ରାଜନୀତିରାଷ୍ଟ୍ର

୨୦୩୦ ସୁଦ୍ଧା ଓଡ଼ିଶା ଅନ୍ୟତମ ବିକଶିତ ରାଜ୍ୟରେ ପରିଣତ ହେବ

ରୋଡ ସୋ କରିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାକୁ ଆସିବ ନିବେଶ । ଦେଶର ପ୍ରତିଷ୍ଠିତ ଶିଳ୍ପସଂସ୍ଥା ଓଡ଼ିଶା ଆସିବେ । ପୁଞ୍ଜି ଖଟାଇବେ । ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳ୍ପପତିଙ୍କ ସହ ଆଲୋଚନା ବେଳେ ଏମିତି ପ୍ରତିଶ୍ରୁତି ମିଳିଛି । ବେଦାନ୍ତ ରାଜ୍ୟରେ ଆଉ ୧ ଲକ୍ଷ କୋଟି ନିବେଶ କରିବାକୁ ଘୋଷଣା କରିଛି । ଏଥିରେ ୨ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାଜ୍ୟର ଆର୍ଥିକ ବିକାଶକୁ ଆଗକୁ ନେବାରେ ଏହା ବେଶ ସହାୟକ ହେବ । ମୁଖ୍ୟମନ୍ତ୍ରୀ ଶନିବାର ନିବେଶକ ସମ୍ମିଳନୀରେ ବହୁ ପୁଞ୍ଜିପତିଙ୍କୁ ଭେଟିବେ । ଓଡ଼ିଶାକୁ ଆସି ପୁଞ୍ଜି ଖଟାଇବାକୁ ପ୍ରସ୍ତାବ ଦେବେ । ଆସନ୍ତା ଜାନୁଆରୀରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା କନକ୍ଲେଭ୍‌ ପାଇଁ ନିବେଶକଙ୍କୁ ନିମନ୍ତ୍ରଣ ମଧ୍ୟ କରିବେ ।

ରାଜ୍ୟକୁ ଅଧିକରୁ ଅଧିକ ପୁଞ୍ଜି ଟାଣିବାକୁ ରୋଡ ସୋ କରିବାକୁ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଅଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଓ ଜେଏସଡବ୍ଲ୍ୟୁର ସଜନ ଜିନ୍ଦଲଙ୍କୁ ଭେଟିଥିଲେ । ରାଜ୍ୟରେ ଶିଳ୍ପାୟନ ଓ ନିବେଶ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଶିଳ୍ପପତିଙ୍କ ସହ ଆଲୋଚନା ପରେ ବେଦାନ୍ତ ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ପୁଞ୍ଜି ଖଟାଇବାକୁ ଘୋଷଣା କରିଛି ।ଅକ୍ଷୟ ଶକ୍ତି ଦ୍ୱାରା ପରିଚାଳିତ ସବୁଜ ଆଲୁମିନିୟମ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ବାର୍ଷିକ ୬ ନିୟୁତ ଟନ୍‌ ଆଲୁମିନିୟମ ରିଫାଇନାରୀ ଓ ୩ ମିଲିୟନ ଟନ୍‌ କ୍ଷମତା ବିଶିଷ୍ଟ ଆଲୁମିନିୟମ କାରଖାନା ପ୍ରତିଷ୍ଠାରେ କଂପାନୀ ଏହି ପୁଞ୍ଜିନିବେଶ କରିବ ।  ଅଟୋ, ଶକ୍ତି, ବିର୍ନିମାଣ ଏବଂ ରେଲୱେ ଭଳି କ୍ଷେତ୍ରରେ ଆଲୁମିନିୟମର ଚାହିଦା ବଢ଼ି ବଢ଼ି ଚାଲିଛି ।

