ମହାପଞ୍ଚୁକ ବ୍ରତ ପାଇଁ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି !
ଏଥର ଚାରିଦିନ ପଞ୍ଚୁକ
ଆସନ୍ତା କାଲିଠାରୁ କାର୍ତ୍ତିକର ମହାପଞ୍ଚୁକ ବ୍ରତ ଆରମ୍ଭ । ପଞ୍ଚୁକ ୫ ଦିନ ମହାପ୍ରଭୁ ସ୍ୱତନ୍ତ୍ର ବେଶରେ ଶ୍ରଦ୍ଧାଳୁଙ୍କୁ ବର୍ଷକରେ ଥରେ ଦର୍ଶନ ଦେଇଥାନ୍ତି । ତେଣୁ ଏହି ୫ ଦିନକୁ ଚାତକ ଭଳି ଚାହିଁ ରହିଥାନ୍ତି ଶ୍ରଦ୍ଧାଳୁ । ଚଳିତ ବର୍ଷ ତିଥି କ୍ଷୟ ପଡୁଥିବାରୁ ପଞ୍ଚୁକ ୫ ପରିବର୍ତ୍ତେ ୪ଟି ଦିନ ପଡ଼ୁଛି । ତେଣୁ ଭକ୍ତ ୪ଟି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ।
ଆଜିହିଁ ଡାଉନଲୋଡ କରନ୍ତୁ .
https://clplazarus.page.link/u2ef
ଦେବ ଉତ୍ଥାପନ ଏକାଦଶୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚତୁର୍ଦ୍ଧାବିଗ୍ରହ ପ୍ରତ୍ୟହ ଭିନ୍ନ ଭିନ୍ନ ବେଶରେ ସୁସଜ୍ଜିତ ହୋଇ ଦର୍ଶନ ଦେବେ । ୧୨ ତାରିଖ ଅର୍ଥାତ୍ ପଞ୍ଚୁକ ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶ, ୧୩ରେ ବାଙ୍କଚୂଡ଼ା ବେଶ, ୧୪ରେ ଡାଳିକିଆ ତଥା ତ୍ରିବିକ୍ରମ ବେଶ ଓ ୧୫ରେ ଅର୍ଥାତ୍ ଶେଷ ଦିନ ପୂର୍ଣ୍ଣିମାରେ ରାଜାଧିରାଜ ବା ସୁନାବେଶରେ ଦର୍ଶନ ଦେବେ । ସାଧାରଣତଃ ପଞ୍ଚୁକର ପ୍ରଥମ ଦିନରେ ଠାକୁରଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଥାଏ । ତିଥି କ୍ଷୟ ପଡୁଥିବାରୁ ଏବର୍ଷ ଏହି ବେଶ ହେବନାହିଁ । ଫଳରେ ଚଳିତବର୍ଷ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ଲକ୍ଷ୍ମୀନୃସିଂହ ବେଶ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ରହିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ନାରାୟଣ ମହାନ୍ତି ସ୍ପଷ୍ଟ କରିଛନ୍ତି ।
ପଞ୍ଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ତରଫରୁ ମରିଚିକୋଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯାଇଛି । ଶ୍ରଦ୍ଧାଳୁମାନେ ବ୍ୟାରିକେଡ ଦେଇ ସିଂହଦ୍ୱାର, ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ଏହି ଦିନରେ କେବଳ ସିଂହଦ୍ୱାରରେ ଶ୍ରଦ୍ଧାଳୁ ପ୍ରବେଶ କରିବେ ଓ ଦର୍ଶନ କରିବା ପରେ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ କରିବେ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ଭିତର ଓ ବାହାରେ ୫ଜଣ ଅତିରିକ୍ତ ଏସ୍ପି, ୧୪ ଜଣ ଡିଏସ୍ପି,୨୬ ଜଣ ଇନ୍ସପେକ୍ଟର ସମେତ ଅନ୍ୟ ଅଧିକାରୀମାନଙ୍କ ସହ ମୋଟ ୩୮ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ସେହିପରି ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳିମାନେ ମହୋଦଧି ଓ ବିଭିନ୍ନ ପୁଷ୍କରିଣୀରେ ଡଙ୍ଗା ଭସାଇ ନିଜ ବ୍ରତକୁ ଉଦ୍ଯାପନ କରିବାକୁ ଥିବାରୁ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ସହ ପର୍ଯ୍ୟାପ୍ତ ଲାଇଫଗାର୍ଡ ମୁତୟନ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।