ଆଜି ଶ୍ରୀମନ୍ଦିରରେ ମହାସପ୍ତମୀ, ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ
ପୀଠରେ ଆରମ୍ଭ ହେବ ତ୍ରିଦିନାତ୍ମକ ପୂଜା
ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଦେବୀ ପୀଠରେ ଆରମ୍ଭ ହେଉଛି ଠାକୁରାଣୀଙ୍କ ତ୍ରିଦିନାତ୍ମକ ପୂଜା । ଏଥିସହ ବଡ଼ଦେଉଳରେ ହେବ ମା’ବିମଳାଙ୍କ ମହାସପ୍ତମୀ ପୂଜା । ଏହି ଅବସରରେ ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ । ଏହି ତିନି ଦିନ ଠାକୁରଙ୍କ ରାତ୍ର ପହୁଡ଼ ପରେ ପଶ୍ଚିମଦ୍ୱାର ଦେଇ ସଙ୍ଖୁଡ଼ି ଭୋଗ ଦ୍ରବ୍ୟାଦି ଶ୍ରୀମନ୍ଦିରକୁ ପ୍ରବେଶ କରିବ । ଏଥିସହ ଦେବୀ ପୀଠରେ ମଧ୍ୟ ପୂଜକ ଓ କମିଟି କର୍ମକର୍ତ୍ତା ମିଶି ମା’ଙ୍କ ସ୍ୱତନ୍ତ୍ର ତିନି ପୂଜା ପାଇଁ ପ୍ରସ୍ତୁତି ସାରିଛନ୍ତି । ମନ୍ଦିର ସମ୍ମୁଖରେ ତୋରଣ ବନ୍ଧାହୋଇ ଠାକୁରାଣୀଙ୍କ ପୂଜାର୍ଚ୍ଚନାରେ ଭକ୍ତଙ୍କ ଯୋଗଦାନ ପାଇଁ ପରିଚାଳନାକାରୀ ବ୍ୟବସ୍ଥା କରିଛନ୍ତି ।
ଶ୍ରୀମନ୍ଦିରକୁ ଆମିଷ ପ୍ରବେଶ ପ୍ରସଙ୍ଗ ହୁଏତ ଅଧିକାଂଶଙ୍କୁ ଜଣାନଥିବ । କିଛି ବିଶେଷ ବିଧିରେ ଶ୍ରୀମନ୍ଦିରକୁ ଆମିଷ ଯାଇଥାଏ । ଶ୍ରୀକ୍ଷେତ୍ରାଧିଶ୍ୱରୀ ମା’ବିମଳାଙ୍କ ଷୋଳ ପୂଜା ଅବସରରେ ତ୍ରିଦିନାତ୍ମକ ପୂଜାରେ ଆମିଷ (ମାଛ) ଭୋଗ ଲାଗିବ । ବଡ଼ଦେଉଳରେ ପ୍ରଚଳିତ ଭାଷାରେ ଖଟୁଆ ଯୋଗାଉଥିବା ଏହି ମାଛକୁ କୁହାଯାଏ ‘ଖଟୁଆ ନିତିଆନି’ ।
ମହାପ୍ରଭୁଙ୍କ ପହୁଡ଼ ପରେ ଶ୍ରୀମନ୍ଦିର ଶୋଧ ହୋଇ ବିଳମ୍ବିତ ରାତିରେ ମା’ବିମଳାଙ୍କ ଏହି ସ୍ୱତନ୍ତ୍ର ନୀତି ହୋଇଥାଏ । ଏଥିସହ ପୂଜା ତିନି ଦିନ ଭଣ୍ଡାରଘର ଆୟୁଧ ପୂଜାରେ ବସିଥାନ୍ତି । ଏଥିସହ ପୀଠରେ ପାଳନ ହେବ ବଳି ବିଧି । ମହାଷ୍ଟମୀ ଓ ମହାନବମୀରେ ଅନୁରୂପ ପୂଜା ହେବ । ଗୁପ୍ତ ଗୁଣ୍ଡିଚା ବିଧିବିଧାନ ଅନୁସାରେ ଦୁର୍ଗା-ମାଧବ ଏକତ୍ର ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀଙ୍କ ମନ୍ଦିରରେ ବିଜେ ହେବେ । ଗୁରୁବାର ମହାଷ୍ଟମୀ, ଶୁକ୍ରବାର ମହାନବମୀ, ଶନିବାର ବିଶ୍ରାମ ପରେ ରବିବାର ଶ୍ରୀମନ୍ଦିରରେ ମା’ବିମଳାଙ୍କ ଦଶହରା ପୂଜା ହେବ ।