ବେଦାନ୍ତ ଦର୍ଶାଇଛି, ୨୦୩୦ ସୁଦ୍ଧା ଓଡ଼ିଶା ଅନ୍ୟତମ ବିକଶିତ ରାଜ୍ୟରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବା ବେଳେ ବେଦାନ୍ତ ଝାରସୁଗୁଡ଼ା ଭଳି ରାୟଗଡ଼ାକୁ ଏକ ଉଚ୍ଚ ବିକଶିତ ଅଞ୍ଚଳ ଭାବେ ଗଢ଼ିବାକୁ ଲକ୍ଷ୍ୟ ରଖିଛି । ଓଡ଼ିଶା ସରକାରଙ୍କ ସହଯୋଗରେ ବେଦାନ୍ତ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ଦକ୍ଷତା ବିକାଶ କେନ୍ଦ୍ର ଓ ନନ୍ଦଘର ପ୍ରତିଷ୍ଠା କରି ରାଜ୍ୟବାସୀଙ୍କୁ ଉପକୃତ କରିବ । ଓଡ଼ିଶାରେ ଏହି ସର୍ବବୃହତ୍‌ ଲକ୍ଷେ କୋଟିର ପୁଞ୍ଜିନିବେଶ  ୧୦୦୦ ଏମ୍‌ଏସ୍‌ଏମ୍‌ଇ ପାଇଁ ସୁଯୋଗ ସୃଷ୍ଟି ଆଣିବା ସହ ୨ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ । ଆଲୁମିନିୟମ ଭବିଷ୍ୟତର ଭିତ୍ତିଭୂମି ହୋଇଥିବାରୁ ୨୦୩୦ ସୁଦ୍ଧା ଆଲୁମିନିୟମର ଚାହିଦା ସମାନ ଭାବରେ ବୃଦ୍ଧି ପାଇବ । ଏହାକୁ ଦୃଷ୍ଟିରେ ରଖି କଂପାନୀ ପକ୍ଷରୁ ନିବେଶ ସହ ବିକାଶକୁ ମଧ୍ୟ ଅଗ୍ରାଧିକାର ମିଳିବ ।

ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଲେ, ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ପରିକଳ୍ପନା ପ୍ରତି ଓଡ଼ିଶାର ନୂତନ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ । ୨୦୩୦ ସୁଦ୍ଧା ଓଡ଼ିଶାକୁ ଅଧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଥିବାରୁ ଆମେ ନୂଆ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ସାରା ବିଶ୍ୱକୁ ଆମନ୍ତ୍ରଣ କରୁଛୁ । ଜାନୁଆରୀ ୨୦୨୫ରେ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ଉତ୍କର୍ଷ ଓଡ଼ିଶା ଆୟୋଜନ କରୁଛୁ । ଆଜି ପ୍ରି-ଇଭେଣ୍ଟ ରୋଡ୍‌ ସୋ’ ସମୟରେ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ସହ ଫଳପ୍ରଦ ଆଲାଚନା କରିଛୁ । ନୂଆ ଆଲୁମିନା ପ୍ରକଳ୍ପରେ ୧ ଲକ୍ଷ କୋଟି ଟଙ୍କାର ବିନିଯୋଗ ସୁଯୋଗ ରହିଛି ଯାହା ରାଜ୍ୟବାସୀଙ୍କ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି କରିବ । ଏହି ପ୍ରକଳ୍ପଗୁଡିକର ବିକାଶ ଦିଗରେ ରାଜ୍ୟ ସରକାର ପୂର୍ଣ୍ଣ ସହଯୋଗ କରିବେ ବାଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ବେଦାନ୍ତ ଅଧ୍ୟକ୍ଷ ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ ବେଦାନ୍ତର ଅଭିବୃଦ୍ଧିରେ ଓଡ଼ିଶା ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି  । ଆମର ପୁଞ୍ଜିନିବେଶ ରାଜ୍ୟର ସାମଗ୍ରିକ ଅଭିବୃଦ୍ଧି ଏବଂ ବୃହତ ଶିଳ୍ପାୟନ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଓଡ଼ିଶାର କୋଟି କୋଟି ଲୋକଙ୍କ ଜୀବନର ଗୁଣବତ୍ତା ବୃଦ୍ଧି କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।

ମୁଖ୍ୟମନ୍ତ୍ରୀ ଜେଏସ୍‌ଡବ୍ଲ୍ୟୁର ଶ୍ରୀ ଜିନ୍ଦଲଙ୍କ ସହ ମଧ୍ୟ ପ୍ରସ୍ତାବିତ ଇଭି ଓ ବ୍ୟାଟେରୀ ପ୍ରକଳ୍ପ ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!