ଓଡିଶା କଂଗ୍ରେସର ନବକଳେବର ପାଇଁ ଆସୁଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚରଣ ଦାସ ମହନ୍ତ ଓ ଛାତ୍ରକଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ସଭାପତି ମିନାକ୍ଷୀ ନଟରାଜନ୍I
ରାଜ୍ୟରେ କଂଗ୍ରେସ କମିଟି ଭାଙ୍ଗିବାର ୧୦୫ ଦିନ ବିତିବା ପରେ ଏବେ ଆଶା ସଞ୍ଚାର ହୋଇଛି । ଶୀଘ୍ର ରାଜ୍ୟକୁ ନୂଆ ପିସିସି ସଭାପତି ମିଳିବ ବୋଲି କଂଗ୍ରେସ ନେତା ବେଶ ତତ୍ପର ହୋଇ ପଡ଼ିଛନ୍ତି । ଜଣେ କିମ୍ବା ଦୁଇ ଜଣ ନୁହଁ, ୫ରୁ ଅଧିକ ନେତା ପିସିସି ସଭାପତି ଦୌଡ଼ରେ ଅଛନ୍ତି । ସେଥିମଧ୍ୟରୁ ସାଂସଦ ସପ୍ତଗିରି ଉଲାକା, ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନା, ଭକ୍ତଚରଣ ଦାସ, ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ଦେବାଶିଷ ପଟ୍ଟନାୟକ ଓ ଶରତ ରାଉତ ପ୍ରମୁଖଙ୍କ ନାମ ରହିଛି । ଦୌଡ଼ରେ ଥିବା କିଛି ସଭାପତି ଆଶାୟୀ ନିଜ ସପକ୍ଷରେ ଲବି କରିବା ପାଇଁ କଂଗ୍ରେସ ନେତାଙ୍କୁ ତାରକା ହୋଟେଲରେ ଖୁଆଇବା, ପିଆଇବା ସହିତ ମୋଟା ଅଙ୍କର ହାତଗୁଞ୍ଜା ମଧ୍ୟ ଦେଉଛନ୍ତି । ତେବେ ଏସବୁ କାମ ଦେବ କିମ୍ବା ଯାହା ହାତରେ ବାସ୍ତବ ସଙ୍ଗଠନ ରହିଛି, ସେହି ନେତାଙ୍କୁ ସୁଯୋଗ ମିଳିବ । ଏହା ପର୍ଯ୍ୟବେକ୍ଷକଙ୍କ ହାତରେ ରହିଛି । ଏଆଇସିସି ରାଜ୍ୟ କଂଗ୍ରେସ ନେତା ବାଛିବା ପାଇଁ ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚରଣ ଦାସ ମହନ୍ତ ଓ ଛାତ୍ରକଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ସଭାପତି ମିନାକ୍ଷୀ ନଟରାଜନ୍ଙ୍କୁ ଦାୟିତ୍ୱ ଦେଇଛନ୍ତି । ଉଭୟ ନେତା ସୋମବାର ଦିନ ୧୨ଟାରେ କଂଗ୍ରେସ ଭବନରେ ପହଞ୍ଚିବେ । ଅପରାହ୍ନ ୧ଟାରେ ଓଡ଼ିଶା କଂଗ୍ରେସର ଷ୍ଟିୟରିଂ କମିଟି ସଦସ୍ୟ, ବିଧାୟକ ଓ ସାଂସଦଙ୍କ ସହ ବୈଠକ କରିବେ । ସେହିପରି ଅପରାହ୍ନ ୩ଟାରେ କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସହ ଆଲୋଚନା କରିବେ ଏଆଇସିସିର ପର୍ଯ୍ୟବେକ୍ଷକ । ପରେ ଉଭୟ ୪ ଓ ୫ ତାରିଖରେ ବିଭିନ୍ନ କଂଗ୍ରେସ ନେତାଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ସେପଟେ ଦୌଡ଼ରେ ଥିବା ନେତାମାନଙ୍କ ମଧ୍ୟରୁ କିଛି ନେତା ପୂର୍ବରୁ ଦିଲ୍ଲୀ ଯାଇ ଆସିଛନ୍ତି । ଅନ୍ୟ କିଛି ଜଣ ଝାଡ଼ଖଣ୍ଡ ଯାଇ ଚରଣଦାସଙ୍କୁ ଭେଟିଥିବା ବେଳେ ଏବେ ପୁଣି ନେତାଙ୍କୁ ଏକଜୁଟ କରିବାରେ ଲାଗି ପଡିଛନ୍ତି । ହେଲେ ଉଭୟ ପର୍ଯ୍ୟବେକ୍ଷକ ଯାହା ସପକ୍ଷରେ ରିପୋର୍ଟ ଦେବେ, ସେ ହିଁ ପିସିସି ସଭାପତି ହେବା ଏକ ପ୍ରକାର ଚୂଡାନ୍ତ । ତେବେ ଯିଏ ହୁଅନ୍ତୁ ନା କାହିଁକି, ମାତ୍ର ତୁରନ୍ତ ପିସିସି ସଭାପତି ନିଯୁକ୍ତ କରାଯାଉ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଯୁକ୍ତି ବାଢ଼ିଛନ୍ତି ।