ଗତ ୫ବର୍ଷରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି I
ମାନୁନାହାନ୍ତି ସଡ଼ କସୁରକ୍ଷା ନିୟମ
ରାଜ୍ୟରେ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା । ଏଥିପାଇଁ ସଡ଼କ ସୁରକ୍ଷା ପାଇଁ ନୀତି ପ୍ରଣୟନ ହେବା ସହ ପୁଳାପୁଳା ଯୋଜନା ବି ପ୍ରସ୍ତୁତ ହେଉଛି। କିନ୍ତୁ କମୁନି ଦୁର୍ଘଟଣା। ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା । ବିପର୍ଯ୍ୟସ୍ତ ସଡ଼କ ସୁରକ୍ଷାକୁ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଅପରପକ୍ଷରେ ଦୁର୍ଘଟଣା ହ୍ରାସ ଲାଗି ପୂର୍ବରୁ ସଡ଼କ ସୁରକ୍ଷା ନୀତି-୨୦୧୫ ଲାଗୁ କରାଯାଇଥିଲା । ସେହି ଅନୁସାରେ ଅନେକ ଯୋଜନା ବି ହେଲା । ହେଲେ ତାର ସୁଫଳ କେହି ଅନୁଭବ କରିପାରିଲେ ନାହିଁ । ଏଭଳି ସ୍ଥିତିରେ ଏବେ ୨୦୨୫ରେ ଆଉ ଏକ ନୂଆ ସଡ଼କ ସୁରକ୍ଷା ନୀତି ପ୍ରଣୟନ କରାଯିବ ବୋଲି ସତ୍ୟପାଠରେ ଦର୍ଶାଯାଇଛି । ଝାରସୁଗୁଡ଼ା ସମେତ ସମଗ୍ର ରାଜ୍ୟରେ ବିପର୍ଯ୍ୟସ୍ତ ସଡ଼କ ବ୍ୟବସ୍ଥାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ମାମଲାରେ ହାଇକୋର୍ଟ ରାଜ୍ୟ ପରିବହନ ବିଭାଗକୁ ସଡ଼କ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ସଡ଼କ ଦୁର୍ଘଟଣାରେ ବର୍ଷକୁ କେତେ ମୃତାହତ ହେଉଛନ୍ତି ତାହାର ମଧ୍ୟ ତଥ୍ୟ ପ୍ରଦାନ ଲାଗି କୁହାଯାଇଥିଲା
।
ହାଇକୋର୍ଟରେ ଦାଖଲ ତଥ୍ୟ ଅନୁସାରେ, ଗତ ୫ବର୍ଷରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ୨୦୧୯ରେ ୧୧ ହଜାର ୬୪ଟି ଦୁର୍ଘଟଣା ଘଟିଥିଲାବେଳେ ଏଥିରେ ୫ ହଜାର ୩୩୩ଜଣଙ୍କ ମୃତ୍ୟୁ ଘଟିଥିଲା । କରୋନା ସଂକ୍ରମଣ କାରଣରୁ ୨୦୨୦ରେ ପୂର୍ବବର୍ଷ ଅପେକ୍ଷା ଦୁର୍ଘଟଣାରେ ହ୍ରାସ ଘଟିଥିଲା । ତଥାପି ସେହିବର୍ଷ ୯ ହଜାର ୮୧୭ଟି ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୪ ହଜାର ୭୩୮ଜଣଙ୍କ ଦେହାନ୍ତ ହୋଇଥିଲା । ୨୦୨୧ରେ ପୁନର୍ବାର ଦୁର୍ଘଟଣାର ହାର୍ ବୃଦ୍ଧି ପାଇଥିଲା । ସେହିବର୍ଷ ୧୦ ହଜାର ୯୮୪ଟି ଦୁର୍ଘଟଣା ଘଟିଥିଲାବେଳେ ୫ ହଜାର ୮୧ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୨୨ରେ ୧୧ ହଜାର ୬୬୩ଟି ଦୁର୍ଘଟଣା ଘଟିଥିଲାବେଳେ ଏଥିରେ ୫ ହଜାର ୪୬୭ଜଣ ପ୍ରାଣ ହରାଇଥିଲେ । ୨୦୨୩ରେ ମୋଟ୍ ୧୧ ହଜାର ୯୯୨ଟି ଦୁର୍ଘଟଣା ୫୭୩୯ଜଣଙ୍କ ଜୀବନ ନେଇଛି । ତେଣୁ ଗୋଟିଏ ପଟେ ଯୋଜନା ପରେ ଯୋଜନା କରାଯାଇ ଶହଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଏଣେ ସଡ଼କ ଦୁର୍ଘଟଣା କମିବାର ନାଁ ଧରୁନି ।