ରାଜ୍ୟଶୀର୍ଷ ଖବର

ପୁଞ୍ଜି ଆଣିବାକୁ ମୁଖ୍ୟମନ୍ତ୍ରୀ ଯିବେ ସିଙ୍ଗାପୁର

ଉତ୍କର୍ଷ ଓଡ଼ିଶା ପାଇଁ ହେବ ରୋଡ୍‌ ସୋ’

ରାଜ୍ୟକୁ ପୁଞ୍ଜି ଆଣିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଟିମ୍ ସହ ଚଳିତ ମାସ ୧୭ରୁ ଚାରି ଦିନିଆ ସିଙ୍ଗାପୁର ଗସ୍ତ କରିବେ। ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ଉପସ୍ଥାପନ କରିବା ଲାଗି ସେ ଉଚ୍ଚସ୍ତରୀୟ ବୈଠକରେ ଭାଗ ନେବେ। ସିଙ୍ଗାପୁର ଉପ ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧିକାରୀମାନଙ୍କୁ ଭେଟିବେ। ସିଙ୍ଗାପୁରର ଜୁରୋଙ୍ଗ ପେଟ୍ରୋକେମିକାଲ୍‌ସ ଅଞ୍ଚଳ, ଟୁଆସ୍ ବନ୍ଦର ଓ ଆଇଟିଇଏସ୍‌ ପରିଦର୍ଶନ କରିବେ। ‌୨୦୨୫ ଜାନୁଆରି ୨୮ ଓ ୨୯ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟର ପ୍ରମୁଖ ନିବେଶକ ସମ୍ମିଳନୀ ‘ଉତ୍କର୍ଷ ଓଡ଼ିଶା ୨୦୨୫‌’ରେ ଭାଗ ନେବା ଲାଗି ସେ ସିଙ୍ଗାପୁରର ନିବେଶକମାନଙ୍କୁ ଆମନ୍ତ୍ରଣ କରିବେ।

ଉତ୍କର୍ଷ ଓଡ଼ିଶା ପାଇଁ ହେବ ରୋଡ୍‌ ସୋ’
ନିବେଶକଙ୍କୁ ଓଡ଼ିଶା ଆମନ୍ତ୍ରଣ କରିବେ
ଶିଳ୍ପ ସଂଘ, ପ୍ରବାସୀ ଓଡ଼ିଆଙ୍କୁ ଭେଟିବେ

ଶିଳ୍ପ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ସିଙ୍ଗାପୁରରେ ଏକ ରୋଡ୍‌ ସୋ’ ଓ ଭାବ ବିନିମୟ ଅଧିବେଶନ ଆୟୋଜନ କରାଯିବ। ଓଡ଼ିଶାର ଟିମ୍ ସେଠାକାର ବିଭିନ୍ନ ଶିଳ୍ପ ସଂଘ ଓ ଓଡ଼ିଆ ଲୋକମାନଙ୍କ ସହ ଅର୍ଥନୈତିକ ଓ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଆଲୋଚନା କରିବେ। ରାଜ୍ୟର ଧାମରା, ପାରାଦୀପ, ଗୋପାଳପୁର ବନ୍ଦର ଜରିଆରେ ଆମଦାନି ଓ ରପ୍ତାନି କାରବାରକୁ ନେଇ ରହିଥିବା ସମ୍ଭାବନା ବିଷୟରେ ମୁଖ୍ୟମନ୍ତ୍ରୀ ମାଝୀ ନିବେଶକଙ୍କୁ ଅବଗତ କରିବେ। ରାଜ୍ୟର ନିବେଶ ପରିବେଶ ଓ ରପ୍ତାନି ସମ୍ଭାବନା ଜଣା‌ଇବେ। ରସାୟନ ଓ ପେଟ୍ରୋକେମିକାଲ୍‌ସ କ୍ଷେତ୍ରରେ ସିଙ୍ଗାପୁରରେ ରହିଥିବା ଉନ୍ନତ ପ୍ରଯୁକ୍ତି ଓଡ଼ିଶା ଆଣିବା ଲାଗି ଉଦ୍ୟମ କରିବେ। ଏଥି ସହିତ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଭଳି କ୍ଷେତ୍ରରେ ସିଙ୍ଗାପୁର ସହିତ ସହଯୋଗିତା ବଢ଼ାଇବା ଉପରେ ମୁଖ୍ୟମନ୍ତ୍ରୀ ମାଝୀ ଗୁରୁତ୍ବ ଦେବେ। ଏହି ଗସ୍ତ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ରାଜ୍ୟକୁ ବିଶ୍ବ ମଞ୍ଚରେ ଉପସ୍ଥାପନ କରିବା ଲାଗି ଏହା ଆମର ପ୍ରଥମ ଆନ୍ତର୍ଜାତିକ ଗସ୍ତ। ବିଦେଶୀ ନିବେଶ ଆଣିବା ଲାଗି ଆମର ପ୍ରସ୍ତୁତି ବିଷୟରେ ଆମେ ଜଣାଇବୁ।

ସିଙ୍ଗାପୁରର ଶିଳ୍ପ ଓ ସରକାରଙ୍କ ସହ ଅର୍ଥପୂର୍ଣ୍ଣ ସହଯୋଗିତା ସ୍ଥାପନ କରିବା ଲାଗି ଉଦ୍ୟମ କରାଯିବ। ଏହି ଗସ୍ତ ଦ୍ବାରା ରାଜ୍ୟକୁ ବିପୁଳ ପୁଞ୍ଜି ଆସିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ସେହିପରି, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି ଯେ ଏହି ଗସ୍ତ ସମୟରେ ଆମେ କେବଳ ନିବେଶ ଆଣିବା ଉପରେ ଧ୍ୟାନ ଦେବୁନାହିଁ। ସେଠାକାର ଉନ୍ନତ ଶିଳ୍ପ ଅଭ୍ୟାସ ବିଷୟରେ ଜ୍ଞାନ ଆହରଣ କରିବା ଉପରେ ମଧ୍ୟ ଗୁରୁତ୍ବ ଦେବୁ। ପ୍ରଯୁକ୍ତି, ବିନିର୍ମାଣ ଓ ଦକ୍ଷତା ବିକାଶ ପ୍ରତି ଆମେ ବିଶେଷ ଆଗ୍ରହୀ। ରାଜ୍ୟରେ ଦକ୍ଷତା ବିକାଶ ଓ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରି ଓଡ଼ିଶାର ପ୍ରଗତି ଜାରି ରଖିବା ଆମର ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!