍ତ ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରୁ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ୨,୮୭୧ କୋଟି ଟଙ୍କାରେ ୪ଟି ଲେଖାଏଁ ରେଳ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ଦ୍ବାରା ଶିଳ୍ପ, ସମ୍ବଳ ସମୃଦ୍ଧ ଓ ଆଦିବାସୀ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ରେଳ ନେଟୱାର୍କକୁ ମଜବୁତ ହେବ। ଉଦ୍‌ଘାଟିତ ହେବାକୁ ଥିବା ୪ଟି ପ୍ରମୁଖ ପ୍ରକଳ୍ପଗୁଡ଼ିକ ହେଉଛି ୨୫.୩୯୪ କିମିର ଲାଞ୍ଜିଗଡ ରୋଡ୍-ଆମ୍ବାଡୋଲା-ଡୋଇକାଲୁ ରେଳ ସେକ୍ସନ, ଯାହାକି ବିଜୟନଗରମ୍‌-ଟିଟିଲାଗଡ ତୃତୀୟ ଲାଇନ ପ୍ରକଳ୍ପର ଏକ ଅଂଶ। ଏହାର ଆନୁମାନିକ ମୂଲ୍ୟ ୪୩୨ କୋଟି ରହିଛି।

ସେହିପରି କୋରାପୁଟ-ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପର ଲକ୍ଷ୍ମୀପୁର ରୋଡ୍-ସିଙ୍ଗରମ-ଟିକିରି ରେଳ ସେକ୍ସନର ୨୨.୯୪ କିମି। ଯେଉଁଥିରେ ୨୬୦ କୋଟି ଖର୍ଚ୍ଚ ହୋଇଛି। ଏହି ପ୍ରକଳ୍ପ ଦକ୍ଷିଣ ଓଡ଼ିଶାରେ ଟ୍ରେନ୍ ଚଳାଚଳ କ୍ଷମତା ବୃଦ୍ଧି ସହ ଏହି ଅଞ୍ଚଳରୁ ପ୍ରମୁଖ ବଜାର ପର୍ଯ୍ୟନ୍ତ ମାଲ ପରିବହନକୁ ସହଜ କରିବ। ବୁଢାପଙ୍କ-ସଳଗାଁ ତୃତୀୟ ଏବଂ ଚତୁର୍ଥ ଲାଇନ ପ୍ରକଳ୍ପର ୪୦.୬୨ କିମି ଢେଙ୍କାନାଳ-ସଦାଶିବପୁର-ହିନ୍ଦୋଳ ରୋଡ଼ ସେକ୍ସନ। ୫୪୦ କୋଟି ଟଙ୍କାରେ ଏହାକୁ ନିର୍ମାଣ କରାଯାଇଛି। ବଣ୍ଡାମୁଣ୍ଡା-ରାଞ୍ଚି ଦୋହରୀକରଣ ପ୍ରକଳ୍ପର ୧୨.୫ କିମିର ବାଙ୍ଗୁରେକେଲା-ନୋଗାଓଁ ରେଳ ସେକ୍ସନ ପ୍ରାୟ ୨୩୯ କୋଟି ବିନିମୟରେ ନିର୍ମାଣ ହୋଇଛି। ଏହାଦ୍ୱାରା ଓଡ଼ିଶା ଓ ଝାଡଖଣ୍ଡ ମଧ୍ୟରେ ସଂଯୋଗ ବୃଦ୍ଧି ପାଇବ।

ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଥିବା ୪ଟି ପ୍ରକଳ୍ପ ମଧ୍ୟରେ ସିଜୁ ଓ ପାରାଦୀପ କୋଚିଂ ୟାର୍ଡ ମଧ୍ୟରେ ୭କିମି ଫ୍ଲାଏଓଭର ନିର୍ମାଣ। ପ୍ରାୟ ୨୦୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ବାରା ଭୂପୃଷ୍ଠ କ୍ରସିଂକୁ ଦୂର କରିବା ସହ ଭାରତର ପ୍ରମୁଖ ବାଣିଜ୍ୟ ହବ୍‌ ମଧ୍ୟରୁ ପାରାଦୀପ ବନ୍ଦରରେ ସୁଗମ ଓ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବ। ଏହାବ୍ୟତୀତ ୧୮.୫୧ କିମି ପାରାଦୀପ-ବଡବନ୍ଧ ତୃତୀୟ ଓ ଚତୁର୍ଥ ଲାଇନ। ପ୍ରାୟ ୩୦୦ କୋଟି ଟଙ୍କାରେ ଏହା ନିର୍ମାଣ ହେବ। ୧୫୨ କୋଟି ଟଙ୍କାରେ ୧୦.୯୩ କିମି ଏମ୍‌ସିଆରଏଲ୍‌ ଆଭ୍ୟନ୍ତରୀଣ କରିଡର ଫେଜ୍‌-୧ର ଦୋହରୀକରଣ, ୭୪୮ କୋଟି ଟଙ୍କା ଖର୍ଚ୍ଚରେ ୪୧.୯ କିମିର ଜୟପୁର-ନବରଙ୍ଗପୁର ନୂତନ ଲାଇନ। ଏହି ପ୍ରକଳ୍ପଗୁଡ଼ିକ ନିଯୁକ୍ତି, ବାଣିଜ୍ୟ ଓ ଗତିଶୀଳତାକୁ ପ୍ରୋତ୍ସାହିତ କରିବ। ଅର୍ଥନୈତିକ ଉନ୍ନତିରେ ଏକ ନୂତନ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିବ। ଏହି ପ୍ରକଳ୍ପଗୁଡ଼ିକ ଓଡିଶାର ରେଳ ନେଟୱର୍କକୁ ମଜବୁତ କରିବା ସହିତ ଉନ୍ନତ ସଂଯୋଗ ସୁନିଶ୍ଚିତ କରିବ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!