୫୫ତମ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (ଆଇଏଫ୍ଏଫ୍ଆଇ) ଇଣ୍ଡିଆନ୍ ପାନୋରମା ୨୦୨୪ ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି । ଓଡ଼ିଆ ଏବଂ ଓଡ଼ିଆ ସିନେମା ଲାଗି ଖୁସି ଓ ଗର୍ବର ବିଷୟ, ଏଥିରେ ଏକ ଓଡ଼ିଆ ଚଳଚ୍ଚିତ୍ର ସାମିଲ ହୋଇଛି । ଅଣଫିଚର ବର୍ଗରେ ପ୍ରଦର୍ଶନ ଲାଗି ମନୋନୀତ ୨୦ଟି ଚଳଚ୍ଚିତ୍ର ମଧ୍ୟରେ ୧୩ ନମ୍ବରରେ ସ୍ଥାନ ପାଇଛି ଓଡ଼ିଆ ଚଳଚ୍ଚିତ୍ର ‘ମୋ ବୋଉ, ମୋ ଗାଁ’ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଆ ପୁଅ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବିଶିଷ୍ଟ ସାଉଣ୍ଡ୍ ଇଞ୍ଜିନିୟର, ନିର୍ଦ୍ଦେଶକ ସୁବାସ ସାହୁ । ଫିଲ୍ମର ସମ୍ପାଦନା ସହ ପ୍ରଯୋଜନା କରିଛନ୍ତି ‘ଓ ମାଇଁ ଗଡ୍-୨’ର ସମ୍ପାଦକ ସୁଭୀର ନାଥ । ପ୍ରଯୋଜନା କରିଛନ୍ତି ନିର୍ଦ୍ଦେଶକ ଶ୍ରୀ ସାହୁଙ୍କ ପତ୍ନୀ ସୁପ୍ରଭା ସାହୁ । କିକ୍ସେ ୱିକ୍ସେ ଫିଲ୍ମସ୍ ଆଣ୍ଡ୍ ଆର୍ଏନ୍ଭି ୧୮୨୦ ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାଟି ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ୧୫ତମ ଚିକାଗୋ ସାଉଥ୍ ଏସିଆନ୍ ଫିଲ୍ମ ଫେଷ୍ଟିଭାଲ୍-୨୦୨୪ ଲାଗି ଅଫିସିଆଲ୍ ମନୋନୀତ ହୋଇ ପ୍ରଦର୍ଶିତ ସହ ପ୍ରଶଂସା ସାଉଁଟିଥିଲା ।
ଆଜିର ଦୁନିଆ ସଂସ୍କୃତି, ପରମ୍ପରା, ଗାଁ ଓ ବୋଉଠୁ ଦୂରେଇ ଯାଉଥିଲାବେଳେ ତାକୁ ଜାବୁଡ଼ି ଧରି ରଖିବାର ଏକ କ୍ଷୁଦ୍ର ପ୍ରୟାସ କରାଯାଇଛି ଫିଲ୍ମରେ । ଯେଉଁଥିରେ ଆମ ଅତୀତ ଆଉ ଆମ ଗାଁ ଦିଶିବ । ବୋଉ… ବୋଉ… ଡାକ ଶୁଭିବ । ସଂସ୍କୃତି ଓ ପରମ୍ପରାକୁ ନିକଟରୁ ଜାଣିବାର ସୁଯୋଗ ମିଳିବ । ଏଥିପାଇଁ ଦିନେ କି ମାସେ ନୁହେଁ, ଦୀର୍ଘ ୧୮ ବର୍ଷ ସମୟ ଲାଗିଛି । ୨୦୦୬ ମସିହାରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା, ଯାହା ଚଳିତ ବର୍ଷ ଆରମ୍ଭରେ ଶେଷ ହୋଇଥିଲା । ୬୩ ମିନିଟ୍ ଅବଧିର ଏହି ଫିଲ୍ମର ସୁଟିଂ ମୋ ଗାଁ କେନ୍ଦ୍ରାପଡ଼ା ବଲୁରିଆ ଏବଂ ଭୁବନେଶ୍ୱରରେ ହୋଇଛି ।