ସ୍ପେନରେ ଦୀର୍ଘ ୫୦ ବର୍ଷ ପରେ ସବୁଠାରୁ ବଡ ବନ୍ୟା ଆସିଛି । ଭାଲେନ୍ସିଆ ସହରରେ ଆସିଥିବା ଏହି ବନ୍ୟାରେ ୨୦୫ ଜଣଙ୍କର ମୃତ୍ୟୁ ଘଟିଛି । ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି । ହସ୍ପିଟାଲ ବାହାରେ ଅସ୍ଥାୟୀ ଶବ ସଂରକ୍ଷଣ ଗୃହ ପ୍ରତିଷ୍ଠା କରାଯାଇଚି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ୧୦୦୦ ସୈନ୍ୟଙ୍କୁ ନିୟୋଜିତ କରାଯାଇଛି ।
ସୂଚନା ଅନୁସାରେ ଗତ ୨୯ ତାରିଖରେ ଏହି ଅଞ୍ଚଳରେ ମାତ୍ର ୮ ଘଣ୍ଟାରେ ୧୨ ଇଞ୍ଚ ବର୍ଷା ହୋଇଥିଲା । ଏତେ ପରିମାଣ ବର୍ଷା ୧ ବର୍ଷ ଭିତରେ ହୋଇଥାଏ । କିନ୍ତୁ ହଠାତ୍ ଏତେ ବର୍ଷା ହେବା ଫଳରେ ଅଚାନକ ବନ୍ୟା ଆସିଥିଲା । ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବା ଲାଗି ସମୟ ପାଇ ନଥିଲେ । ଭୂମଧ୍ୟ ସାଗର ଉପକୂଳରେ ଏହି ସହର ଅବସ୍ଥିତ ଏବଂ ଏଠାରେ ପ୍ରାୟ ୫୦ ଲକ୍ଷ ଲୋକ ବସବାସ କରନ୍ତି । ବନ୍ୟାରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେବା ସ୍ପେନର ନିକଟ ଅତୀତରେ ଏହା ସବୁଠାରୁ ବଡ ବିପର୍ଯ୍ୟୟ । ଏହା ପୂର୍ବରୁ ୧୯୭୩ରେ ଆସିଥିବା ବନ୍ୟାରେ ୧୫୦ ଜଣ ଏବଂ ୧୯୫୭ରେ ଆସିଥିବା ବନ୍ୟାରେ ୮୧ ଜଣଙ୍କ ମୃତ୍ୟୁ ହୋଇଥିଲା । ପ୍ରଧାନମନ୍ତ୍ରୀ ପେଟ୍ରୋ ସାଞ୍ଚେଜ ଭୟବହତାକୁ ଦୃଷ୍ଟିରେ ରଖି ଦେଶରେ ୩ ଦିନିଆ ଜରୁରି ପରିସ୍ଥିତି ଘୋଷଣା କରିଛନ୍ତି ।
ଶନିବାର ପର୍ଯ୍ୟନ୍ତ ଏହି ଜରୁରି ପରିସ୍ଥିତି ବଳବତ୍ତର ରହିବ । ସରକାରଙ୍କ ପକ୍ଷରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ଜୋର୍ଦାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି । ବନ୍ୟା ଯୋଗୁ ଅନେକ ଅଞ୍ଚଳ ପାଣି ଘେରରେ ରହିଥିଲା ବେଳେ ରାସ୍ତାଘାଟ ନଷ୍ଟ ହେବା ପୋଲ ଭୁଶୁଡି ପଡିଛି । ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି । ଘରଦ୍ୱାର ଭାଙ୍ଗିଯାଇଛି । ଯାହାଫଳରେ ଅନେକ ଅଞ୍ଚଳକୁ ଉଦ୍ଧାରକାରୀ ଦଳ ପହଞ୍ଚି ପାରିନାହାନ୍ତି । ଘର ଭିତରେ ପାଣି ଓ ଅଳିଆ ଭର୍ତ୍ତି ହୋଇଯାଇଛି । ପାଣିପାଗ ବିଜ୍ଞାନୀଙ୍କ କହିବାନୁଯାୟୀ ଏଭଳି ଅଚାନକ ବର୍ଷା ଓ ବନ୍ୟାର କାରଣ ହେଉଛି କଟ-ଅଫ୍ ଲୋ ପ୍ରେସର ସିଷ୍ଟମ । ଥଣ୍ଡା ଓ ଗରମ ପବନ ମିଶିବା ଫଳରେ ଘନ ବାଦଲ ସୃଷ୍ଟି ହୋଇଥିଲା ଏବଂ ଯାହାଫଳରେ ପ୍ରବଳ ବର୍ଷିଥିଲା । ଏଭଳି ସିଷ୍ଟମ ଯୋଗୁ କେବଳ ସ୍ପେନ ନୁହେଁ, ଅନ୍ୟାନ୍ୟ ଦେଶରେ ମଧ୍ୟ ଏଭଳି ବର୍ଷା ଓ ବନ୍ୟା ହୋଇଛି ।
ଅନ୍ୟ କିଛି ବୈଜ୍ଞାନିକଙ୍କ କହିବାନୁଯାୟୀ ଭୂମଧ୍ୟ ସାଗର ଅଧିକ ଗରମ ହେବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଚଳିତବର୍ଷ ଅଗଷ୍ଟରେ ଭୂମଧ୍ୟ ସାଗରରେ ତାପମାତ୍ରା ୨୮.୪୭ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିଲା । ଯାହାକି ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ତାପମାତ୍ରା ଥିଲା ।