ଲମତାପୁଟ ବ୍ଲକରେ ତଳ ମୁହାଁ ପାରଦ। ଲମତାପୁଟରେ ହାଡ଼ଭଙ୍ଗା ଶୀତ ଲହରି ଆରମ୍ଭ ହୋଇଛି। ଏଠାରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି। ଡେରିରେ ହେଉ ପଛେ ଶୀତ ପଡ଼ିଛି। ସକାଳ ୧୦ଟା ପର୍ଯ୍ୟନ୍ତ କୁହୁଡ଼ି ସାରା ଅଞ୍ଚଳକୁ ଢାଙ୍କି ରଖୁଛି। ଫଳରେ ଯାତାୟତରେ ବିଭିନ୍ନ ସମସ୍ୟା ଉପୁଜୁଛି। ଘନ କୁହୁଡ଼ି ଯୋଗୁଁ ରାସ୍ତା ଦେଖାଯାଉ ନଥିବାରୁ ଗାଡି ମୋଟର ଚଳାଚଳରେ ଅସୁବିଧା ହେଉଛି।
କୋରାପୁଟର କାଶ୍ମୀର କୁହାଯାଉଥିବା ଲମତାପୁଟ ବ୍ଲକରେ ଶୀତ ଧୀରେ ଧୀରେ ବଢିବାରେ ଲାଗିଛି। ସନ୍ଧ୍ୟା ୭ଟାରେ ମୁଖ୍ୟ ବଜାର ଶୂନସାନ୍ ହୋଇଯାଉଛି। ଲୋକେ ନିଆଁ ଜାଳି ଶୀତ ଛଡାଉଛନ୍ତି। ଶୀତ ବଢିବା ସଙ୍ଗେସଙ୍ଗେ ସାକଳୁ ସାକଳୁ ଚା ଦୋକାନ ଗୁଡିକରେ ଭିଡ଼ ଜମୁଛି। ଶୀତ ପଡ଼ିବା ଯୋଗୁଁ ଲମତାପୁଟ ବ୍ଲକକୁ ପର୍ଯ୍ୟଟନଙ୍କ ଆଗମନ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ଭଲ ବର୍ଷା ହୋଇଥିବା ବେଳେ ଶୀତ ବଢିବା ନେଇ ଆଶା ରହିଛି।