ଇରାନ ସହାୟତାରେ ଏକ ବିଶାଳ ତଥା ଶକ୍ତିଶାଳୀ ସାମରିକ ସଂଗଠନ ପାଲଟିଥିବା ହେଜବୁଲ୍ଲାକୁ ମୂଳପୋଛ କରିବା ପାଇଁ ଏବେ ଇସ୍ରାଏଲ ନିର୍ଣ୍ଣାୟକ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛି। ଇତିମଧ୍ୟରେ ଇସ୍ରାଏଲ ‘ଅପରେସନ୍ ନ୍ୟୁ ଅର୍ଡର’ ଅଧୀନରେ ଏହି ବିପଜ୍ଜନକ ଆତଙ୍କବାଦୀ ସଂଗଠନର ମୁଖ୍ୟ ହସନ ନସ୍ରଲ୍ଲା ନିପାତ ହୋଇଥିବାରୁ ଏବେ ତା’ର ଉତ୍ତରାଧିକାରୀ ଖୋଜା ଚାଲିଛି। ନସ୍ରଲ୍ଲା ସମେତ ଦଳର ସମସ୍ତ ପ୍ରମୁଖ କମାଣ୍ଡରମାନଙ୍କ ମୃତ୍ୟୁ ଇରାନକୁ ମଧ୍ୟ ସ୍ତବ୍ଧ କରିଦେଇଛି। ଇରାନର ସର୍ବୋଚ୍ଚ ନେତା ଅଲି ଖେମିନି ଏବେ ଇସ୍ଲାମିକ ଦେଶ ଏକଜୁଟ ହୋଇ ଇସ୍ରାଏଲକୁ ରୋକିବାକୁ ଆହ୍ବାନ ଦେଉଥିଲେ ମଧ୍ୟ ନିଜେ ଭୟରେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଗତରାତିରେ ୨ଟି ଶକ୍ତିଶାଳୀ କ୍ଷେପଣାସ୍ତ୍ର ଏବଂ ପ୍ରାୟ ୮୦ ଟନ୍ ଓଜନର ବଙ୍କର ବିଧ୍ବଂସୀ ବୋମା ବ୍ୟବହାର କରି ବେରୁତରେ ଧ୍ବଂସଲୀଳା ରଚାଇଥିବା ଇସ୍ରାଏଲ ଆଗକୁ ମଧ୍ୟ ଆକ୍ରମଣ ଜାରି ରଖିବାକୁ ସଙ୍କେତ ଦେଇଛି।
ଇସ୍ରାଏଲର ଘାତଶକ୍ତି ଏବେ ଇରାନ, ସିରିୟା, ଇରାକ୍ ଓ ୟେମେନରେ ଆତଙ୍କ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ହେଜବୁଲ୍ଲା ମୁଖ୍ୟ ନସ୍ରଲ୍ଲା ନିହତ ହେବା ପୂର୍ବରୁ ମଧ୍ୟ ଅଧିକାଂଶ ଶୀର୍ଷ କମାଣ୍ଡର ଇସ୍ରାଏଲ ଆକ୍ରମଣର ଶିକାର ହୋଇଥିଲେ। ଏବେ ନସ୍ରଲ୍ଲା ସମେତ ୧୨ ନେତାଙ୍କ ନିପାତ ପରେ ହେଜବୁଲ୍ଲାର ନେତୃତ୍ବ କିଏ ନେବ ତାହାକୁ ନେଇ ଚର୍ଚ୍ଚା ଚାଲିଛି।
ସୂଚନାଯୋଗ୍ୟ, ଚଳିତ ସଂଘର୍ଷରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍)ର ପ୍ରଥମ ଶିକାର ହୋଇଥିଲା ହେଜବୁଲ୍ଲାର ଅପରେସନ୍ ମୁଖ୍ୟ ଇବ୍ରାହିମ୍ ଅକିଲ। ଏହାପରେ ମହମ୍ମଦ କାବିସି (କ୍ଷେପଣାସ୍ତ୍ର ଏବଂ ରକେଟ୍ ୟୁନିଟ୍ ହେଡ୍), ଫୌଦ ଶୁକ୍ରା (ହେଜବୁଲ୍ଲାର ମୁଖ୍ୟ କମାଣ୍ଡର) ଓ ଅଲ୍ କାରାକି (ଦକ୍ଷିଣ ମୋର୍ଚ୍ଚା କମାଣ୍ଡର)ଙ୍କୁ ଇସ୍ରାଏଲ ନିପାତ କରିଥିଲା। ସଂଗଠନର ଦ୍ବିତୀୟ ଧାଡ଼ିର ନେତାଙ୍କୁ ମଧ୍ୟ ଇସ୍ରାଏଲ ମୂଳପୋଛ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୱିସାମ ଅଲ-ତାଭିଲ , ଅବୁ ହାସନ ସମୀର ( ପ୍ରଶିକ୍ଷଣ ମୁଖ୍ୟ), ମହମ୍ମଦ ହୁସେନ ସାଉର (ଏରିଏଲ କମାଣ୍ଡର), ସାମି ତାଲେବ ଅବଦୁଲ୍ଲା ( ୟୁନିଟ୍ କମାଣ୍ଡର) ଏବଂ ମହମ୍ମଦ ନାସିର ( ୟୁନିଟ୍ କମାଣ୍ଡର)। ଏଭଳି ଭାବେ ଆଇଡିଏଫ ହେଜବୁଲ୍ଲାର ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି।